କୋଭିଡ୍‌ରେ ଫ୍ୟାମିଲି ଡାକ୍ତରଙ୍କ ପାଇଁ ହସ୍ପିଟାଲ ଆଡମିସନ୍ କମ୍ ରହିଥିଲା : ଡା.ରମାକାନ୍ତ

କୋଭିଡ ସମୟରେ ଫ୍ୟାମିଲି ଡାକ୍ତରଙ୍କ ବଡ଼ ଭୂମିକା ରହିଥିଲା। ଫ୍ୟାମିଲି ଡାକ୍ତରଙ୍କ ପାଇଁ କୋଭିଡରେ ଆକ୍ରାନ୍ତ ମାତ୍ର ୫ ପ୍ରତିଶତ ଡାକ୍ତର ହସ୍ପିଟାଲରେ ଭର୍ତି ହୋଇଥିଲେ। ଅନ୍ୟ ୯୫ ପ୍ରତିଶତ ରୋଗୀଙ୍କୁ ଘରେ ଚିକିତ୍ସା କରାଯାଇଥିଲା। ଏଥିରେ ରୋଗୀ-ଡାକ୍ତର ଭିତରେ ସଂପର୍କ ବୃଦ୍ଧି ହେବା ସହିତ ରୋଗୀଙ୍କ ପୁରୁଣା ରୋଗ ସଂପର୍କରେ ଜାଣିଥିବାରୁ ବ୍ୟକ୍ତିଗତ ଭାବେ ସେମାନଙ୍କୁ ଚିକିତ୍ସା କରିଥିଲେ। ଡିସଚାର୍ଜ ପରବର୍ତୀ ଚିକିତ୍ସା ମଧ୍ୟ ଘରେ ହୋଇପାରିଥିଲା ବୋଲି କହିଛନ୍ତି ମୁମ୍ବାଇସ୍ଥିତ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ ଡା.ରମାକାନ୍ତ ପଣ୍ଡା।

ଡା.ପଣ୍ଡାଙ୍କ ମତରେ ଫ୍ୟାମିଲି ଡାକ୍ତର ପ୍ରଥା ଭାରତରେ ପୁରାତନ। ରୋଗୀଙ୍କଠାରେ ହେଉଥିବା ସାଧାରଣ ରୋଗର ପରିଚାଳନାଠାରୁ ଆରମ୍ଭ କରି ରୋଗର ଜଟିଳତା ଚିହ୍ନି ପାରିଥାନ୍ତି। ନିୟମିତ ଚେକ୍‌-ଅପ୍, ପିଲାଙ୍କ ପରିଦର୍ଶନ, ଟିକାକରଣ, ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ରୋଗ ସଂପର୍କରେ ସେମାନଙ୍କର ଧାରଣା ରହିଥାଏ। ସେମାନେ ରୋଗୀଙ୍କୁ କଦାପି ଦୂରେଇ ଦିଅନ୍ତି ନାହିଁ। ସବୁ ବର୍ଗର ରୋଗୀଙ୍କ ଚିକିତ୍ସା କରିବା ସହିତ ରୋଗର ପ୍ରାରମ୍ଭିକ ଲକ୍ଷଣରୁ ହିଁ ଚିହ୍ନଟ କରିଥାନ୍ତି। ସ୍ବାସ୍ଥ୍ୟକୁ ପ୍ରୋତ୍ସାହନ ଓ ରୋଗ ନିରାକରଣ ଦିଗରେ ସେମାନଙ୍କର ବଡ଼ ଭୂମିକା ରହିଛି। ମଦ୍ୟପାନ, ଧୂମପାନ, ପରିବାର ନିୟୋଜନର ଆବଶ୍ୟକତା ଓ ଜେନେଟିକ୍ ଲାଇନ୍‌ରେ ଆସିଥିବା ଥିବା ପ୍ରବୃତ୍ତି ସଂପର୍କରେ ପରାମର୍ଶ ଦେଇଥାନ୍ତି। ଫ୍ୟାମିଲି ଡାକ୍ତର ଅନ୍ୟ ବିଶେଷଜ୍ଞ ଓ ବିଶ୍ବସ୍ତ ଡାକ୍ତରଙ୍କ ସହିତ ଏକ ନେଟୱାର୍କ ବଜାୟ ରଖିଥାନ୍ତି। ପରସ୍ପର ଭିତରେ ଥିବା ବିଶ୍ବାସ ଓ ରୋଗ ଭଲ ହେବାର ସଫଳତା ଉପରେ ଏହି ନେଟୱାର୍କ କାର୍ଯ୍ୟ କରିଥାଏ।

ଛୋଟ ବେଳେ ଓଡ଼ିଶାରେ ରହିବା ବେଳେ ଆମ ପରିବାର ଫ୍ୟାମିଲି ଡାକ୍ତରଙ୍କୁ ଭଗବାନ ଭାବେ ବିବେଚନା କରୁଥିଲା। ଆମ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସ୍ବାସ୍ଥ୍ୟ ବିଷୟରେ ସେ ଅବଗତ ଥାନ୍ତି। ଘନିଷ୍ଠତା ଏଭଳି ଯେ ଜନ୍ମ ଦିନ, ପୂଜାଠାରୁ ଆରମ୍ଭ କରି ଯେ କୌଣସି ପାରିବାରିକ ଉତ୍ସବରେ ନିଶ୍ଚୟ ଆମନ୍ତ୍ରିତ ହୁଅନ୍ତି। ଏଭଳି ବିଶ୍ବାସ ଥିଲା ଯେ ଯେକୌଣସି ଜରୁରୀ ସ୍ଥିତିରେ ସେ ହିଁ ପ୍ରଥମେ ମନେ ପଡ଼ନ୍ତି। ମତେ ଲାଗେ ଫ୍ୟାମିଲି ଡାକ୍ତରମାନେ ଭବିଷ୍ୟତରେ ମଧ୍ୟ ନିଜ ଭୂମିକା ଏହିଭଳି ଭାବରେ ନିର୍ବାହ କରିବେ। ଭବିଷ୍ୟତରେ ମଧ୍ୟ ରୋଗୀଙ୍କୁ ଡାକ୍ତରଖାନା ସହିତ ଯୋଡ଼ି ରଖିବେ। ସେମାନେ ହିଁ ଦେଶର ସ୍ବାସ୍ଥ୍ୟସେବାର ମେରୁହାଡ଼ ଅଟନ୍ତି। ମହାମାରୀରେ ଏହା ପ୍ରମାଣିତ ହୋଇଛି। କୋଭିଡ ସମୟରେ ଯେତେବେଳେ ଦେଶ ଅନିଶ୍ଚିତ ଭବିଷ୍ୟତ ଦେଇ ଗତି କରୁଥିଲା, ଏହାଠାରୁ ଭଲ ସମାଜ ସେବା କଥା ଚିନ୍ତା ମଧ୍ୟ କରାଯାଇ ପାରିବ ନାହିଁ। ଯଦି ବୀମା କମ୍ପାନୀଗୁଡିକ ସବୁ ପ୍ରକାର ସେବାକୁ ଅନ୍ତର୍ଭୁକ୍ତ କରିବେ ବୋଧ ହୁଏ ସେମାନଙ୍କୁ ପ୍ରଥମେ ଫ୍ୟାମିଲି ଡାକ୍ତରଙ୍କୁ ତାଲିକାଭୁକ୍ତ କରିବାକୁ ପଡିବ। ଆମେ ଏବେ ପ୍ରଯୁକ୍ତି ସର୍ବସ୍ବ ଭବିଷ୍ୟତ ଆଡ଼କୁ ଗତି କରୁଛେ। ତେଣୁ ଫ୍ୟାମିଲି ଡାକ୍ତରଙ୍କ ବ୍ୟକ୍ତିଗତ ସମ୍ପର୍କ ଅଧିକ ମୂଲ୍ୟବାନ ହୋଇଛି। ରୋଗୀଙ୍କୁ ଉତ୍ତମ ସେବା ସୁନିଶ୍ଚିତ ପାଇଁ ସେମାନଙ୍କ ସ୍ଥାନ ସ୍ବତନ୍ତ୍ର। ତେଣୁ ଫ୍ୟାମିଲି ଡାକ୍ତର ସ୍ବତନ୍ତ୍ର ସମ୍ମାନର ଯୋଗ୍ୟ ଅଟନ୍ତି। ଏହା ଅନବରତ ଜାରି ରହିବା ଉଚିତ। ଜାତୀୟ ଚିକିତ୍ସକ ଦିବସ ସବୁ ଫ୍ୟାମିଲି ଡାକ୍ତରଙ୍କ ପାଇଁ ଉତ୍ସର୍ଗୀକୃତ ଅଟେ।
ଉଲ୍ଲେଖ ଯେ ଡା. ରାମକୃଷ୍ଣ ପଣ୍ଡା ୨୦୧୦ ମସିହାରେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ। ଦେଶର ସ୍ବାସ୍ଥ୍ୟ ସେବାର ସଂସ୍କାରକ ଭାବେ ସେ ଜଣାଶୁଣା। ତାଙ୍କ ଦ୍ବାରା ‌ହୋଇଥିବା ହୃତପିଣ୍ଡ ଅସ୍ତ୍ରୋପଚାର ବାଏପାସ ସର୍ଜରିର ସଫଳତା ହାର ୯୯.୮ ପ୍ରତିଶତ।

ସମ୍ବନ୍ଧିତ ଖବର