ଚୀନ୍‌ରେ ସମ୍ପ୍ରତି ଦେଖାଦେଇଥିବା କ୍ରମବର୍ଦ୍ଧିଷ୍ଣୁ ବିଷାକ୍ତ ତଥା ପ୍ରତିଦ୍ବନ୍ଦ୍ବିତାମୂଳକ କାର୍ଯ୍ୟସ୍ଥଳୀ ସଂସ୍କୃତିରେ ଯୁବପିଢ଼ି ଏବେ ଭୀଷଣ ଭାବରେ ଅତିଷ୍ଠ ହୋଇପଡ଼ିଛନ୍ତି। ତେଣୁ ସେମାନେ ଆର୍ଥିକ ତଥା ପେସାଗତ ସଫଳତା ପାଇଁ ଅଧିକ ସଂଘର୍ଷ କରିବା ଅପେକ୍ଷା ଅଳ୍ପରେ ସନ୍ତୁଷ୍ଟ ହୋଇ ଅଳସୁଆ ଜୀବନ ବିତାଇବାକୁ ପସନ୍ଦ କରୁଛନ୍ତି। ଏ ପରିପ୍ରେକ୍ଷୀରେ ଚୀନ୍‌ର ଲି ସୁ ନାମକ ଜଣେ ୨୯ ବର୍ଷୀୟ ଯୁବକ ଘରଦ୍ବାର ଛାଡ଼ି ଏକ ପରିତ୍ୟକ୍ତ ସ୍ଥାନରେ ତମ୍ବୁ ଭିତରେ ଦୀର୍ଘ ୨୦୦ ଦିନ ହେଲା ଏକ ଅଲୋଡ଼ା ଜୀବନ ବିତାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆଗରୁ ଭଲ ଚାକିରି କରିଥିବା ଲି ତାଙ୍କ କାର୍ଯ୍ୟସ୍ଥଳ ପ୍ରତି ବିମୁଖ ହୋଇ ୨୦୧୮ ଶେଷ ବେଳକୁ ଚାକିରି ଛାଡ଼ିଦେଇ ଭଡ଼ା ଘରେ କିଛି ଦିନ ଅଳସ ତଥା ଅୟସ ଜୀବନ ବିତାଇଲେ। ତେବେ ସେ ଅନୁଭବ କଲେ ଯେ ଏପରି ହେଲେ, ଅଳ୍ପ ଦିନ ଭିତରେ ତାଙ୍କର ସମସ୍ତ ସଞ୍ଚୟ ଶେଷ ହୋଇଯିବ। ତେଣୁ ସେ ନିଜର ଖର୍ଚ୍ଚକାଟ କରି ଦୈନିକ ୧୦ ୟୁଆନ୍‌ ବା ଦେଢ଼ ପାଉଣ୍ଡରେ ଚଳିବା ଆରମ୍ଭ କରିଥିଲେ। ତଥାପି ଏପରି ଚାଲିଲେ ଭବିଷ୍ୟତରେ ଘରଭଡ଼ା ଦେବା କଷ୍ଟକର ହୋଇପଡ଼ିଥାନ୍ତା।

Advertisment

publive-image Chinese life in tends

ଚାକିରି ଜୀବନ ପ୍ରତି ସାଂଘାତିକ ଭାବେ ବିମୁଖ ହୋଇଥିବା ଲି ଭଡ଼ାଘର ଛାଡ଼ି ବାହାରେ ଏକ ତମ୍ବୁ ଭିତରେ ରହିବାର ନିଷ୍ପତ୍ତି ନେଇଥିଲେ। ତେଣୁ ସେ ନିଜର ସମସ୍ତ ଆସବାବପତ୍ର ବିକି ଏକ ଶସ୍ତା ତମ୍ବୁ କିଣି ରହିବା ଆରମ୍ଭ କରିଥିଲେ। ତା’ରି ଭିତରେ ନିଜର ବଳକା ସଞ୍ଚିତ ଅର୍ଥକୁ ଅଳ୍ପ ଅଳ୍ପ ଖର୍ଚ୍ଚ କରି ବାକି ଜୀବନ ବିତାଇବେ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ନିକଟ ଭବିଷ୍ୟତରେ ସେ ଚାକିରି ପରି ଜୀବନର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମୂଷିକ ଦୌଡ଼ରେ ସାମିଲ ହେବାକୁ ମନା କରିଦେଇଛନ୍ତି। ଏବେ ଲି ନୁଡଲ୍‌ ପରି ଶସ୍ତା ଖାଦ୍ୟ ଖାଇ ଚଳୁଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ସ୍ବଭାବିକ ଜୀବନ ହୋଇ ନ ପାରେ। ତଥାପି ଲି ଶାନ୍ତିରେ ଅଛନ୍ତି ବୋଲି କହୁଛନ୍ତି।