ଏମିତି ଚା’! ପତି କେ.ଜି. ୧ କୋଟି ୪୦ ଲକ୍ଷ ୪୭ ହଜାର

ଦୁନିଆଁର ସବୁଠୁ ଦାମୀ ଚା । ଗୋଟେ କପ୍ ଚା’ର ଦାମ ୨ ଲକ୍ଷ ୭୨ ହଜାର ୬୦୦ ଟଙ୍କା । ଏହି ଚା’ ପତିର ଦାମ ଶୁଣିଲେ ଆପଣ ତାଜୁବ ହୋଇଯିବେ । କେଉଁଠି ଚାଷ ହୁଏ ଏହି ଦାମୀ ଚା? କାହିଁକି ଏହାର ଦାମ ଏତେ ଅଧିକ ଆସନ୍ତୁ ଜାଣିବା ।

ଓଲଙ୍ଗ ରକ୍ ଟି । କେଜି ପ୍ରତି ଦାମ ୧୮୪ ହଜାର ଡଲାର ବା ୧ କୋଟି ୪୦ ଲକ୍ଷ ୪୭ ହଜାର ଟଙ୍କ।। ଚୀନର ଫୁଜିଆନ ପ୍ରଦେଶର ଉୟି ପର୍ବତମାଳାରେ ଏହି ଦାମୀ ଓଲଙ୍ଗ ରକ୍ ଟି ଚାଷ ହୋଇଥାଏ । ତେବେ କାହିଁକି ଏହି ଚା’ର ଦାମ ଏତେ ଅଧିକ । ସାଧାରଣ ଚା’ ପତିର ଦାମ କେଇ ଶହ ଟଙ୍କା ହେଉଥିବା ବେଳେ ଏହାର ମୂଲ୍ୟ ଏତେ ଅଧିକ କାହିଁକି ?

କାରଣ ହେଉଛି ଏହି ଚା’ ଗଛ ସ୍ୱତନ୍ତ୍ର । ଏହା କେବଳ ଚୀନର ଉୟି ପର୍ବତମାଳାରେ ଦେଖିବାକୁ ମିଳିଥାଏ । ପଥର ଉପରେ ଏହି ଚା’ ଗଛ ଚାଷ ହେଉଥିବାରୁ ଏହାକୁ ରକ୍ ଟି ବା ପଥର ଚା’ କୁହାଯାଏ ।
ରେଷ୍ଟୁରାଂଟରେ ଏହି ଚା’ କପର ଦାମ ୨ ଲକ୍ଷ ୭୨ ହଜାର ୬୦୦ ଟଙ୍କା ରହିଛି । ଆଗ କାଳରେ ଏହି ଦାମୀ ଚା’ କେବଳ ସମ୍ରାଟମାନଙ୍କ ପାଇଁ ସଂରକ୍ଷିତ ରଖାଯାଉଥିଲା । ୨୦୦୯ ମସିହାରେ ଜିଆନ୍ ରେ ମାତ୍ର ଶହେ ଗ୍ରାମ ରକ୍ ଟି ୨୩ ଲକ୍ଷ ୮୪ ହଜାର ଟଙ୍କାରେ ନିଲାମ ହୋଇଥିଲା । ସେହିପରି ଗତ ଡିସେମ୍ବର ମାସରେ ହଂକଂରେ ମାତ୍ର ୩୩୦ ଗ୍ରାମ ଚା ପତ୍ର ୫୪ ଲକ୍ଷ ୫୮ ହଜାର ଟଙ୍କାରେ ବିକ୍ରି ହୋଇଥିଲା ।

ଚୀନରେ ସାଧାରଣତଃ ୬ ପ୍ରକାରର ମୁଖ୍ୟ ଚା ଦେଖିବାକୁ ମିଳିଥାଏ । ସେସବୁ ହେଉଛି ଗ୍ରୀନ, ହ୍ୱାଇଟ୍‌, ୟେଲୋ, ଓଲଙ୍ଗ, ବ୍ଲାକ ଓ ଡାର୍କ ଟି । କେଉଁ ସ୍ଥାନରେ ଏହା ଚାଷ ହେଉଛି ଏବଂ ଚା ପତ୍ରକୁ ପ୍ରୋସେସ୍ କରିବା ଅନୁସାରେ ଏସବୁର ବିଭାଗୀକରଣ ହୋଇଥାଏ ।
ରକ୍ ଟି ଗଛ ସାଧାରଣତଃ ପ୍ରାକୃତିକ ଉପାୟରେ ବଢିଥାଏ । ଏହି ଗଛରେ କୌଣସି କେମିକାଲ ଦିଆଯାଇନଥାଏ । ଏହି ପ୍ରଜାତିର ଗୋଟିଏ ଗୋଟିଏ ଗଛ ୪ ଶହ ବର୍ଷରୁ ଅଧିକ ସମୟ ଧରି ରହିଛି । ଏହି ରକ୍ ଟି ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଉପକାରୀ ।

ସମ୍ବନ୍ଧିତ ଖବର