ପ୍ଲାଷ୍ଟିକ ଛଣାରେ ଢ଼ାଳି ଆପଣ ଚା’ ପିଉଛନ୍ତି କି? ଶରୀରକୁ ପଶୁଛି ମାରାତ୍ମକ ବିଷ ! କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଭୁବନେଶ୍ୱର: ଆପଣ ଚା’ ପିଇବାକୁ ଭଲ ପାଆନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କୁ ଜାଣିବାର ନିହାତି ଆବଶ୍ୟକତା ରହିଛି | କାରଣ ଆପଣ ପ୍ରତିଦିନ ଚା’ ମାଧ୍ୟମରେ ଶରୀରକୁ ବିଷ ନେଉଛନ୍ତି | ଆପଣଙ୍କ ଘରେ ବା ଦୋକାନରେ ଚା’ ଛଣାଯିବାବେଳେ ଆପଣ ପ୍ଲାଷ୍ଟିକ ଚା’ ଛଣା ଦେଖିଥିବେ | ଏହା ମୁଖ୍ୟତଃ ଶସ୍ତା ହୋଇଥିବାରୁ ପ୍ରାୟ ସମସ୍ତେ ଏହାକୁ ହିଁ ବ୍ୟବହାର କରନ୍ତି | ନିକଟରେ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରାଳୟ ଏ ନେଇ ଏକ ସଚେତନାଧର୍ମୀ ପୋଷ୍ଟ କରିଥିଲା | ଏଥିରେ ଲେଖା ହୋଇଥିଲା ଯେ ଆପଣମାନେ ପ୍ଲାଷ୍ଟିକ ଚା’ ଛଣା ପରିବର୍ତ୍ତେ ସ୍ଟେନଲେସଷ୍ଟିଲ୍ ଚା ଛଣା ବ୍ୟବହାର କରନ୍ତୁ | କାରଣ ଏହି ପ୍ଲାଷ୍ଟିକ ଛଣାରୁ ବାହାରିଥିବା ବିଷକୁ ଆପଣଙ୍କ କପେ ଚା’ରେ ହିଁ ଥାଏ | ତେବେ ଚା’ ଛଣାରେ ବିଷ କେଉଁଠୁ ଆସିଲା ବୋଲି ଆପଣ ଭାବୁଥିବେ | ଏ ବାବଦରେ ବିସ୍ତୃତ ଭାବେ କହିଛନ୍ତି ପରିବେଶବିତ୍ ଡ଼. ଜୟକୃଷ୍ଣ ପାଣିଗ୍ରାହୀ |

ପରିବେଶବିତ୍ ଡ଼. ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବା ମୁତାବକ ଯେତେବେଳେ ନାନୋ ପ୍ଲାଷ୍ଟିକ ବା ମାଇକ୍ରୋ ପ୍ଲାଷ୍ଟିକର ଜୀବ ଶରୀର ପ୍ରତି କ’ଣ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଗବେଷଣା କରାଯାଇଥିଲା, ଏହାକୁ ପ୍ରଥମେ ମୂଷାମାନଙ୍କ ଶରୀରରେ ପରୀକ୍ଷଣ କରାଯାଇଥିଲା | ଆଉ ଯେତେବେଳେ ନାନୋ ପ୍ଲାଷ୍ଟିକ ମୂଷାମାନଙ୍କର ଶରୀରକୁ ଯାଇଥିଲା ସେତେବେଳେ ଏହା ମୂଷାମାନଙ୍କ ଶରୀର ଭିତରେ ଥିବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ସମସ୍ୟା ସୃଷ୍ଟି କରିଥିଲା | ହରମୋନ ସମସ୍ୟା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ, ଏପରିକି କ୍ୟାନ୍ସର ମଧ୍ୟ ସୃଷ୍ଟି କରେ | ତେଣୁ ଚା ଛାଣିବା ପାଇଁ ଯେତେବେଳେ ପ୍ଲାଷ୍ଟିକ ଛଣା ବ୍ୟବହାର କରାଯାଏ, ସେତେବେଳେ ତାତିଥିବା ଚା ଯୋଗୁଁ ପ୍ଲାଷ୍ଟିକ କଣିକା ଯାହା ଆମ ଆଖିକୁ ଦେଖାଯାଇନଥାଏ, ପ୍ଲାଷ୍ଟିକରୁ ଖସି ଚା କପକୁ ଆସିଯାଇଥାଏ | ସେହିପରି ପ୍ଲାଷ୍ଟିକ ନିର୍ମାଣରେ ୪ ହଜାର ପର୍ଯ୍ୟନ୍ତ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର ହୋଇଥାଏ | ଆଉ ଆମେ ଯେତେବେଳେ ଚା ପିଉଥାଉ, ଏଥିରୁ କିଛି ଆମ ଶରୀର ଭିତରକୁ ଯାଇଥାଏ |


ଏହି ରାସାୟନିକ ପଦାର୍ଥରୁ ଅଧିକାଂଶ କେବଳ ଆମ ପରିବେଶ ପାଇଁ ନୁହେଁ, ବରଂ ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଂଚାଇଥାଏ | ମୂଷାକୁ ନେଇ କରାଯାଇଥିବା ଗବେଷଣାରୁ ଯାହା ଜଣାପଡିଛି ଏହା ଆମ ଶରୀର ଉପରେ ମଧ୍ୟ ପ୍ରଭାବ ପକାଇଥାଏ | ଯେହେତୁ ପୂର୍ବରୁ ଏନେଇ ଏତେ ଗବେଷଣା ହୋଇନଥିଲା, ତାହା ଜଣାପଡ଼ିନଥିଲା | କିନ୍ତୁ ବର୍ତ୍ତମାନ ଯେହେତୁ ପ୍ଲାଷ୍ଟିକକୁ ନେଇ ଅଧିକ ଗବେଷଣା କରାଯାଉଛି, ଏବାବଦରେ ନୂତନ ତଥ୍ୟମାନ ହାସଲ ହୋଇଛି | କିନ୍ତୁ ଷ୍ଟିଲ ଯେହେତୁ ଏକ ଧାତୁ, ତେଣୁ ଗରମ ଚା ଢଳାଯିବା ଦ୍ୱାରା କୌଣସି ପ୍ରଭାବ ପଡ଼ିନଥାଏ |

ସମ୍ବନ୍ଧିତ ଖବର