କରୋନା ଓ ସିଜିନାଲ୍ ଇନଫ୍ଲୁଏନ୍‌ଜା

ଶୀତଋତୁରେ କେତେକ ସ୍ଥାନରେ କରୋନା ତାର କାୟାବିସ୍ତାର କରିବାରେ ଲାଗିଛି। ଆମର ଶତଚେଷ୍ଟା ପରେ ବି ଆମେ କରୋନା ମହାମାରୀର ଚକ୍ରବ୍ୟୁହରୁ ମୁକୁଳି ପାରୁନାହାନ୍ତି। ବିଶ୍ବର ବିଭିନ୍ନ ଦେଶ ଓ ଭାରତ କରୋନା ଟିକାର ଗବେଷଣାରେ ଓ ଏହା କିପରି ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ ସେଥିପାଇଁ କାର୍ଯ୍ୟରତ। ଏସବୁ ସତ୍ତ୍ବେ ଆମକୁ କରୋନା ସହିତ ଅନ୍ୟ ରୋଗ ଯେମିତିକି ସିଜିନାଲ ଇନ୍‌ଫ୍ଲୁଏନ୍‌ଜା ବା ଫ୍ଲୁ, ଯାହାକି ଶୀତଋତୁରେ ଶିଶୁମାନଙ୍କୁ ଅଧିକ ହେବାର ସମ୍ଭାବନା ରହିଥାଏ, ସେଥିରୁ ନିଜର ଶିଶୁମାନଙ୍କୁ ସୁରକ୍ଷିତ ରଖିବା ଅପରିହାର୍ଯ୍ୟ। ଏହି ପରି‌େପ୍ରକ୍ଷୀ‌େର ଆମକୁ କୋଭିଡ୍‌-୧୯ ଓ ଇନ୍‌ଫ୍ଲୁଏନ୍‌ଜା ରୋଗର କଣ ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ରହିଛି ସେ ସଂପର୍କରେ ଜାଣିବା ଅତ୍ୟନ୍ତ ଆବଶ୍ୟକ।

କୋଭିଡ୍‌-୧୯ ବା କରୋନା ଭାଇରସ୍‌ ଓ ସିଜିନାଲ ଇନ୍‌ଫ୍ଲୁଏନ୍‌ଜା ଦୁଇଟି ହେଉଛନ୍ତି ଭୂତାଣୁ ଜନିତ ରୋଗ। ଏହି ଦୁଇଟି ଭୂତାଣୁ ରୋଗୀର ଶ୍ବାସନଳୀ ଏବଂ  ଫୁସଫୁସକୁ ସଂକ୍ରମିତ କରିଥାନ୍ତି। ଏଥିରେ ରୋଗୀ ଲକ୍ଷଣବିହୀନ ହେବାଠାରୁ ଆରମ୍ଭ କରି କମ୍‌ ଲକ୍ଷଣ ଏବଂ ଗୁରୁତର ମଧ୍ୟ ହୋଇପାରନ୍ତି। ଏହି ଭୂତାଣୁ ରୋଗୀଦ୍ବାରା ବ୍ୟବହୃତ ସାମଗ୍ରୀ ଦ୍ବାରା ଅନ୍ୟ ବ୍ୟକ୍ତି ବା ଶିଶୁକୁ ବ୍ୟାପିଥାଏ। ସେଥିପାଇଁ ଆମକୁ ହାତ ଧୋଇବା, ମାସ୍କ ବ୍ୟବହାର କରିବା ଇତ୍ୟାଦିକୁ ଗୁରୁତ୍ବର ସହ ପାଳନ କରିବା ଦରକାର। ବର୍ତ୍ତମାନ ସମୟରେ (କରୋନା ମହାମାରୀର ଭୟାବହତାକୁ ଦେଖି) ଆମେ କୋଭିଡ୍‌-୧୯କୁ ସିଜିନାଲ ଇନ୍‌ଫ୍ଲୁଏନ୍‌ଜା ସହ ତୁଳନା କରି ଏହାକୁ ସାମାନ୍ୟ ଭାବିନେବା ଯୁକ୍ତିଯୁକ୍ତ ହେବନାହିଁ। ଏହାର ବହୁତ କାରଣ ରହିଛି।

ସଂକ୍ରମଣର କ୍ଷିପ୍ରତା : ରୋଗୀ ସଂକ୍ରମଣ ହେବାଠାରୁ ଲକ୍ଷଣ ପ୍ରକାଶ ପାଇବାର ସମୟ ଏବଂ ଗୋଟିଏ ଲୋକରୁ ଦ୍ବିତୀୟ ଲୋକ ସଂକ୍ରମିତ ହେବା ପାଇଁ ୩ ଦିନ ସମୟ ନେଇଥାଏ। ୫ରୁ ୬ଦିନ ମଧ୍ୟରେ ଏହାର କ୍ଷିପ୍ରତା ଦର୍ଶାଏ ଯେ, ଇନ୍‌ଫ୍ଲୁଏନ୍‌ଜା କୋଭିଡ୍‌ -୧୯ ତୁଳନାରେ ଗୋଟିଏ ଲୋକରୁ ଅନ୍ୟକୁ ଶୀଘ୍ର ବ୍ୟାପିଥାଏ। କିନ୍ତୁ କୋଭିଡ୍‌ – ୧୯ ଗୋଟିଏ ସଂକ୍ରମିତ ରୋଗୀରୁ ଅନ୍ୟକୁ ଇନ୍‌ଫ୍ଲୁଏନ୍‌ଜାଠାରୁ ଅଧିକ ସଂଖ୍ୟାରେ ସଂକ୍ରମିତ କରୁଥିବାରୁ କୋଭିଡ୍‌-୧୯ର ଭୟବହତା ଅଧିକ। ଇନ୍‌ଫ୍ଲୁଏନ୍‌ଜା ଆମ ସମାଜରେ ବେଶୀ ଛୋଟପିଲାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ଏବଂ ଶିଶୁମାନେ ଏହି ରୋଗ ଦ୍ବାରା ସଂକ୍ରମିତ ହୋଇ ଅନ୍ୟ ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ ସଂକ୍ରମିତ କରିଥାନ୍ତି। କିନ୍ତୁ ଏହି କରୋନା ମହାମାରୀ ସମୟରେ ହେଉଥିବା ଗବେଷଣାକୁ ଜଣାଯାଇଛି ଯେ କୋଭିଡ୍‌-୧୯, ୦-୧୯ ବର୍ଷ ବୟସ ପିଲାମାନଙ୍କ କ୍ଷେତ୍ରରେ କମ୍‌ ହୋଇଥାଏ ଓ ମୃତ୍ୟୁହାର ମଧ୍ୟ ଏହି ପିଲାମାନଙ୍କ କ୍ଷେତ୍ରରେ କମ୍‌। କିଛି ଗବେଷଣାରୁ ଜଣାଯାଇଛି ଯେ ଅନେକାଂଶରେ ଶିଶୁମାନେ ବୟସ୍କ ବ୍ୟକ୍ତିମାନଙ୍କ ଠାରୁ ସଂକ୍ରମିତ ହୋଇଥାନ୍ତି।

ବିଭିନ୍ନ ତଥ୍ୟ ଅନୁଯାୟୀ ଦେଖାଯାଉଛି ଯେ, କୋଭିଡ୍‌-୧୯ ଦ୍ବାରା ପ୍ରଭାବିତ ରୋଗୀମାନଙ୍କ କ୍ଷେତ୍ରରେ ୮୦ ପ୍ରତିଶତ କମ୍‌ ଲକ୍ଷଣ ବା ଲକ୍ଷଣ ବିହୀନ, ୧୫ ପ୍ରତିଶତ ଗୁରୁତର, ଯେଉଁମାନଙ୍କୁ (ଅକ୍ସିଜେନର ଆବଶ୍ୟକତା) ପଡିଥାଏ ଓ ୫ ପ୍ରତିଶତ ଅତି ଗୁରୁତର ଯେଉଁମାନଙ୍କୁ ଭେଣ୍ଟିଲେଟର ଆବଶ୍ୟକ ପଡୁଛି। ଇନ୍‌ଫ୍ଲୁଏନ୍‌ଜା ରୋଗଦ୍ବାରା ଗୁରୁତରଭାବେ ପ୍ରଭାବିତ ହେବାର ସମ୍ଭାବନା ଛୋଟପିଲା, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି ଓ ଅନ୍ୟ କ୍ରୋନିକ୍‌ ରୋଗରେ ପୀଡିତ ରୋଗୀମାନଙ୍କ କ୍ଷେତ୍ରରେ ଦେଖାଯାଏ। କିନ୍ତୁ କୋଭିଡ୍‌ -୧୯ରେ ଶିଶୁମାନେ ବେଶୀ ପ୍ରଭାବିତ ହୋଇନଥାନ୍ତି। ଦୁଇଟି ରୋଗକୁ ତୁଳନା କ‌ଲେ ଇନ୍‌ଫ୍ଲୁଏନ୍‌ଜା ଅପେକ୍ଷା କୋଭିଡ୍‌-୧୯ରେ ମୃତ୍ୟୁହାର ବହୁ ଅଧିକ।

କୋଭିଡ୍‌ -୧୯ ମହାମାରୀକୁ ସିଜିନାଲ ଇନ୍‌ଫ୍ଲୁଏନ୍‌ଜା ଭାବିବା ନିଜ ପାଇଁ ଓ ସମାଜ ପାଇଁ ମଧ୍ୟ କ୍ଷତିକାରକ। ସବୁଠାରୁ ବଡ ସମସ୍ୟା‌ ହେଉଛି ଯେ ଇନ୍‌ଫ୍ଲୁଏନ୍‌ଜାର ଚିକିତ୍ସା ପାଇଁ ଆମ ପାଖରେ ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ ଓ ଏହାକୁ ପ୍ରତିରୋଧ କରିବା ପାଇଁ ଟିକା ମଧ୍ୟ ଅଛି। କିନ୍ତୁ କୋଭିଡ୍‌-୧୯ ପାଇଁ ଏପର୍ଯ୍ୟନ୍ତ ଆମ ପାଖରେ ସଫଳ ଅଥବା ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ ନାହିଁ। ଟିକା ବି ଉପଲବ୍ଧ ହୋଇନାହିଁ। ତେଣୁ ପିଲାଙ୍କୁ କୋଭିଡ୍‌-୧୯ରୁ ରକ୍ଷା କରିବାକୁ ହେଲେ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ଇତ୍ୟାଦି ଅବଲମ୍ବନ ନିହାତି ଜରୁରି। ସବୁଠାରୁ ବଡ କଥା ହେଉଛି ଇନ୍‌ଫ୍ଲୁଏନ୍‌ଜା ଭେକ୍‌ସିନ୍‌, କୋଭିଡ୍‌ -୧୯କୁ ପ୍ରତିରୋଧ କରେ ନାହିଁ। ତେବେ ବର୍ତ୍ତମାନ ଶୀତଋତୁ ଆରମ୍ଭ ହୋଇଥିବାରୁ ଛୋଟ ପିଲାଙ୍କୁ ସିଜିନାଲ ଇନ୍‌ଫ୍ଲୁଏନ୍‌ଜାରୁ ରକ୍ଷା କରିବା ପାଇଁ ଟିକାକରଣ ଆବଶ୍ୟକ।

ସମ୍ବନ୍ଧିତ ଖବର