ନୂଆଦିଲ୍ଲୀ: ଆଜିକାଲି ଡାଇବେଟିସ୍‌ ହେବା ଏକ ସାଧାରଣ କଥା । ଏହି ରୋଗ ହେବା ମାତ୍ରେ ଶରୀରରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ମୁଖ୍ୟତଃ ରୋଗୀଙ୍କର ଆଖିରେ ଅଧିକ ସମସ୍ୟା ଦେଖା ଦେଇଥାଏ। ଅଧିକତର ଡାଇବେଟିସ୍‌ ଥିବା ଲୋକଙ୍କ ଦୃଷ୍ଟିଶକ୍ତି ଶୀଘ୍ର ଦୁର୍ବଳ ହୋଇଯାଏ । ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ ଯାହାକୁ ଆପଣାଇବା ଦ୍ବାରା ଆପଣଙ୍କ ଆଖି ସୁସ୍ଥ ରହିପାରିବ ।

Advertisment

ରକ୍ତରେ ସୁଗାର ମାତ୍ରାକୁ ନିୟନ୍ତ୍ରଣ ରଖିବା
ଡାଇବେଟିସ୍‌ ରୋଗୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସେମାନେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ  ସୁଗାର ମାତ୍ରାକୁ ପରୀକ୍ଷା କରି‌ନେବା ଉଚିତ୍‌ । କାରଣ କୌଣସି କାରଣରୁ ଯଦି ରକ୍ତରେ ସୁଗାରର ମାତ୍ରା ବଢିଯାଏ ତା’ହେଲେ ଆପଣଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଯେପରି ଆଖିକୁ କମ୍‌ ଦେଖିାଯିବା, ହୃଦୟ ଜନିତ ରୋଗ, କିଡନି ଜନିତ ରୋଗ ଏପରି ବହୁତ କିଛି । ଯଦି ଆପଣ ଆପଣଙ୍କ ସୁଗାର ଲେଭଲ୍‌କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଯିବେ ତେବେ ଆପଣ ଏହି ସବୁ ସମସ୍ୟାରୁ ରକ୍ଷା ପାଇପାରିବେ ।

ଶରୀରର ଅନ୍ୟ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ
ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ କିମ୍ବା କୋଲେଷ୍ଟ୍ରୋଲ୍‌ର ସମସ୍ୟା ଅଛି ତେବ‌େ ଆପଣ ଏହାକୁ ତୁରନ୍ତ ନିୟନ୍ତ୍ରଣରେ ରଖନ୍ତୁ। ନହେଲେ ଏହା ଆପଣଙ୍କ ଦୃଷ୍ଟି ଶକ୍ତିକୁ ଦୁର୍ବଳ କରିପାରେ ।

ଧୂମପାନ ଛାଡିଦିଅନ୍ତୁ
ଆପଣମାନେ ଜାଣିଥିବେ ଧୂମପାନ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ । ଯଦି ଆପଣଙ୍କର ଡାଇବେଟିସ୍‌ ଅଛି ଓ ଆପଣ ଧୂମପାନ କରୁଛନ୍ତି ତା’ହେଲେ ଆପଣ ମୃତ୍ୟୁ ସହ ଖେଳୁଛନ୍ତି କହିଲେ କମ୍‌ ହେବ ନାହିଁ । ଧୂମପାନ କରିବା ଦ୍ବାରା ଆପଣଙ୍କ ଶିରା ପ୍ରଶିରା ଦୁର୍ବଳ ହୋଇଯାଇଥାଏ, ଯାହା ଦ୍ବରା ଆପଣଙ୍କୁ ଦେଖିବା‌ରେ ସମସ୍ୟା ହୋଇଥାଏ । ଏହି କାରଣରୁ ଯଦି ଆପଣ ଆପଣଙ୍କ ଆଖିକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତାହାଲେ ଆପଣ ଧୂମପାନ ଛାଡିଦିଅନ୍ତୁ ।

ପ୍ରତିଦିନ ବ୍ୟାୟାମ କରିବା
ପ୍ରତିଦିନ ବ୍ୟାୟାମ କରିବା ଦ୍ବାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିଥାଏ ଏବଂ ବ୍ୟାୟାମ କରିବା ଦ୍ବାରା ଆପଣଙ୍କ ଆଖି ମଧ୍ୟ ଭଲ ରହିଥାଏ । ଏଥି ପାଇଁ ଆପଣଙ୍କୁ ପ୍ରତିଦିନ ୪୫ ମିନିଟରୁ ୧ ଘଣ୍ଟା ବ୍ୟାୟାମ କରିବା ଦରକାର ।  ଆପଣ ଯେ କୌଣସି ବ୍ୟାୟାମ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ, ଯାହାକି ଆପଣଙ୍କ ଶରୀରରେ ପାର୍ଶ୍ବପ୍ରତିକ୍ରିୟା ହେବାରୁ ରକ୍ଷା କରିବ ।