ଗଜେନ୍ଦ୍ରମୋକ୍ଷର କୁମ୍ଭୀର ଉପାଖ୍ୟାନ

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମାଘପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଛି ଶ୍ରୀଜଗନ୍ନାଥଙ୍କର ଗଜଉଦ୍ଧାରଣ ବେଶ। ଘୋର ଜଳରେ ଗଜରାଜକୁ କୁମ୍ଭୀର ଧରିଥିଲା। ତାହାର ସ୍ତୁତିରେ ସନ୍ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ନିଜର ଚକ୍ର ଦ୍ୱାରା କୁମ୍ଭୀରର ଶିରଚ୍ଛେଦ କରି ତାକୁ ଉଦ୍ଧାର କରିଥିଲେ।

ଏହି ଗଜ-କୁମ୍ଭୀର ଉପାଖ୍ୟାନରେ ଗଜ କିନ୍ତୁ ଗଜ ନୁହେଁ; ସେ ଅଭିଶାପ ପାଇଥିବା ଜଣେ ରାଜା ଇନ୍ଦ୍ରଦ୍ୟୁମ୍ନ। ସେହିପରି, ଏହି ଉପାଖ୍ୟାନର କୁମ୍ଭୀର ମଧ୍ୟ କୁମ୍ଭୀର ନୁହେଁ; ସେ ଏକ ଅଭିଶପ୍ତ ଗନ୍ଧର୍ବ। ତାହାର ନାମ ହୁହୁ। ପୁରାଣ ମତରେ, ଗନ୍ଧର୍ବମାନେ ଦେବତାଙ୍କ ଶ୍ରେଣୀର। ସେମାନଙ୍କର ନିବାସ ସ୍ୱର୍ଗଲୋକ। ସେମାନେ ଗାନପ୍ରିୟ। ଅଗ୍ନିପୁରାଣରେ ଗନ୍ଧର୍ବଙ୍କର ୧୧ଟି ଶ୍ରେଣୀର କଥା କୁହାଯାଇଛି। ହାହା, ହୁହୁ, ଚିତ୍ର, କଂସ, ବିଶ୍ୱାବସୁ, ଗୋମାୟୁ, ତୁମ୍ବୁରୁ ଓ ନନ୍ଦୀ ସେମାନଙ୍କ ମଧ୍ୟରେ ପ୍ରଧାନ।

‘ଶ୍ରୀମଦ୍‌ଭାଗବତ’ ଅନୁସାରେ, ହୁହୁ ଗନ୍ଧର୍ବ ଦେବଳ ଋଷିଙ୍କର ଅଭିଶାପ ପାଇ କୁମ୍ଭୀର ହୋଇଥିଲା।

କାରଣ, ଥରେ ଗନ୍ଧର୍ବ କନ୍ୟାମାନଙ୍କ ସହ ସେ ଜଳକ୍ରୀଡ଼ା କରୁଥିବାବେଳେ, ସୂର୍ଯ୍ୟଙ୍କୁ ଜଳ ଆଞ୍ଜୁଳି ପ୍ରଦାନ କରୁଥିବା ଦେବଳ ଋଷିଙ୍କ ଗୋଡ଼କୁ କୌତୁକବଶତଃ ଟାଣି ଦେଇଥିଲା। ସେଥିପାଇଁ ଦେବଳ ତାକୁ କୁମ୍ଭୀର ହେବାକୁ ଅଭିଶାପ ଦେଇଥିଲେ। ଫଳରେ ସେ କୁମ୍ଭୀର ରୂପରେ ବରୁଣ ହ୍ରଦରେ ଥିଲା, ଏବଂ ସେଠାରେ ଗଜରାଜର ପାଦକୁ ଗ୍ରାସ କରିଥିଲା। କିନ୍ତୁ ଗଜରାଜର ପ୍ରାର୍ଥନା ଶୁଣି ଭଗବାନ ବିଷ୍ଣୁ ସେଠାରେ ପହଞ୍ଚିଲେ ଏବଂ ନିଜର ଚକ୍ରରେ ତାର ଶିରଚ୍ଛେଦ କଲେ। ସେହି ସମୟରେ ସେ ପ୍ରତ୍ୟକ୍ଷ ଭାବରେ ଭଗବାନ ବିଷ୍ଣୁଙ୍କର ଦର୍ଶନ ପାଇଲା। ପୁଣି ବିଷ୍ଣୁଚକ୍ରରେ ପ୍ରାଣ ଦେଇଥିବାରୁ ସେ ଶାପମୁକ୍ତ ହେଲା। ବିଷ୍ଣୁଙ୍କ ପାଦପଦ୍ମରେ ପ୍ରଣାମ କରି, ଗାନ୍ଧାର ରାଗରେ ଗୀତ ଗାଇ ଗାଇ, ସେ ଗନ୍ଧର୍ବ ଶରୀରରେ ପୁଣି ଗନ୍ଧର୍ବଲୋକକୁ ଫେରିଗଲା। ଗଜ ବି ସେହିପରି ଭଗବାନ ବିଷ୍ଣୁଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇ, ତାଙ୍କରି ରୂପରେ ସ୍ୱର୍ଗଲୋକକୁ ଗଲା। ଶ୍ରୀମଦ୍‌ଭାଗବତର ଏହି ଉପାଖ୍ୟାନ ଆମକୁ ସୂଚାଏ, ଯେ ଭଗବାନଙ୍କର ଦର୍ଶନ ଏବଂ ତାଙ୍କଠାରେ ଆତ୍ମନିବେଦନରେ ହିଁ ମୋକ୍ଷ ମିଳିଥାଏ।

ସମ୍ବନ୍ଧିତ ଖବର