ପୁରୀ: ପଞ୍ଜିକାରେ ରକ୍ଷାବନ୍ଧନ ଓ ଗହ୍ମାପୂର୍ଣ୍ଣିମା ଭିନ୍ନ ଭିନ୍ନ ଦିନ ଉଲ୍ଲେଖ ଥିବାରୁ କେଉଁ ଦିନ ଲୋକେ ରାଖି ବାନ୍ଧିବେ, ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଉତ୍ତର ଭାରତର କିଛି ବ୍ୟକ୍ତିବିଶେଷ ୩୦ ତାରିଖ (ବୁଧବାର) ରାଖି ନ ବାନ୍ଧିବାକୁ କହୁଛନ୍ତି। କିନ୍ତୁ ପଞ୍ଜିକାରମାନେ ୩୦ତାରିଖକୁ ରକ୍ଷାବନ୍ଧନର ଦିନ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା ତଥା ଶ୍ରୀବଳଭଦ୍ର ଜନ୍ମ ୩୧ ତାରିଖ (ଗୁରୁବାର) ପାଳନ ହେଉଥିବାରୁ କିଛି ବ୍ୟକ୍ତି ଗୁରୁବାରକୁ ରାଖି ବନ୍ଧନର ଦିନ ବୋଲି କହୁଛନ୍ତି।
ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ଜ୍ୟୋତିର୍ବିଦ୍ ପଣ୍ଡିତ ପଦ୍ମନାଭ ତ୍ରିପାଠୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ଆଧାରରେ ଆମମାନଙ୍କର ପର୍ବପର୍ବାଣି ପାଳିତ ହୋଇଥାଏ। ମାତ୍ର ଚଳିତ ବର୍ଷର ପାଞ୍ଜିରେ ୩୦ ତାରିଖ, ବୁଧବାର ସକାଳେ ଚତୁର୍ଦ୍ଦଶୀ ରହୁଥିବାରୁ ସକାଳୁ ୧୧ଟା ୨୦ ପର୍ଯ୍ୟନ୍ତ ରାଖି ନ ବାନ୍ଧିବାକୁ ସେ କହିଛନ୍ତି। ତାଙ୍କ କହିବା ମୁତାବକ, ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ବୀକୃତ ରାଧାରମଣ ପଞ୍ଜିକା ମୁତାବକ, ରାଖି ପର୍ଯ୍ୟନ୍ତ ଚତୁର୍ଦ୍ଦଶୀ ରହୁଛି। କିଛି ପାଞ୍ଜିରେ ବୁଧବାର ଦିନ ପୂର୍ବାହ୍ନ ୧୦ଟା ୫୮ ଗତେ ପୂର୍ଣ୍ଣିମା ପ୍ରବେଶ କରୁଛି ବୋଲି ମଧ୍ୟ କୁହାଯାଉଛି। ତେଣୁ ଚତୁର୍ଦ୍ଦଶୀ ଥାଇ ରାଖି ନବାନ୍ଧି ପୂର୍ଣ୍ଣିମା ପ୍ରବେଶ ପରେ ଅର୍ଥାତ୍ ପୂର୍ବାହ୍ନ ୧୧ଟା ୨୨ପରେ ବାନ୍ଧିବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପଞ୍ଜିକାରେ ଥିବା ପାର୍ଥକ୍ୟ ସମ୍ବନ୍ଧରେ ସେ କହିଛନ୍ତି, ଯଦିଓ ଆମେମାନେ ମହାପ୍ରଭୁଙ୍କ ନୀତିକାନ୍ତି ମୁତାବକ ପର୍ବପର୍ବାଣି ପାଳନରେ ବିଶ୍ବାସ ରଖୁ, କିନ୍ତୁ ଶ୍ରୀମନ୍ଦିରରେ ଉଦୟକାଳୀନ ପର୍ବ ପାଳନ କରାଯାଏ। ୩୧ତାରିଖ ଗୁରୁବାର ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ପୂର୍ଣ୍ଣିମା ରହୁଥିଲେ ମଧ୍ୟ ଏହି ଦିନ ପ୍ରଭୁ ଶ୍ରୀବଳଭଦ୍ରଙ୍କ ଜନ୍ମଦିନ ଓ ଗହ୍ମାପୂର୍ଣ୍ଣିମା ପାଳନ କରାଯିବ। ମହାପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାଖି ଲାଗି ହେବ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର କିଛି ବ୍ୟକ୍ତିବିଶେଷ ସୋସିଆଲ ମିଡିଆରେ ନିଜର ଉପସ୍ଥିତି ଓ ମତ ଜାହିର କରିବା ଉଦ୍ଦେଶ୍ୟରେ କିଛି ଅମୂଳକ କଥା ଅପପ୍ରଚାର କରୁଛନ୍ତି। ତାହା ଗ୍ରହଣୀୟ ନୁହେଁ। ତେଣୁ ଲୋକେ ବୁଧବାର ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ ଗତେ ତଥା ୧୧ଟା ୨୨ ମିନିଟ୍ ପରେ ଶ୍ରୀବଳଦେବ ଜନ୍ମ, ରାଖି ବନ୍ଧନ, ଗୋ-ପୂଜନ, ଗହ୍ମା ପର୍ବ ଆଦି ପାଳନ କରିପାରିବେ। ଏ ସଂକ୍ରାନ୍ତରେ ସ୍ପଷ୍ଟ ହେବା ଲାଗି ଲୋକେ ପାଞ୍ଜି ଦେଖିପାରିବେ ବୋଲି ସେ କହିଛନ୍ତି।
ସେହିପରି ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା କହିଛନ୍ତି, ମହାପ୍ରଭୁ ଆମର ଆରାଧ୍ୟ। ପୁରୀରେ ଯେଉଁଦିନ ରଥଯାତ୍ରା ପାଳନ ହୁଏ, ସେଦିନକୁ ଯେପରି ଆମେ ରଥଯାତ୍ରା ବୋଲି ବିବେଚନା କରୁ, ସେହିପରି ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ ଦିନ ୩୧ ତାରିଖରେ ପାଳିତ ହେବାକୁ ଯାଉଥିବାରୁ ଉକ୍ତ ଦିନ ହିଁ ସମସ୍ତ ଓଡ଼ିଆ ରାଖି ବନ୍ଧା ପର୍ବ ପାଳନ କରିବା କଥା। ପଞ୍ଜିକାରେ ଦ୍ବିମତ ରହୁଥିବାରୁ ସାଧାରଣ ଜନତା ଦ୍ବନ୍ଦ୍ବରେ ପଡ଼ୁଛନ୍ତି ବୋଲି ସେ କହିଛନ୍ତି।