ଏକଦା ଭଗବାନ ଶ୍ରୀକୃଷ୍ଣଙ୍କୁ ଧର୍ମରାଜ ଯୁଧିଷ୍ଠିର ପଚାରିଥିଲେ, “ଏକାଦଶୀ ତିଥିଟି କିପରି ଉତ୍ପନ୍ନ ହେଲା ଏବଂ ଏହା କାହିଁକି ଏତେ ପବିତ୍ର ଓ ଦେବତାମାନଙ୍କର ଏତେ ପ୍ରିୟ?” ଉତ୍ତରରେ ଶ୍ରୀକୃଷ୍ଣ କହିଥିଲେ, “ପ୍ରାଚୀନ କାଳରେ ଚନ୍ଦ୍ରାବତୀପୁରର ରାଜା ତଳଜଙ୍ଗର ପୁତ୍ର ମୁର ଏକ ଭୟଙ୍କର ଦାନବ ଥିଲା। ସେ ଇନ୍ଦ୍ରଙ୍କୁ ସ୍ୱର୍ଗରୁ ତଡ଼ି ସ୍ୱର୍ଗଲୋକ ଅଧିକାର କରିନେଲା। ଇନ୍ଦ୍ର ବ୍ୟାକୁଳ ହୋଇ, ଆଶ୍ରୟ ଖୋଜି, ଦେବତାମାନଙ୍କ ସହିତ କ୍ଷୀର ସମୁଦ୍ରରେ ପହଞ୍ଚିଲେ। ଦେବତାମାନଙ୍କର କାତର ପ୍ରାର୍ଥନା ଶୁଣି ସେମାନଙ୍କୁ ରକ୍ଷା କରିବାପାଇଁ ଭଗବାନ ବିଷ୍ଣୁ ମୁରାସୁରର ଚନ୍ଦ୍ରାବତୀ ପୁରରେ ପହଞ୍ଚି ରାକ୍ଷସମାନଙ୍କୁ ବଧ କଲେ। ତା’ପରେ ବଦରିକା ଆଶ୍ରମକୁ ଯାଇ ସିଂହାବତୀ ନାମକ ଏକ ଗୁମ୍ଫାରେ ବିଶ୍ରାମ ନେଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭଗବାନଙ୍କୁ ମାରିବାପାଇଁ ମୁରାସୁର ତାଙ୍କୁ ଖୋଜି ଖୋଜି ସେହି ଗୁମ୍ଫା ପାଖରେ ପହଞ୍ଚି ଦେଖିଲା, ବିଷ୍ଣୁ ସେଠାରେ ଶୋଇଛନ୍ତି। ଏହା ଦେଖି ସେ ତାଙ୍କୁ ମାରିବାକୁ ଉଦ୍ୟତ ହେବାରୁ, ତାଙ୍କ ଶରୀରରୁ ଅସ୍ତ୍ରଶସ୍ତ୍ର ସଜ୍ଜିତା ଏକ ରୂପବତୀ କନ୍ୟା ଉତ୍ପନ୍ନ ହୋଇ ମୁର ସହିତ ଯୁଦ୍ଧ କଲେ ଏବଂ ତାକୁ ବଧ କଲେ।
ଭଗବାନଙ୍କର ନିଦ୍ରାଭଙ୍ଗ ହେବା ପରେ ସେ ଦେଖିଲେ, ମୁରାସୁରର ମୃତଦେହ ପଡ଼ିରହିଛି। ଏହାକୁ କିଏ ବଧ କଲା ବୋଲି ସେ ପଚାରିବାରୁ ସେହି କନ୍ୟା ଭଗବାନଙ୍କ ସମ୍ମୁଖକୁ ଆସି ଅତ୍ୟନ୍ତ ବିନମ୍ର ହୋଇ କହିଲେ, “ପ୍ରଭୁ! ଆପଣଙ୍କ ପ୍ରସାଦରୁ ମୁଁ ଏହି ଦୈତ୍ୟକୁ ବଧ କରିଛି।” ଏଥିରେ ଆନନ୍ଦିତ ହୋଇ ଭଗବାନ ସେହି କନ୍ୟାଙ୍କୁ ବର ଦେବାକୁ ଇଚ୍ଛା କରିବାରୁ ସେ ବିନମ୍ର ହୋଇ କହିଲେ, “ପ୍ରଭୁ! ଯଦି ଆପଣ ପ୍ରସନ୍ନ, ତେବେ ଆପଣଙ୍କ କୃପାରୁ ସବୁ ତିଥି ମଧ୍ୟରେ ପ୍ରଧାନ, ସମସ୍ତଙ୍କର ବିଘ୍ନନାଶ କରି ପାରୁଥିବା ଏବଂ ସବୁ ପ୍ରକାରର ସିଦ୍ଧି ଦେଉଥିବା ଦେବୀ ଭାବରେ ମୁଁ ପରିଗଣିତ ହେବି। ହେ ଜନାର୍ଦ୍ଦନ! ଯେଉଁ ଲୋକ ଆପଣଙ୍କ ପାଖରେ ଭକ୍ତି ରଖି ମୋର ଏହି ଉତ୍ପତ୍ତି ଦିନ ଉପବାସ କରିବ, ତାକୁ ସବୁ ପ୍ରକାରର ସିଦ୍ଧି ମିଳିବ।” ବିଷ୍ଣୁ ତଥାସ୍ତୁ କହିଲେ।
ମାର୍ଗଶିର କୃଷ୍ଣ ପକ୍ଷ ଏକାଦଶୀ ଦିନ ଏହି ଦେବୀଙ୍କର ଉତ୍ପତ୍ତି ହୋଇଥିବାରୁ, ତାଙ୍କ ନାମ ଏକାଦଶୀ ହେଲା ଏବଂ ତାଙ୍କର ଏହି ଜନ୍ମ ଦିନଟି ‘ଉତ୍ପନ୍ନା ଏକାଦଶୀ’ ଭାବରେ ପ୍ରସିଦ୍ଧ ହେଲା। ଭଗବାନ ବିଷ୍ଣୁଙ୍କର ବର ଅନୁସାରେ, ପ୍ରତ୍ୟେକ ମାସର କୃଷ୍ଣ ଓ ଶୁକ୍ଳ ଏକାଦଶୀ ପବିତ୍ର ଦିନ ଭାବରେ ପରିଗଣିତ ହେଲା ଏବଂ ସ୍ୱୟଂ ମୁରାରି ଏହିଦିନର ଅଧିପତି ହେଲେ।
ଡକ୍ଟର ତୁଳସୀ ଓଝା