ଏକ ଆକଳନ ଅନୁଯାୟୀ, ବିଶ୍ବର ପ୍ରାୟ ୫ ପ୍ରତିଶତ ଲୋକ ଅବସାଦରେ କାଳ କାଟୁଛନ୍ତି। ଅବସାଦର ଲକ୍ଷଣ ସ୍ବରୂପ, ସବୁ ଥାଇ କିଛି ନଥିଲା ପରି ମନେ ହୁଏ, ଅନେକ କିଛି କରିବାକୁ ସକ୍ଷମ ଥାଇ ସୁଦ୍ଧା କିଛି କରିବାକୁ ଇଚ୍ଛା ହୁଏ ନାହିଁ। ଅବସାଦର ସଫଳ ଉପଚାର ପାଇଁ ଏହାର ଉତ୍ପତ୍ତିର କାରଣ ଜାଣିବା ଗୁରୁତ୍ବପୂର୍ଣ୍ଣ। ଅବସାଦର ଲକ୍ଷଣଗୁଡ଼ିକ ସହ ଶରୀର ତାପମାତ୍ରାର ସମ୍ପର୍କ ରହିଛି ବୋଲି କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଗବେଷକମାନେ ଜାଣିପାରିଛନ୍ତି। ସାଧାରଣତଃ ଶରୀର ତାପମାତ୍ରା ଅଧିକ ଥିବା ଲୋକଙ୍କ କ୍ଷେତ୍ରରେ ଅବସାଦଗ୍ରସ୍ତ ହେବାର ଆଶଙ୍କା ଅଧିକ ଥାଏ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।
ଅପରପକ୍ଷେ, ଜଣେ ଥଣ୍ଡା ରହିଲେ ଅବସାଦରୁ ଦୂରେଇ ରହିବାର ସମ୍ଭାବନା ଅଧିକ। ଦୀର୍ଘ ସାତ ମାସ ଧରି ୧୦୬ଟି ଦେଶର ୨୦,୮୮୦ ଜଣ ନାଗରିକଙ୍କ ଠାରୁ ସଂଗୃହୀତ ତଥ୍ୟକୁ ବିଶ୍ଳେଷଣ କରି ସେମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ପୁଷ୍ଟିସାଧନ ପ୍ରକ୍ରିୟା ସହ ଅବସାଦ ଜଡ଼ିତ। ଏହି ପ୍ରକ୍ରିୟାରେ ବଳକା ତାପଶକ୍ତି ନିର୍ଗତ ହେଉଥିବାରୁ ଶରୀରର ତାପମାତ୍ରା ବଢ଼ିଥାଏ। ସେହିପରି ଅବସାଦର ଅନ୍ୟତମ ଲକ୍ଷଣ ହେଲା ମାନସିକ ଚାପରେ ରହିବା, ଯାହା ଶରୀର ତାପମାତ୍ରାକୁ ବଢ଼ାଇଥାଏ। ଗବେଷକମାନଙ୍କ କହିବାନୁସାରେ, ଅବସାଦ ଏକ ଜଟିଳ ତଥା ବହୁମୁଖୀ ଅବସ୍ଥା ହୋଇଥିବାରୁ ତାହାର ଉତ୍ପତ୍ତି ପଛରେ ନାନା କାରଣ ଥାଇପାରେ। ତେଣୁ ଏ ନେଇ ଅଧିକ ଗବେଷଣା ଲୋଡ଼ା ବୋଲି ଗବେଷକମାନଙ୍କ ମତ।