ଚଳଚଞ୍ଚଳ ନ୍ୟୁୟର୍କ ସହର ଅନେକ ସମୟରେ ଏକଲାପଣ ଓ ନିଃସଙ୍ଗବୋଧ ପାଇଁ ମଧ୍ୟ ସ୍ବତନ୍ତ୍ର ଭାବେ ପରିଚିତ। ଏ କଂକ୍ରିଟ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ହଜାର ହଜାର ଲୋକଙ୍କ ମଧ୍ୟରୁ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କ ପାଇଁ ମଣିଷ ସମ୍ପର୍କ ଅନୁପଲୁବ୍‌ଧ। ଏହି ନିଃସଙ୍ଗତା ଭଙ୍ଗ କରିବା ପାଇଁ ସେମାନେ କୌଣସି ବ୍ୟକ୍ତିଙ୍କ ଅପ୍ରତ୍ୟାଶିତ ଆଗମନକୁ ଚାତକ ପରି ଚାହିଁ ରହିଥା’ନ୍ତି। ତେବେ ସେମାନଙ୍କର ଏହି ଉତ୍କଣ୍ଠାକୁ ପୂରଣ କରିବା ପାଇଁ ଏବେ ସେଠାରେ ଏକ ଅଭିନବ ବୃତ୍ତି ଦେଖାଦେଇଛି, ଯାହା ଏକ ଅସ୍ଥାୟୀ ସମାଧାନର ବାଟ ଦେଖାଇଛି। ଏହି କ୍ରମରେ ଏଲ୍ଲା ନାମ୍ନୀ ଜଣେ କଳା ଶିକ୍ଷୟିତ୍ରୀ ୨୦୧୭ରେ ତାଙ୍କର ଶିକ୍ଷକତା ଛାଡ଼ି ‘ଆଲିଙ୍ଗନ ଚିକିତ୍ସା’ ନାମରେ ଏକ ନୂତନ ପେସା ଆପଣେଇଛନ୍ତି।

Advertisment

ନିବିଡ଼ତା ଅନୁଭବ ପାଇଁ ସେ ନିଜ ବାହୁବନ୍ଧନରେ କାହାକୁ ଜାବୁଡ଼ି ଧରିବା ଲାଗି ଘଣ୍ଟାକୁ ୧୫୦ ଡଲାର ପାରିଶ୍ରମିକ ନେଉଛନ୍ତି। ତାଙ୍କର ଏହି ସେବା ଦ୍ବାରା ବିଭିନ୍ନ ଲୋକ ଆକୃଷ୍ଟ ହେଉଛନ୍ତି। ବିଶେଷ କରି ସାନ୍ତ୍ବନା ଖୋଜୁଥିବା ନିଃସଙ୍ଗ ଲୋକମାନେ ଏଥିରୁ ଅପୂର୍ବ ଆତ୍ମସନ୍ତୋଷ ଲାଭ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ କକ୍ଷ ଏକ ଗୋପନୀୟ ଅଭୟାରଣ୍ୟ ଭାବେ କାମ କରେ, ଯେଉଁଠି ଗ୍ରାହକମାନେ ଆଲିଙ୍ଗନ ଦ୍ବାରା ତାଳୁରୁ ବକ୍ଷ ଯାଏ ଶାରୀରିକ ସ୍ପର୍ଶକୁ ଅନୁଭବ କରିଥା’ନ୍ତି। ତାଙ୍କର ଏହି ଉଷୁମ ଆଲିଙ୍ଗନ ବିଶେଷ କରି ୪୦ରୁ ୬୦ ବର୍ଷ ବୟସର ବିବାହିତ ପୁରୁଷମାନଙ୍କ ପାଇଁ ଉପଶମକାରୀ ସାବ୍ୟସ୍ତ ହେଉଛି। ତେବେ ତାଙ୍କ ପାଖରେ ଏବେ ୨୫ରୁ ୩୫ ବର୍ଷୀୟା ଯୁବତୀମାନଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଲ୍ଲା ‘ଆବେଗପୂର୍ଣ୍ଣ ଆଲିଙ୍ଗନ’ର ଏକ ପ୍ରମାଣପତ୍ରଭିତ୍ତିକ ପାଠ୍ୟକ୍ରମ ଜରିଆରେ ପ୍ରଶିକ୍ଷଣ ପାଇଛନ୍ତି।