ତେଜପୁଞ୍ଜ ସମୁଦ୍ଭୂତା

ପ୍ରତିବର୍ଷ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ, ଦେବୀ ଦୁର୍ଗାଙ୍କର ଷୋଡ଼ଶଦିନାତ୍ମକ ପୂଜା ହୁଏ। ଏହି ଦେବୀଙ୍କର ଉଦ୍ଭବ କିପରି ହେଲା, ତାହାର ଚମତ୍କାର ବର୍ଣ୍ଣନା ଅଛି ‘ଶ୍ରୀଦୁର୍ଗାସପ୍ତଶତୀ’ରେ। ଏହା ସାତଶହ ଶ୍ଳୋକବିଶିଷ୍ଟ ଏବଂ ଅଷ୍ଟାଦଶ ପୁରାଣ ଅନ୍ତର୍ଗତ ‘ମାର୍କଣ୍ଡେୟ ପୁରାଣ’ର ଅଂଶବିଶେଷ। ଦେବୀ ଦୁର୍ଗାଙ୍କର ଗୋଟିଏ ପ୍ରସିଦ୍ଧ ରୂପ ‘ମହିଷାସୁରମର୍ଦ୍ଦିନୀ’। ଏହି ମହିଷାସୁର ଉପାଖ୍ୟାନ ବି ସେହି ‘ମାର୍କଣ୍ଡେୟ ପୁରାଣ’ରେ ଅଛି।

ମହିଷାସୁର ଥିଲା ଅସୁରମାନଙ୍କର ରାଜା। ସେ ଦେବତାଙ୍କର ରାଜା ଇନ୍ଦ୍ରଙ୍କ ସହ ଯୁଦ୍ଧ କଲା ଏବଂ ସେଥିରେ ଇନ୍ଦ୍ର ହାରିଲେ। ଇନ୍ଦ୍ରଙ୍କ ସମେତ ସୂର୍ଯ୍ୟ, ଅଗ୍ନି, ବାୟୁ, ଚନ୍ଦ୍ର, ଯମ ଓ ବରୁଣ ଆଦି ଦେବତା ସ୍ୱର୍ଗରାଜ୍ୟରୁ ନିର୍ବାସିତ ହୋଇ ମର୍ତ୍ତ୍ୟରେ ସାଧାରଣ ମାନବ ପରି ବିଚରଣ କଲେ। ସେମାନଙ୍କର ଦୁର୍ଦ୍ଦଶା ଦେଖି ବ୍ରହ୍ମା ସେମାନଙ୍କୁ ନେଇ ଶିବ ଓ ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ। ମହିଷାସୁରର ପ୍ରତାପ କଥା ଶୁଣି ଶିବ ଓ ବିଷ୍ଣୁ କ୍ରୁଦ୍ଧ ହେଲେ। ତାଙ୍କର ସେହି କ୍ରୋଧରୁ ଯେଉଁ ଅଗ୍ନି ସୃଷ୍ଟି ହେଲା, ତାହା ଅନ୍ୟ ଦେବତାମାନଙ୍କର ମୁଖରୁ ଜାତ ଅଗ୍ନି ସହ ମିଳିତ ହୋଇ ଏକ ତେଜପୁଞ୍ଜରେ ପରିଣତ ହେଲା। ସେହି ତେଜପୁଞ୍ଜରୁ ଉଦ୍ଭୂତା ହେଲେ ଦେବୀ ଦୁର୍ଗା।

ସେହି ଦେବୀଙ୍କର ଶରୀର କିପରି ଭାବରେ ଗଠିତ ହେଲା, ତାହାର ଚମତ୍କାର ବର୍ଣ୍ଣନା ମଧ୍ୟ ସେହି ପୁରାଣରେ ଅଛି। ତାହା ଅନୁସାରେ- ଶିବଙ୍କ ମୁଖରୁ ନିର୍ଗତ ତେଜରୁ ଦେବୀଙ୍କର ମୁଖ, ଯମଙ୍କ ତେଜରୁ ତାଙ୍କର କେଶ, ବିଷ୍ଣୁଙ୍କ ତେଜରୁ ବାହୁ, ଚନ୍ଦ୍ରଙ୍କ ତେଜରୁ ଦୁଇ ବକ୍ଷୋଜ, ଇନ୍ଦ୍ରଙ୍କ ତେଜରୁ କଟି, ବରୁଣଙ୍କ ତେଜରୁ ଜାନୁ, ପୃଥିବୀଙ୍କ ତେଜରୁ ନିତମ୍ବ, ବ୍ରହ୍ମାଙ୍କ ତେଜରୁ ପାଦ, ସୂର୍ଯ୍ୟଙ୍କ ତେଜରୁ ପାଦର ଅଙ୍ଗୁଳି, ବସୁମାନଙ୍କର ତେଜରୁ ହାତର ଅଙ୍ଗୁଳି, କୁବେରଙ୍କ ତେଜରୁ ନାସିକା, ପ୍ରଜାପତିଙ୍କ ତେଜରୁ ଦନ୍ତ ପଙ୍‌କ୍ତି, ଅଗ୍ନିଙ୍କ ତେଜରୁ ତ୍ରିନେତ୍ର, ସନ୍ଧ୍ୟାଦ୍ୱୟଙ୍କ ତେଜରୁ ଦୁଇ ଭ୍ରୂଲତା ଏବଂ ବାୟୁଙ୍କ ତେଜରୁ ତାଙ୍କର ଦୁଇ କର୍ଣ୍ଣର ସୃଷ୍ଟି ହେଲା।

ଏହିପରି ଭାବରେ ଦେବୀ ଦୁର୍ଗା ଦେବତାମାନଙ୍କର ତେଜପୁଞ୍ଜରୁ ସମୁଦ୍ଭୂତା ହେଲେ। ମହିଷାସୁରର ନିଧନ ପାଇଁ ବିଭିନ୍ନ ଦେବତାମାନେ ତାଙ୍କୁ ବିବିଧ ଆୟୁଧ ଓ ବାହନ ପ୍ରଦାନ କଲେ। ସେଥିରେ ଶକ୍ତିଶାଳୀ ହୋଇ ଦେବୀ ଦୁର୍ଗା ମହିଷାସୁରକୁ ନିଧନ କରି ‘ମହିଷମର୍ଦ୍ଦିନୀ’ ଭାବରେ ପ୍ରଖ୍ୟାତା ହେଲେ।

ସମ୍ବନ୍ଧିତ ଖବର