ଦେବର୍ଷି ନାରଦ

ଆମ ଶାସ୍ତ୍ର ପୁରାଣରେ ନାରଦ ହେଉଛନ୍ତି ‘ଦେବର୍ଷି’। ‘ଶ୍ରୀମଦ୍ ଭାଗବତ’ରେ ତାଙ୍କୁ ବିଷ୍ଣୁଙ୍କର ମାନସପୁତ୍ର କୁହାଯାଇଥିବା ବେଳେ, ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ ବ୍ରହ୍ମାଙ୍କର ମାନସ ପୁତ୍ର କୁହାଯାଇଛି। ସେ ଦେବଅଂଶୀ ଓ ଦେବତା ପ୍ରକୃତି ବିଶିଷ୍ଟ ଋଷି। ଜ୍ୟେଷ୍ଠ କୃଷ୍ଣ ପ୍ରତିପଦା ତାଙ୍କର ଜନ୍ମତିଥି।

ନାରଦଙ୍କର ଅନ୍ୟ ଏକ ନାମ ହେଉଛି, ସେ ‘ଇଚ୍ଛାବିହାରୀ’। କାରଣ ନିଜର ଇଚ୍ଛା ଅନୁସାରେ, ସେ ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ପରିଭ୍ରମଣ କରିଥାଆନ୍ତି। ଏହା ପଛରେ ବ୍ରହ୍ମାଙ୍କର ଗୋଟିଏ ଅଭିଶାପ ଅଛି। ସେହି ଅଭିଶାପଟି ଏହିପରି।

ବ୍ରହ୍ମା ପ୍ରଜା ସୃଷ୍ଟି ପାଇଁ ଯେଉଁ ସନ୍ତାନମାନଙ୍କୁ ଜାତ କରିଥିଲେ, ନାରଦ ସେମାନଙ୍କୁ ତତ୍ତ୍ୱ ଉପଦେଶ ଦେଇ ସଂସାର-ବିରାଗୀ କରିଦେଲେ। ତେଣୁ ବ୍ରହ୍ମା ତାଙ୍କୁ ଅଭିଶାପ ଦେଇ କହିଥିଲେ, “ତୁମେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିପାରିବ ନାହିଁ। ଏଇଥିପାଇଁ ନାରଦ ତାଙ୍କ ‘ମନପବନ ଯାନ’ ଚଢ଼ି, ସଦାସର୍ବଦା ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ପରିଭ୍ରମଣ କରୁଥାଆନ୍ତି।

ଏହି ‘ମନପବନ ଯାନ’ର ଆକାର ଆଧୁନିକ ବ୍ୟୋମଯାନ ପରି; କିନ୍ତୁ ଓଡ଼ିଆରେ ତାହାକୁ ‘ଢ଼ିଙ୍କି’ ବୋଲି କୁହାଯାଇଛି।

‘ବୃହତ୍ କୁରାଳ ପୁରାଣ’ରେ ଏ ବାବଦରେ ଉଲ୍ଲେଖ ଅଛି- ବିଷ୍ଣୁଙ୍କ ଆଦେଶରେ ରୁଦ୍ରପାଳ ମର୍ତ୍ତ୍ୟକୁ ଆସି ରନ୍ଧନ ଲାଗି ହାଣ୍ଡି ଗଢ଼ିଥିଲେ। ସେତେବେଳେ ଲୋକେ ଧାନରୁ ଚୋପା ନ ଛଡ଼ାଇ ଖାଉଥିବାରୁ ଅଜୀର୍ଣ୍ଣ ରୋଗ ଭୋଗ କରୁଥିଲେ। ତେଣୁ ବିଷ୍ଣୁଙ୍କ ଆଦେଶରେ ରୁଦ୍ରପାଳ ମେରୁଗିରି ଶିଖରକୁ ଯାଇ ସୁରସେନ ଚକ୍ର ସାହାଯ୍ୟରେ ଗୋଟିଏ ବୃକ୍ଷ ଛେଦନ କଲେ। ତାହା ଢିଙ୍କି ହେଲା। ନାରଦ ସ୍ୱର୍ଗ ଓ ମର୍ତ୍ତ୍ୟ ମଧ୍ୟରେ ସଂଯୋଗ ରକ୍ଷାକାରୀ ଋଷି ହୋଇଥିବାରୁ, ସେହି ଢିଙ୍କିକୁ ବାହନ କରି, ସେଥିରେ ରୁଦ୍ରପାଳଙ୍କୁ ବସାଇ ମର୍ତ୍ତ୍ୟଲୋକକୁ ଆଣିଲେ। ଲୋକେ ସେହି ଢିଙ୍କିରେ କୁଟି ଧାନକୁ ଚାଉଳ କଲେ। କୁଟା ଚାଉଳରୁ ଭାତ ରନ୍ଧାହେଲା। ଏଣୁ ଆମେ ଖାଉଥିବା ଭାତ ପଛରେ ଦେବର୍ଷି ନାରଦଙ୍କର ଅବଦାନ ଅଛି।

ସମ୍ବନ୍ଧିତ ଖବର