ଚିତଉ ଅମାବାସ୍ୟା-ଗେଣ୍ଡେଇଶୁଣି ପୂଜା

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ଏହି ରାଜ୍ୟର ଅନେକ ଅଧିବାସୀ କୃଷି ଉପରେ ନିର୍ଭର କରନ୍ତି। ଫଳରେ ଏହି ରାଜ୍ୟରେ ଅନେକ କୃଷିଭିତ୍ତିକ ପର୍ବପର୍ବାଣି ପାଳିତ ହୋଇଥାଏ। ଉତ୍ତମ ଫସଲ ଅମଳ ପାଇଁ ଯେପରି ଧାନ୍ୟଲକ୍ଷ୍ମୀଙ୍କୁ ପୂଜନ କରାଯାଏ, ସେହିପରି କୃଷିକ୍ଷେତ୍ରକୁ ଅନିଷ୍ଟକାରୀ ଜୀବମାନଙ୍କ କବଳରୁ ରକ୍ଷା କରିବାପାଇଁ, ବିଭିନ୍ନ ପ୍ରକାରର ଭୋଗରାଗ ଦେଇ ସନ୍ତୁଷ୍ଟ କରିବାର ଚେଷ୍ଟା କରାହୋଇଥାଏ। ଏହି ପର୍ଯ୍ୟାୟରେ ଶ୍ରାବଣ ଅମାବାସ୍ୟାରେ ଗେଣ୍ଡାପାଇଁ ତିଆରି ହୁଏ ଏକ ସ୍ୱତନ୍ତ୍ର ପିଠା। ଏହାର ନାମ ଚିତଉପିଠା।

ଏହି ପିଠାର ପ୍ରସ୍ତୁତି ବିଧି ସଂପୂର୍ଣ୍ଣ ଭିନ୍ନ। ଏଥିରେ ତେଲ କିମ୍ବା ଘିଅର ପ୍ରୟୋଗ ହୁଏନାହିଁ। ଘରେ ସ୍ତ୍ରୀ ଲୋକମାନେ ଏକ ନୂଆ ପଲମରେ ନଡ଼ିଆ-ଚାଉଳବଟା ପକାଇ, ପଲମ ମୁହଁ ଢାଙ୍କି, ଛୋଟ ଛୋଟ ପିଠା ଗଢ଼ନ୍ତି। ଏହା ଓଲଟାଯାଏ ନାହିଁ। ପିଠା ହୋଇଗଲା ପରେ ଘରର ପୁରୁଷ ଲୋକମାନେ ଫୁଲ, ଚନ୍ଦନ, ଧୂପ ଓ ଦୀପ ସହିତ ପିଠାକୁ ନେଇ କ୍ଷେତରେ ଲକ୍ଷ୍ମୀଙ୍କୁ ପୂଜା କରି ସମର୍ପଣ କରନ୍ତି। ଏହା ସହିତ ବହୁ ପ୍ରାଚୀନ କାଳରୁ ଚଳି ଆସିଥିବା ଏକ ପ୍ରଥା ପାଳିତ ହୋଇଥାଏ। ଘରର ପିଲାଏ ଚିତଉ ପିଠା ନେଇ କ୍ଷେତ କିମ୍ବା ଗଡ଼ିଆ, ପୋଖରୀକୁ ଯାଇ, କୂଳରେ ଠିଆହୋଇ କହନ୍ତି, “ଗେଣ୍ଡେଇଶୁଣି, ଗେଣ୍ଡେଇଶୁଣି, ଚିତଉ ପିଠା ଖାଇ; ମୋ ବାପାଭାଇଙ୍କୁ କାଟିବୁ ନାଇଁ।” ଏହା କହି ସେହି ପିଠାକୁ ପୋଖରି ବା ବିଲ ବାଡ଼ିରେ ପକାଇଥାଆନ୍ତି।

ଗେଣ୍ଡା ଏକ ଉଭୟଚର ପ୍ରାଣୀ। ସାଧାରଣତଃ ଗେଣ୍ଡେଇ (ସ୍ତ୍ରୀ ଗେଣ୍ଡା) ବର୍ଷା କାଳରେ ଅଣ୍ଡା ପ୍ରଦାନ କରିଥାଏ। ତେଣୁ ସେ ତାର ଅଣ୍ଡାକୁ ଜଗି କାଦୁଅ ଭିତରେ ଲୁଚି ରହିଥାଏ। କୃଷକ ଖାଲି ପାଦରେ କ୍ଷେତରେ କାମ କଲାବେଳେ ଗେଣ୍ଡା ଉପରେ ପାଦ ପଡ଼ିଗଲେ ତାର ଶକ୍ତ ଓ ତୀକ୍ଷ୍‌ଣ ଖୋଳଧାରରେ ଗୋଡ଼ କଟି ଯାଇଥାଏ। ଏହାକୁ ଗେଣ୍ଡା କାଟି ଦେଲା ବୋଲି କହନ୍ତି। ଏହି ବିଶ୍ୱାସରେ ଘରେ ଚିତଉପିଠା ତିଆରି ହେଲେ, ମା’ମାନେ ପିଲାଙ୍କ ହାତରେ ଗେଣ୍ଡାପାଇଁ ଚିତଉପିଠା ଦେଇଥାନ୍ତି।

ଏହି ପରଂପରା କେଉଁ ଆଦିମ କାଳରୁ ଆମ ସମାଜରେ ଚଳି ଆସିଛି। ଗେଣ୍ଡା ଭକ୍ଷ ଅଭକ୍ଷ ସମସ୍ତ ପ୍ରକାର ଖାଦ୍ୟ ଖାଇଥାଏ। ପିଠା ଏକ ସ୍ୱାଦିଷ୍ଠ ଖାଦ୍ୟ। ଏହା ଖାଇଲା ପରେ ସେ ଆଉ ଗୋଡ଼ କାଟି ନଥାଏ ବୋଲି ବିଶ୍ୱାସ ରହିଛି।

ଡକ୍ଟର ତୁଳସୀ ଓଝା।

ସମ୍ବନ୍ଧିତ ଖବର