କେମିତି ଜାଣିବେ ଆପଣଙ୍କର ମଧୁମେହ ଅଛି ବୋଲି? ଏହି ସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ

ମଧୁମେହ ଏକ ସାଧାରଣ ରୋଗ ଅଟେ। ଯାହା ବିଶ୍ୱର ଅନେକ ଲୋକଙ୍କ ଭିତରେ ଦେଖିବାକୁ ମିଳିଥାଏ । ମଧୁମେହର ଲକ୍ଷଣକୁ ଠିକ୍ ସମୟରେ ଚିହ୍ନଟ କରାଗଲେ ଏହା ଗମ୍ଭୀର ପରିସ୍ଥିତିକୁ ଯିବା ପୁର୍ବରୁ ଉପଚାର କରାଯାଇପାରିବ । “ଟାଇପ ୨” ମଧୁମେହରେ ଏପରି କିଛି ଲକ୍ଷଣ ପରିଲକ୍ଷିତ ହୋଇଥାଏ ଯାହାକୁ ଚିହ୍ନଟ କରି ଏହାର ଉପଚାର କରିବା ନିହାତି ଆବଶ୍ୟକ ହୋଇଥାଏ ।

ବିଶ୍ବର  ଅଧିକାଂଶ ଲୋକ ଏହି ରୋଗରେ ପୀଡ଼ିତ । “ଇଣ୍ଡିଆନ ଜର୍ନାଲ ଚକ୍ଷୁ ଚିକିତ୍ସା ବିଜ୍ଞାନ” ଅନୁଯାୟୀ ୨୦୪୫ ମସିହା ପର୍ଯ୍ୟନ୍ତ ଭାରତରେ ୩୫.୭ କୋଟି ଲୋକ ମଧୁମେହର ଶିକାର ହୋଇପାରନ୍ତି ବୋଲି ଜଣାପଡିଛି । ମଧୁମେହରେ ପୀଡିତ ଥିବା ସମୟରେ ରକ୍ତରେ ଶର୍କରାର ସ୍ତରକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଅଟେ । ଏହି ରୋଗରେ ସାଧାରଣତଃ ଅସ୍ପଷ୍ଟ ଦୃଷ୍ଟିଶକ୍ତି,ମୋତିଆବିନ୍ଦୁ, ବାରମ୍ବାର ମୁଣ୍ଡବିନ୍ଧା, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା, ଓ ହୃଦୟରେ ଦ୍ରୁତ ଗତିରେ କମ୍ପନ ହେବା ଆଦି ସମସ୍ୟା ଦେଖାଯାଇଥାଏ।

ଏହି ସମସ୍ତ ଲକ୍ଷଣ ଗୁଡିକୁ ଅଣଦେଖା କରିବା ପରିବର୍ତ୍ତେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ମଧୁମେହ ସାଧାରଣତଃ ୨ ପ୍ରକାରର ହୋଇଥାଏ । ଟାଇପ-୧ ମଧୁମେହରେ ଶରୀରରୁ ଇନସୁଲିନ ଉତ୍ପାଦନ ହୋଇନଥାଏ ମାତ୍ର ଟାଇପ -୨ ମଧୁମେହରେ ଇନସୁଲିନ ଉତ୍ପନ୍ନ ହୋଇଥାଏ । ଡାକ୍ତରମାନଙ୍କ କହିବା ଅନୁସାରେ ଏହି ରୋଗ ଶରୀର ମଧ୍ୟରେ ଥାଇ ମଧ୍ୟ ଏହାର ଲକ୍ଷଣ ବହୁଦିନ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇନଥାଏ। ତେଣୁ କୌଣସି ବି ଲକ୍ଷଣକୁ ଅଣଦେଖା କରିବା ଅନୁଚିତ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି ।

ଏହି ରୋଗର କେତେକ ଅସାମାନ୍ୟ ଲକ୍ଷଣ ମଧ୍ୟ ପରିଲକ୍ଷିତ ହୋଇଥାଏ। ସେଗୁଡିକ ମଧ୍ୟରେ ଆବଶ୍ୟକତା ଠାରୁ ଅଧିକ ପରିସ୍ରା ଲାଗିବା, ସବୁବେଳେ ଶୋଷ ଲାଗିବା, ଅଧିକ ଥକା ଲାଗିବା , ବିନା ପରିଶ୍ରମରେ ଓଜନ କମିବା , କୌଣସି କ୍ଷତ ସ୍ଥାନ ଶୁଖିବା କିମ୍ବା ଠିକ ହେବା ପାଇଁ ସମୟ ଲାଗିବା , ଆଖିକୁ ଠିକ ଭାବେ ଦେଖାନଯିବା ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ।

 

ସମ୍ବନ୍ଧିତ ଖବର