ନିଦ ନ ଆସୁଥିଲେ…

ସନ୍ତୁଳିତ ଖାଦ୍ୟ ଖାଇବା ଓ ନିୟମିତ ପରିଶ୍ରମ କରିବା ପରି ପ୍ରତ୍ୟହ ଭଲରେ ନିଦ୍ରା ଯିବା ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଓ ନିର୍ଦ୍ଦିଷ୍ଟ ସମୟରେ ଉଠିବା ହିଁ ଉନ୍ନତ ନିଦର ଲକ୍ଷଣ। ଭଲରେ ନିଦ ନହେଲେ କୌଣସି କାମରେ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ସମସ୍ୟା ହୋଇଥାଏ, କ୍ରୋଧ ଓ ମାନସିକ ଚାପ ବଢ଼ିଯାଇଥାଏ। ଦୁର୍ବଳ ନିଦ ସ୍ମରଣ ଶକ୍ତି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ। ଉଲ୍ଲେଖଯୋଗ୍ୟ, ଶରୀରର ଆଭ୍ୟନ୍ତରୀଣ ଘଣ୍ଟା ବା ‘ସିର୍କାଡିଆନ୍‌ କ୍ଲକ୍‌’ରେ ବ୍ୟତିକ୍ରମ ଦେଖାଗଲେ ଏପରି ହୋଇଥାଏ ଏବଂ ତାହା ନାନା ପ୍ରକାର ଶାରୀରିକ ବ୍ୟତିକ୍ରମକୁ ଆମନ୍ତ୍ରଣ କରିଥାଏ। କିପରି ଭଲରେ ନିଦ୍ରା ଯାଇ ଏହି ଶରୀର ଘଣ୍ଟାକୁ ଯଥାସାଧ୍ୟ ଧାରାରେ ପକାଯାଇପାରିବ ସେ ବାବଦରେ ବିଶେଷଜ୍ଞଙ୍କର କିଛି ପରାମର୍ଶ ବିଷୟରେ ଆଲୋଚନା କରିବା।

ଭଲରେ ନିଦ ନହେଲେ କୌଣସି କାମରେ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ସମସ୍ୟା ହୋଇଥାଏ, କ୍ରୋଧ ଓ ମାନସିକ ଚାପ ବଢ଼ିଯାଇଥାଏ। ଦୁର୍ବଳ ନିଦ ସ୍ମରଣ ଶକ୍ତି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ।

ପ୍ରଥମତଃ ଏକ ଶାନ୍ତ, ଝାପ୍‌ସା ଅନ୍ଧାର ତଥା ଥଣ୍ଡା ପରିବେଶ ସଂପନ୍ନ ଶୋଇବା ଘର ହିଁ ନିଦ୍ରାରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ। ନିଦ ପାଇଁ ଦାୟୀ ମେଲାଟୋନିନ୍‌ ନାମକ ହର୍ମୋନ୍‌ର କ୍ଷରଣ ନୀଳ ଆଲୋକ ଦ୍ବାରା ପ୍ରଭାବିତ ହେଉଥିବା ଜଣାଯାଇଛି। ତେଣୁ ଶୋଇବା ପୂର୍ବରୁ ଟିଭି, ଫୋନ୍‌ ଦେଖିବା ଅନୁଚିତ। ଶାରୀରିକ ବ୍ୟାୟାମ ବା ପରିଶ୍ରମ ମଧ୍ୟ ଭଲ ନିଦ ସୃଷ୍ଟିରେ ସହାୟକ ହୋଇଥାଏ। ମାତ୍ର ଶୋଇବାର ଠିକ୍‌ ପୂର୍ବରୁ କୌଣସି ପ୍ରକାର ବ୍ୟାୟାମ କରିବା ଆଦୌ ଗ୍ରହଣୀୟ ନୁହେଁ। ସେହିପରି ଶୋଇବା ପୂର୍ବରୁ ଭାରୀ ଭୋଜନ, କ୍ୟାଫିନ୍‌ କି ମଦ୍ୟପାନ ମଧ୍ୟ ନିଦ୍ରା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ମଦ୍ୟପାନ ପରେ ନିଦ ଆସିଲେ ମଧ୍ୟ ତାହା ଉନ୍ନତ ନିଦ୍ରା ପଦବାଚ୍ୟ ନୁହେଁ। ସେହିପରି ନିଦ ନ ଆସୁଥିଲେ ନିଜକୁ ଭଲ ଲାଗୁଥିବା ସଂଗୀତ ଶ୍ରବଣ କଲେ ମଧ୍ୟ ଭଲ ନିଦ ଆସିଥାଏ।

ସମ୍ବନ୍ଧିତ ଖବର