ଜୀବନଧାରଣ ପାଇଁ ମଣିଷ ପାଣି ପିଇବା ଏକ ସାଧାରଣ କଥା। କିନ୍ତୁ ପ୍ରତିଟି କଥାରେ ଫ୍ୟାସନ୍ ଚାହୁଥିବା ମଣିଷ ଏବେ ପାଣି ପାଇବା ପାଇଁ ହାତରେ ଫ୍ୟାସନେବୁଲ ବୋତଲଟିଏ ମଧ୍ୟ ଚାହୁଛି। ଏଣୁ ବିଭିନ୍ନ କମ୍ପାନି ଗ୍ରାହକଙ୍କୁ ଆକର୍ଷିତ କଲା ଭଳି ବୋତଲ ସବୁ ବଜାରକୁ ଛାଡ଼ୁଛନ୍ତି। ପୁରୁଣା ପରମ୍ପରାକୁ ଫେରି ମଣିଷ ଏବେ ଷ୍ଟାଇଲିସ୍ ମାଟି ପାଣି ବୋତଲ ସହ ଷ୍ଟେନ୍ଲେସ୍ ଥର୍ମୋ ଷ୍ଟିଲ ପାଣି ବୋତଲ ଓ ତମ୍ବା ବୋତଲ ବ୍ୟବହାର କରୁଛି। ଯାହାକି ପ୍ଲାଷ୍ଟିକ ବୋତଲ ଭଳି ଶରୀର ପାଇଁ ହାନିକାରକ ନୁହେଁ, ଓଲଟି ବିଭିନ୍ନ ପେଟ ରୋଗ ପାଇଁ ଲାଭକାରୀ। କିନ୍ତୁ କିଛି ବ୍ରାଣ୍ଡେଣ୍ଡ୍ କମ୍ପାନି କିଛି ବାଟ ଆଗକୁ ଯାଇ ତିଆରି କରିଛନ୍ତି ‘ସ୍ମାର୍ଟ ପାଣି ବୋତଲ’। ଏଥିରେ କେବଳ ଥଣ୍ଡା ବା ଗରମ ପାଣି ଲମ୍ବା ସମୟ ଧରି ନିଜ ତାପମାତ୍ରା ଧରି ରଖେନି, ଏହା ବୋତଲ ଭିତରେ ଥିବା ପାଣିର ତାପମାତ୍ରା ମଧ୍ୟ ଦର୍ଶାଇଥାଏ।
ବାପୁଜୀନଗର ସୁଧାକର ଇଲେକ୍ଟ୍ରିକାଲର ବ୍ୟବସାୟୀ କୁମାର ସୋମେଶ କହିଛନ୍ତି, ଏହି ବୋତଲ ଡବଲ ଲେୟାର ଷ୍ଟେନ୍ଲେସ୍ ଷ୍ଟିଲ୍ ହୋଇଥିବା ବେଳେ ଏହାର ଉପରି ଭାଗରେ ଏକ ଏଲଇଡି ସ୍କ୍ରିନ୍ ଲାଗିଥାଏ। ଏହି ସ୍କ୍ରିନ୍ରେ ବୋତଲ ନ ଖୋଲି ଜଣେ ବୋତଲ ଭିତରେ ଗରମ କି ଥଣ୍ଡା ପାଣି ରହିଛି, କିମ୍ବା ଏହାର ତାପମାତ୍ରା କେତେ ରହିଛି; ତାହା ଜାଣିହେବ। ଏ ପର୍ଯ୍ୟନ୍ତ ଅଳ୍ପ ଟଙ୍କାରେ ବ୍ରାଣ୍ଡେଡ୍ କମ୍ପାନିର ସ୍ମାର୍ଟ ପାଣି ବୋତଲ ରାଜଧାନୀ ବଜାରକୁ ଆସିନାହିଁ। ଏହା ପକେଟକୁ ସୁହାଇବା ଦାମ୍ରେ ଆମାଜନ, ଫ୍ଲିପ୍କାର୍ଟ ଭଳି ଅନ୍ଲାଇନ୍ ସପିଂ ସାଇଟ୍ରେ ଉପଲବ୍ଧ ରହୁଛି। ବଜାରରେ ଆସୁଥିବା ଲୋକାଲ କମ୍ପାନି ସ୍ମାର୍ଟ ପାଣି ବୋତଲ ବ୍ରାଣ୍ଡେ୍ଡ ନହେଲେ ମଧ୍ୟ ଭଲ ବିକ୍ରି ହେଉଥିବା ସେ କହିଛନ୍ତି। ବଜାରରରେ ଏହି ବୋତଲ ୩୦୦ରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ବ୍ରାଣ୍ଡ୍ର ଆଡଭାନ୍ସ ଫିଚର ଓ ଏଥିରେ କେତେ ପାଣି ରହିବ, ତାକୁ ନେଇ ଏହି ପାଣି ବୋତଲର ଦାମ୍ ରହିଛି। ଜେନେରିକ ପ୍ରଡକ୍ଟ, ଇନ୍କ୍ରିଜ୍ମା ଭଳି କମ୍ପାନି ଏହାକୁ ତିଆରି କରୁଥିବା ବେଳେ ଏବେ ଏକାଧିକ ଲୋକାଲ କମ୍ପାନି ମଧ୍ୟ ତିଆରି କଲେଣି। ବିଭିନ୍ନ ଅନ୍ଲାଇନ ସପିଂ ସାଇଟ୍, ସହରର ବିଭିନ୍ନ ମଲ୍ ଓ ୟୁନିଟ୍-୧ ହାଟରେ ଏହା ମିଳୁଛି। ଏଥିସହ ଯୁବପିଢ଼ିଙ୍କ ମଧ୍ୟରେ କଷ୍ଟମାଇଜ୍ଡ୍ ପାଣି ବୋତଲର ଚାହିଦା ମଧ୍ୟ ରହିଛି। ଏଥିରେ ନିଜ ନାମ ସହ ବିଭିନ୍ନ ଫଟୋ ଓ କଳାକୃତିକୁ ଖୋଦେଇ କରାଯାଇପାରୁଛି।