ଥରେ କୋଭିଡରୁ ସୁସ୍ଥ ହେବା ଅର୍ଥ ନୁହେଁ ଆପଣ ପୂରା ସୁରକ୍ଷିତ

କରୋନା ଭୂତାଣୁ ସିଧାସଳଖ ଫୁସଫୁସ୍‌କୁ ଆକ୍ରାନ୍ତ କରିଥାଏ। ଏଥିପାଇଁ ଯେଉଁ ସତର୍କତା କଥା ବାରମ୍ବାର କୁହାଯାଇ ଆସୁଛି, ତାହା ହେଉଛି ମାସ୍କ, ଦୂରତା ଓ ସାନିଟାଇଜର୍। ନିଶ୍ଚିତ ଭାବେ ଭଲ ମାସ୍କ ବ୍ୟବହାର କରନ୍ତୁ ଓ ୬ ଫୁଟର ଦୂରତା ରଖନ୍ତୁ। ଯାହା ଫଳରେ କାଶୁ ଥିବା, ଛିଙ୍କୁ ଥିବା ଲୋକର ଭୂତାଣୁ ଅନ୍ୟ ବ୍ୟକ୍ତିର ଫୁସଫୁସ ପର୍ଯ୍ୟନ୍ତ ପହଁଚି ପାରିବ ନାହିଁ। ବର୍ତ୍ତମାନର ତଥ୍ୟ ଅନୁଯାୟୀ ୮୦ପ୍ରତିଶତ କରୋନା ଆକ୍ରାନ୍ତଙ୍କ ପାଖରେ ସ୍ୱାଭାବିକ ଥଣ୍ଡା, କାଶ, ଜ୍ଵର, କଫ ଆଦି ଲକ୍ଷଣ ଦେଖାଯାଉଛି। ୧୫ ପ୍ରତିଶତଙ୍କ ପାଖରେ ଅକ୍ସିଜେନ ଅଭାବ ଓ ୫ ପ୍ରତିଶତ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ପଡୁଛି। ଥଣ୍ଡାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କାଶିବା, ଛିଙ୍କିବା ସମୟରେ ପାଟିରେ ହାତ ଦିଅନ୍ତୁ। ଘରେ ହିଁ ରହନ୍ତୁ ଏବଂ ବାହାରେ ଅଯଥାରେ ବୁଲନ୍ତୁ ନାହିଁ। ସପିଙ୍ଗ ମଲ, ଧାର୍ମିକସ୍ଥଳ, ଗହଳି ଅଥବା ଭିଡ଼ ସ୍ଥାନରୁ ନିଜକୁ ଦୂରେଇ ରଖନ୍ତୁ। ଅତି ଆବଶ୍ୟକ ନଥିଲେ ଲିଫ୍ଟ ବ୍ୟବହାର କରନ୍ତୁ ନାହିଁ। ସିଡିରେ ଯିବା ସୁରକ୍ଷିତ। କିନ୍ତୁ ସିଡିରେ ଯିବା ସମୟରେ ବି ସାମାଜିକ ଦୂରତା ନିୟମ ପାଳନ କରନ୍ତୁ। ହାତକୁ ସାନିଟାଇଜ କରନ୍ତୁ। ଯଦି ଲିଫ୍ଟରେ ଏକାଧିକ ବ୍ୟକ୍ତି ଏକା ସହିତ ଯାଉଛନ୍ତି ତେବେ ସେଭଳି ସମୟରେ ନିଜକୁ ଦୂରେଇ ରଖନ୍ତୁ।

କରୋନା ଏକ ଶ୍ୱାସ ଜନିତ ରୋଗ। ଥଣ୍ଡା, କାଶ, କଫ, ଜ୍ଵର ଆଦି ଲକ୍ଷଣ ସହିତ ଅନେକଙ୍କ କ୍ଷେତ୍ରରେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା, ଚାଲିବା ସମୟରେ ଧଇଁସଇଁ ଲାଗିବା, ଛାତି ଚୋକ୍‌ ହେବ ଭଳି ଅନୁଭବ କରିବା, ଅତ୍ୟଧିକ ଦୁର୍ବଳ ଲାଗିବା, ପତଳା ଝାଡା ହେବା, ବାତ ମାରିବା ଓ ଚେତା ଶୂନ୍ୟ ହୋଇପଡିବା ଆଦି ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ଲକ୍ଷଣ ଅଧିକ ମାତ୍ରାରେ ବଢ଼ିଗଲେ ରୋଗୀ ଶରୀରରେ ଅକ୍ସିଜେନର ମାତ୍ରା କମିଯାଏ। ଅକ୍ସିଜେନର ସ୍ଥିତି ଶରୀରର ପ୍ରତି ଶିରାପ୍ରଶିରାରେ ଅତ୍ୟନ୍ତ ଜରୁରୀ ଥିବା ବେଳେ ଏହାର ମାତ୍ରା କମିଗଲେ ବା ଶରୀରରେ ଅକ୍ସିଜେନର ଅଭାବ ହେଲେ (ହାର୍ଟ, କିଡନି, ଲିଭର, ମସ୍ତିଷ୍କ, ଫୁସଫୁସ) ସବୁ ଅଙ୍ଗ ପ୍ରଭାବିତ ହୋଇ ମଲ୍ଟି ଅର୍ଗାନ ଫେଲୁଅରର ରୂପ ନେଇପାରେ। ଅଳ୍ପକିଛି ରୋଗୀଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଅସ୍ୱାଭାବିକ ଭାବେ କମିଯାଇ ‘ସାଇଟୋକାଇନ ଷ୍ଟର୍ମ’ ଲକ୍ଷଣ ଦେଖାଯାଏ। ଯାହା ଫଳରେ ୨୪ ଘଣ୍ଟା ମଧ୍ୟରେ ରୋଗୀର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ବା ମଲ୍ଟି ଅର୍ଗାନ ଫେଲୁଅର ହୋଇଯାଏ ଓ ରୋଗୀକୁ ଭେଣ୍ଟିଲେଟରର ଆବଶ୍ୟକତା ପଡିଥାଏ।

କୋଭିଡର ପ୍ରଥମ ଚିକିତ୍ସା ହେଉଛି ଅକ୍ସିଜେନ ଅଭାବ ଓ ଏହାର ମାତ୍ରାକୁ ନିୟନ୍ତ୍ରଣ କରିବା। ଦ୍ବିତୀୟ ଚିକିତ୍ସା ହେଉଛି ନୂଆ ପ୍ରକାର ଆଣ୍ଟିଭାଇରାଲ ମେଡିସିନ ଦିଆଯିବା। ଷ୍ଟେରଏଡ ଓ ରକ୍ତ ପତଳା କରିବା ପାଇଁ ମଧ୍ୟ ଚିକିତ୍ସା କରାଯାଏ। କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ରହିଥାଏ। ତେଣୁ ବିନା ଡାକ୍ତରଙ୍କ ପରାମର୍ଶରେ ଏହାକୁ ବ୍ୟବହାର କରନ୍ତୁ ନାହିଁ। ମନଇଚ୍ଛା କୌଣସି ମେଡିସିନ ବ୍ୟବହାର କରନ୍ତୁ ନାହିଁ। ତାହା ଅନେକ ସମୟରେ ଘାତକ ସାଜିପାରେ। ଯେଉଁ ଆକ୍ରାନ୍ତମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଥାଏ, ସୁସ୍ଥ ହେବାପରେ ବା କୋଭିଡ ପରବର୍ତ୍ତୀ ସମୟରେ ସେମାନଙ୍କ ଠାରେ ସେଭଳି କୌଣସି ଅସୁବିଧା ପ୍ରାୟତଃ ଦେଖାଯାଏ ନାହିଁ। କିନ୍ତୁ ଯେଉଁ ମାନଙ୍କୁ ଅକ୍ସିଜେନ ବା ଭେଣ୍ଟିଲେଟର ଚିକିତ୍ସା ସମୟରେ ଦରକାର ପଡିଥାଏ, ସେମାନଙ୍କ ପାଖରେ ପୋଷ୍ଟ କୋଭିଡ ସମସ୍ୟା ଓ ବିଭିନ୍ନ ଲକ୍ଷଣ ଦେଖାଯାଏ। ଯେପରି କି ଦୁର୍ବଳ ଲାଗିବା, ଦୀର୍ଘ ଦିନ ଧରି ଚାଲିବା ସମୟରେ, ନିଶ୍ଵାସ ନେବାରେ ଅସୁବିଧା ହେବା, ଧଇଁସଇଁ ହେବା, ବିନା କାରଣରେ ସାମାନ୍ୟ ଜ୍ଵର ହେବା ଭଳି ଅନୁଭବ ହେବା, ହାର୍ଟ ବିଟ୍‌ ବଢିକି ରହିବା, ଖାଇବା ପାଇଁ ଇଚ୍ଛା ନହେବା, ଭୋକ ନ ଲାଗିବା, ଝାଡା ସଫା ନହେବା ଭଳି ସମସ୍ୟା ଉପୁଜିଥାଏ। କରୋନାରୁ ସୁସ୍ଥ ହୋଇ ଘରକୁ ଯିବାର ୧୦ ଦିନ ପରେ ପୁଣି ଥରେ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ। ଯେଉଁ ମାନଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ଲିଭର ଭଳି ବିଭିନ୍ନ ରୋଗ ରହିଥାଏ, ସେଭଳି କ୍ଷେତ୍ରରେ ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହୋଇପଡେ। ଥରେ କୋଭିଡରୁ ସୁସ୍ଥ ହେବାର ଅର୍ଥ ନୁହେଁ ଆପଣ ପୁରା ସୁରକ୍ଷିତ। ସବୁବେଳେ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ନିଶ୍ଚିତ ମାନନ୍ତୁ। ସତର୍କତା ନ ମାନିଲେ ପୁଣି ବିପଦ ମାଡି ବସିବ।
(ଅବଶିଷ୍ଟାଂଶ ପ୍ରକାଶ ପାଇବ ଆସନ୍ତା ଗୁରୁବାର)

ସମ୍ବନ୍ଧିତ ଖବର