ଜଳଶୁଷ୍କତା ବା ଡିହାଇଡ୍ରେସନ୍ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା। ଗରମ ପରିବେଶ, ଅଧିକ ପରିଶ୍ରମ ଓ ଶରୀରର ଉତ୍ତାପ ବୃଦ୍ଧି ଏହାର ମୁଖ୍ୟ କାରଣ। ଶରୀରରୁ ଅଧିକ ପରିମାଣର ଝାଳ ଓ ପରିସ୍ରା ବାହାରି, ଜଳୀୟାଂଶ କମିଗଲେ, ଜଣେ ଝାଡ଼ା-ବାନ୍ତିର ଶିକାର ହୁଏ। ବହୁମୂତ୍ର ରୋଗୀ କ୍ଷେତ୍ରରେ ଜଳଶୁଷ୍କତା ଆଶଙ୍କା ଅଧିକ। ସଂକ୍ରମଣ କାରଣରୁ ମଧ୍ୟ ଶରୀରରୁ ଜଳ କମିଯାଏ। ଜଳଶୁଷ୍କତା ବୃକ୍କ ଓ ଯକୃତ୍ ପାଇଁ ବିପଜ୍ଜନକ। ବୃକ୍କ ଅକାମୀ ହୋଇଯାଇପାରେ। ଡିହାଇଡ୍ରେସନ୍ ଦ୍ୱାରା କୋଷ ଓ ରକ୍ତକଣିକା ଶୁଷ୍କ ହୋଇଯାଏ ଏବଂ ରକ୍ତ ଚାପ କମିଯାଏ। ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ଅଙ୍ଗ ଅକାମୀ ହେବାର ଆଶଙ୍କା ବଢ଼େ। ଶରୀରକୁ ଯଥେଷ୍ଟ ଅମ୍ଳଜାନ ମିଳେ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ମସ୍ତିଷ୍କାଘାତ ଭଳି ସମସ୍ୟା ଉପୁଜେ। ଖରାଦିନେ ଯଥେଷ୍ଟ ପାଣି ପିଅନ୍ତୁ। ଇଲେକ୍ଟ୍ରୋଲାଇଟ୍ ପାଣି ଅଧିକ ଉପକାରୀ। ଢିଲା ଓ ହାଲୁକା ରଂଗର ପୋଷାକ ପିନ୍ଧନ୍ତୁ। କାଫେନ୍ ତଥା ନିଶାଯୁକ୍ତ ପାନୀୟ ବର୍ଜନୀୟ। ଖରାରେ ଅଧିକ ସମୟ ବୁଲନ୍ତୁନାହିଁ। ଥଣ୍ଡା, ଛାଇ ଜାଗାରେ ରହନ୍ତୁ। ଖେଳ, ବ୍ୟାୟାମ ସମୟରେ ମଝିରେ ମଝିରେ ଲୁଣ-ଚିନି ମିଶ୍ରିତ ପାଣି ପିଅନ୍ତୁ। ପଇଡ଼ ପାଣି ସବୁଠାରୁ ଭଲ। ପରିସ୍ରା ପରିମାଣ କମିଯିବା, ଝାଳ ନ ବାହାରିବା, ମୁଣ୍ଡ ବିନ୍ଧିବା, ଚେତା ହରାଇବା, ମୁଖ ଶୁଖିଯିବା ଆଦି ଜଳଶୁଷ୍କତାର ଲକ୍ଷଣ। ରୋଗୀର ପ୍ରାଥମିକ ଚିକିତ୍ସା କରାନ୍ତୁ। ଖୋଲା ଜାଗାରେ ତଳେ ଶୁଆଇ, ପିଢ଼ା ପଟା ଉଚ୍ଚାରେ ପାଦ ରଖନ୍ତୁ। ଯଥେଷ୍ଟ ପାଣି ପିଆନ୍ତୁ। ଥଣ୍ଡା ପାଣିରେ କପଡ଼ା ବୁଡ଼ାଇ ପୋଛନ୍ତୁ। ପଙ୍ଖା ଚଲାନ୍ତୁ। ରୋଗୀକୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାନ୍ତୁ।
-ପ୍ରଫେସର୍ ଡା. ଉମେଶ ଚନ୍ଦ୍ର ପାତ୍ର, ଫୋନ୍: ୯୪୩୭୦୫୧୯୫୭