ଅଭ୍ୟାସରୁ ଜାଣନ୍ତୁ ନିଜ ଭବିଷ୍ୟତର ଭଲମନ୍ଦ କଥା

ଯେ କୌଣସି କାମକୁ ଜଣେ ଦିନ ପରେ ଦିନ ବାରମ୍ବାର କରିବା ଦ୍ୱାରା ତାହା ମସ୍ତିଷ୍କରେ ଖୋଦେଇ ହୋଇ ରହିଲା ପରି ରହିଯାଏ। ପରେ ମସ୍ତିଷ୍କର ନିର୍ଦେଶ କ୍ରମେ ଶରୀର ତାହା ଆପଣାଛାଏଁ କରିଥାଏ। ତାହାହିଁ ଅଭ୍ୟାସ। ଏହି ଅଭ୍ୟାସ ହେଉଛି ମଣିଷ ବ୍ୟକ୍ତିତ୍ୱର ଦର୍ପଣ। ଉଦାହରଣ ସ୍ୱରୂପ ସକାଳ ଜଳଖିଆ ବେଳେ ଚା ପିଇବା, ନାକରେ ହାତ ମାରିବା ଆଦି ଛୋଟ ଛୋଟ ଅଭ୍ୟାସ କ୍ରମେ ଆଚରଣ ହୋଇ ଯାଇଥାଏ।
ଅତୀତରେ ପରସ୍ପରକୁ ବୁଝିବା ପାଇଁ ଲୋକେ ଏହି ସୂଚନାକୁ ବ୍ୟବହାର କରୁଥିଲେ।

ଅଭ୍ୟାସରୁ ମଧ୍ୟ ଜାଣି ହେବ ବ୍ୟକ୍ତିର ଭବିଷ୍ୟତ କ’ଣ ହେବ। ଅଭ୍ୟାସ ଭଲ ହେଉ କି, ମନ୍ଦ, ସେଥିରୁ ଜଣକର ଭାବନା ଓ ସ୍ୱଭାବ ଆଦି ଅନେକ କଥା ଜାଣି ହୁଏ।

ଗାଧୁଆଘର ଅପରିଷ୍କାର ରଖିବା: ଯେଉଁମାନେ ଗାଧୁଆଘର ବ୍ୟବହାର ପରେ ପରିଷ୍କାର କରନ୍ତି ନାହିଁ ଏବଂ ଚଟାଣରେ ଅପରିଷ୍କାର ଲୁଗାପଟା ପକାନ୍ତି, ଜାଣନ୍ତୁ ସେମାନଙ୍କ ଜନ୍ମକୁଣ୍ଡଳୀରେ ଚନ୍ଦ୍ରର ସ୍ଥିତି ଦୁର୍ବଳ ଅଛି। ତାହା କ୍ୟାରିଅର୍‌ର ଉପରେ ନକାରାତ୍ମକ ପ୍ରଭାବ ପକାଏ।

ଚାଲିବାବେଳେ ପାଦ ଘୋଷାରିବା: ଏହା ମଧ୍ୟ ଗୋଟାଏ ମନ୍ଦ ଅଭ୍ୟାସ। ପାଦ ଘୋଷାରି ଚାଲିଲେ ପାଦରେ ମଇଳା ଆସିବା ସହ ଭାଗ୍ୟ ମଧ୍ୟ ମଳିନ ହୋଇଯାଏ। ଏହି ଅଭ୍ୟାସରୁ ବୁଝନ୍ତୁ ଯେ ଜୀବନରେ ରାହୁର ମନ୍ଦ ପ୍ରଭାବ ପଡୁଛି।

ଟେବୁଲ୍‌ ଉପରେ ଅଇଁଠା ବାସନ ରଖିବା: ଖାଇସାରି ଯେଉଁମାନେ ଟେବୁଲ୍‌ରେ ଅଇଁଠା ବାସନ ଛାଡ଼ି ଯାଆନ୍ତି ସେମାନେ ଜୀବନର ସ୍ଥିର ସଫଳତା କରାଯାଉଥିବା ଉଦ୍ୟମ ଓ ସଂଗ୍ରାମ ପ୍ରତି ଆଦୌ ସମ୍ମାନବୋଧ ନ ଥାଏ। ଖାଇସାରି ବାସନ ଉଠାଇ ନେବା ସହ ତାକୁ ମାଜିମୁଜି ଦେଲେ ଶନି ଓ ଚନ୍ଦ୍ରର ପ୍ରଭାବ ହଟିଯାଏ।

ମୁହଁ ହାତ ଧୋଉ ନ ଥିଲେ: ଦିନମାନ ପଦାରେ ବୁଲି ଘରକୁ ଫେରିବା ପରେ ଗୋଡ଼, ହାତ, ମୁହଁ ଧୋଉ ନ ଥିବା ବ୍ୟକ୍ତିଙ୍କ ଘରକୁ ନକାରାତ୍ମକ ଶକ୍ତି ପ୍ରବଶେ କରେ। ଘରକୁ ଫେରି ଧୋଇଧାଇ ହେବା ଦ୍ୱାରା ଚାପ ଓ ଅସ୍ତିରତାରୁ ମୁକ୍ତି ମିଳିଥାଏ।

ଦୈନିକ ଠାକୁରଘର ପରିଷ୍କାର କରିବା: ଠାକୁରଘର କିଂବା ଯେଉଁଠି ଦିଅଁଦେବତା ରଖି ପୂଜାର୍ଚ୍ଚନା କରୁଛନ୍ତି ସେଠାରୁ ସକାରାତ୍ମକ ଶକ୍ତିର ପ୍ରବାହ ଘଟିଥାଏ। ସେ ସ୍ଥାନକୁ କିଂବା ଦେବଦେବୀଙ୍କ ପ୍ରତିମାଙ୍କୁ ଅପରିଷ୍କାର ରଖିବା ଦ୍ୱାରା ଜନ୍ମକୁଣ୍ଡଳୀରେ ଗ୍ରହଚଳନ ଅସନ୍ତୁଳିତ ହେଉଥିବାରୁ ପାଠ, ଅର୍ଥ ଏବଂ ପାରିବାରଜନିତ ଅସୁବିଧା ଉପୁଜି ଥାଏ।

ଡେରି ରାତି ଯାଏଁ ଚେଇଁବା: ରାତ୍ରୀରେ ଶୋଇବା ଦ୍ୱାରା ଚନ୍ଦ୍ରର ପ୍ରଭାବରୁ ମନ ଓ ଶରୀର ଶାନ୍ତ ହୋଇଥାଏ। ଇନ୍ଦ୍ରିୟମାନେ ବିଶ୍ରାମ ପାଉଥିବାରୁ ଉତ୍ତେଜିତ ହୁଅନ୍ତି ନାହିଁ। କିନ୍ତୁ, ଡେରି ରାତି ଯାଏଁ ଚେଇଁବା ଦ୍ୱାରା ଶରୀର ମନ ଓ ଇନ୍ଦ୍ରିୟମାନଙ୍କୁ ଜବରଦସ୍ତି କାର୍ଯ୍ୟରେ ଲଗାଯାଇଥାଏ। ଫଳତଃ, ସ୍ୱାସ୍ଥ୍ୟହାନୀ ହେବା ସହ ନାନାବିଧ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ।

ଅତିଥିଙ୍କୁ ଥଣ୍ଡା ପାଣି ଯାଚିବା: ଘରକୁ କେହି ଆସିଲେ ତାଙ୍କର ଶକ୍ତି ଆପଣଙ୍କ ଶକ୍ତି କ୍ଷେତ୍ରରେ ହସ୍ତକ୍ଷେପ କରେ। ପ୍ରାଚୀନ ଋଷିଙ୍କ କହିବାନୁସାରେ, ଅଭ୍ୟାଗତଙ୍କୁ ଥଣ୍ଡା ପାଣି ମୁନ୍ଦେ ଦେଲେ ତାଙ୍କ ଶରୀରର ଉତ୍ତାପ ହ୍ରାସ ପାଇଥାଏ। ଏହା ରାହୁ ଦୋଷ ଓ କାଳସର୍ପ ଦୋଷ ନାଶ କରେ।

ଜୋତାଚପଲ ସଜାଡ଼ି ନ ରଖିବା: ଦୁଆରେ ଜୋତା ଚପଲ ଅସଜଡ଼ା କରି ପକାଇବା ଅର୍ଥ ଶତ୍ରୁ ସଂଖ୍ୟା ବଢ଼ାଇବା। ପୁଣି ଶାସ୍ତ୍ରାନୁସାରେ, ନିଜ ଜୋତାଚପଲ ଅସମ୍ମାନ କରିବା ଦ୍ୱାରା ନିଜର ସାମାଜିକ ସମ୍ମାନ ହ୍ରାସ କରିବା।

ଦୈନିକ ଗଛରେ ପାଣି ଦେବା: ଯେଉଁମାନେ ନିୟମିତ ଗଛଲତାରେ ପାଣି ଦିଅନ୍ତି ସେମାନଙ୍କ ପ୍ରେମ ଓ ପରିବାର ଜୀବନରେ କୌଣସି ସମସ୍ୟା ଆସି ନ ଥାଏ। ଏହାଦ୍ୱାରା ସୂର୍ଯ୍ୟ, ଚନ୍ଦ୍ର, ଶୁକ୍ର ଓ ବୁଧ ମଧ୍ୟରେ ଥିବା ଅସନ୍ତୁଳନଜନିତ ଦୋଷ ନାଶ ହୋଇଥାଏ।

ଶେଯ ପାରିବା: ଯେଉଁମାନେ ଉଠିବା ପରେ ଶେଯରୁ କଦବା କ୍ୱଚିତ୍‌ ବା ଆଦୌ ବେଡ୍‌ସିଟ୍‌ ବଦଳାନ୍ତି ନାହିଁ ସେମାନଙ୍କ ଯେତେ ଯାହା ଉଦ୍ୟମ କଲେ ମଧ୍ୟ କଳ୍ପିତ ଜିନିଷ ହାସଲ କରି ପାରନ୍ତି ନାହିଁ। ପରିବର୍ତ୍ତନ ଜୀବନରେ ଉନ୍ନତି ଆଣେ।

ବଡ଼ ପାଟିରେ କଥା କହିବା: ବଡ଼ ପାଟିରେ କଥାବାର୍ତ୍ତା କରୁଥିବା ଲୋକେ ଶନିଦଶାରେ ପଡ଼ନ୍ତି। ପରିବାରରେ ସୁସମ୍ପର୍କ ରଖିବାକୁ ଏମାନେ ସାରା ଜୀବନ କେବଳ ସଂଗ୍ରାମ ହିଁ କରନ୍ତି।

ସମ୍ବନ୍ଧିତ ଖବର