ଦେବୀ ଦୁର୍ଗା: ଅଙ୍ଗେ ଅଙ୍ଗେ ତେଜପୁଞ୍ଜ

ଦେବୀ ଦୁର୍ଗା ମହିଷମର୍ଦ୍ଦିନୀ। ‘ମାର୍କଣ୍ଡେୟ ପୁରାଣ’ର ସାତଶହ ଶ୍ଳୋକରେ ଏହି ଦେବୀଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ତାହା ‘ଦୁର୍ଗା ସପ୍ତଶତୀ’ ଭାବରେ ପ୍ରସିଦ୍ଧ। ସେହିଥିରେ ଅଛି ‘ମହିଷାସୁର’ ଉପାଖ୍ୟାନ।

ମହିଷାସୁର ଥିଲା ଅସୁରମାନଙ୍କର ରାଜା। ସେ ସ୍ୱର୍ଗପୁର ଅଧିକାର କରିବାକୁ ଦେବରାଜ ଇନ୍ଦ୍ରଙ୍କ ସହ ଯୁଦ୍ଧ କଲା। ଦୀର୍ଘ ଶହେ ବର୍ଷ ଧରି ସେ ଯୁଦ୍ଧ ଚାଲିଲା। ପରିଶେଷରେ ଦେବତାମାନେ ପରାସ୍ତ ହେଲେ। ଫଳରେ ଇନ୍ଦ୍ରଙ୍କ ସମେତ ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ବାୟୁ, ଯମ, ବରୁଣ ଆଦି ସମସ୍ତ ଦେବତା ପଦଚ୍ୟୁତ ହେଲେ।

ସେହି ଦୁର୍ଗତିରୁ ନିସ୍ତାର ପାଇବାପାଇଁ ବ୍ରହ୍ମାଙ୍କ ନେତୃତ୍ୱରେ ସେମାନେ ଯାଇ ଶିବ ଓ ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ। ତାଙ୍କର ଦୁର୍ଦ୍ଦଶା କଥା ଶୁଣି ବିଷ୍ଣୁ ଓ ଶିବ ଉଭୟେ କ୍ରୁଦ୍ଧ ହେଲେ। ସେମାନଙ୍କର କ୍ରୋଧରୁ ଅଗ୍ନି ଜାତ ହେଲା। ସେହି ଅଗ୍ନି ସହିତ ବ୍ରହ୍ମା ଓ ଅନ୍ୟ ଦେବତାମାନଙ୍କର ଅଗ୍ନି ମିଶି ବିରାଟ ଆକାର ଧାରଣ କଲା। ତାହାର ତେଜରେ ତ୍ରିଲୋକ ଉଦ୍ଭାସିତ ହେଲା।

ଦେବତାମାନଙ୍କର ପ୍ରାର୍ଥନା ଫଳରେ, ସେମାନଙ୍କର ଦୁର୍ଗତି ଅପନୋଦନ ପାଇଁ ସେହି ପୁଞ୍ଜୀଭୂତ ତେଜରୁ ଜଣେ ଦେବୀ ଆବିର୍ଭୂତା ହେଲେ। ତାଙ୍କର ଅଙ୍ଗ ସବୁ ସେହି ତେଜପୁଞ୍ଜ ଦ୍ୱାରା ଗଠିତ ହୋଇଥିଲା।

ଦେବୀଙ୍କର କେଉଁ ଅଙ୍ଗ କେଉଁ ଦେବତାଙ୍କର ତେଜରୁ ଗଠିତ, ତାହାର ବିବରଣୀ ପୁରାଣରେ ଅଛି। ତାହା ଅନୁସାରେ, ଶିବଙ୍କର ତେଜରୁ ଦେବୀଙ୍କର ମୁଖ, ଯମଙ୍କ ତେଜରୁ କେଶ, ବିଷ୍ଣୁଙ୍କ ତେଜରୁ ବାହୁ ଓ ଚନ୍ଦ୍ରଙ୍କ ତେଜରୁ ଦୁଇ ବକ୍ଷୋଜ ଗଠିତ ହୋଇଥିଲା। ଇନ୍ଦ୍ରଙ୍କ ତେଜରୁ କଟି, ବରୁଣଙ୍କ ତେଜରୁ ଜାନୁ ଓ ପୃଥ୍ୱୀଙ୍କ ତେଜରୁ ନିତମ୍ବ ଗଠିତ ହୋଇଥିଲା। ବ୍ରହ୍ମାଙ୍କ ତେଜରୁ ପାଦ, ସୂର୍ଯ୍ୟଙ୍କର ତେଜରୁ ପାଦାଙ୍ଗୁଳି ଓ ବସୁମାନଙ୍କର ତେଜରୁ କରାଙ୍ଗୁଳି ଗଠିତ ହୋଇଥିଲା। କୁବେରଙ୍କ ତେଜରୁ ନାସିକା, ବାୟୁଙ୍କ ତେଜରୁ କର୍ଣ୍ଣ, ପ୍ରଜାପତିଙ୍କ ତେଜରୁ ଦନ୍ତପଙ୍‌କ୍ତି, ଉଭୟ ସଂଧ୍ୟାଙ୍କ ତେଜରୁ ଭ୍ରୂଯୁଗଳ ଏବଂ ଅଗ୍ନିଙ୍କ ତେଜରୁ ଦେବୀଙ୍କର ତ୍ରିନେତ୍ର ଗଠିତ ହୋଇଥିଲା।

ଦେବତାମାନଙ୍କର ସମ୍ମିଳିତ ତେଜରୁ ସଂଭୂତା ସେହି ଦେବୀଙ୍କୁ ଦେବତାମାନେ ବିଭିନ୍ନ ଆୟୁଧ ଉପହାର ଦେଇଥିଲେ। ତାହାଦ୍ୱାରା ମହିଷାସୁର ସହିତ ଯୁଦ୍ଧ କରି, ଦେବୀ ପରିଶେଷରେ ତାକୁ ନିହତ କଲେ। ତାହା ଫଳରେ ତାଙ୍କର ନାମ ହେଲା ମହିଷମର୍ଦ୍ଦିନୀ।

ସମ୍ବନ୍ଧିତ ଖବର