ଆଲୋକର ପର୍ବ ଦୀପାବଳି। ଏହିଦିନ ଚାରିଆଡ଼େ ପ୍ରଜ୍ବଳିତ ହୁଏ ଆଲୋକ। ଚାରିଆଡ଼େ ମୁଖର ହୋଇଉଠେ ଉତ୍ସବ ଓ ପାର୍ବଣର ମୁହୂର୍ତ୍ତ। ଦେଶର ଅନ୍ୟ ସ୍ଥାନମାନଙ୍କ ଭଳି ଆମ ରାଜ୍ୟରେ ଦୀପାବଳି ସହିତ ଯୋଡ଼ିହୋଇ ରହିଛି କାହିଁ କେତେ ପରମ୍ପରା। ଦୀପାବଳିର ସେହି ବିବିଧ ପରମ୍ପରାକୁ ନେଇ ‘ରବିବାର ଫିଚର୍ସ’ର ସ୍ବତନ୍ତ୍ର ପ୍ରତିବେଦନ।
‘ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସ, ଆଲୁଅରେ ଯାଅ’- ଦୀପାବଳି ଦିନ ଏହିଭଳି କେତୋଟି ଶବ୍ଦ ମାଧ୍ୟମରେ ପିତୃପୁରୁଷଙ୍କୁ ସ୍ମରଣ କରାଯାଇଥାଏ। ଦୀପାବଳି ଦିନ ଅନ୍ୟ ରାଜ୍ୟରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କ ସ୍ମରଣ କରାଯିବାର ପରମ୍ପରା ଥାଇପାରେ, ନଥାଇପାରେ କିମ୍ବା ପିତୃପୁରୁଷଙ୍କୁ ଡାକିବା ପାଇଁ ଅନ୍ୟ କିଛି ବିଧି ରହିଥାଇପାରେ। ହେଲେ, ଆମ ରାଜ୍ୟରେ ପରିବାରର ସମସ୍ତେ ଏକାଠି ହୋଇ ‘ବଡ଼ବଡ଼ୁଆ’ଙ୍କୁ ଡାକିବା ଦୀପାବଳି ଦିନର ଏକ ବଡ଼ ପରମ୍ପରା। ସେହିଦିନ ବି ପୟାଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ, ଯାହାକୁ କି ଅର୍ପଣ କରାଯାଇଥାଏ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ। ଦୀପାବଳି କ’ଣ ପାଇଁ ହୁଏ, ତାହାର ଅନେକ କାହାଣୀ ରହିଛି। ସେଥିମଧ୍ୟରୁ ସର୍ବଜନବିଦିତି ଗୋଟିଏ କାହାଣୀ ହେଉଛି, ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ପିତୃସତ୍ୟ ପାଳନ ପୂର୍ବକ ଚଉଦ ବର୍ଷ ବନବାସ ଓ ରାବଣର ନିଧନ ସାରି ଫେରିବାପରେ ଅଯୋଧ୍ୟାବାସୀ ଆନନ୍ଦ ଉଲ୍ଲାସ ସହ ଆଲୋକ ଜଳାଇ ତାଙ୍କର ମହାଭିଷେକ ଉତ୍ସବ ପାଳନ କରିଥିଲେ। ସେହି ବିଜୟ ଉତ୍ସବକୁ ସ୍ମରଣ ପୂର୍ବକ ଏହି ଦୀପାବଳି ପର୍ବର ଆୟୋଜନ। ଅନ୍ୟ ଏକ ମତବାଦ ଅନୁଯାୟୀ, ରାଜା ବଳିଙ୍କୁ ବିଷ୍ଣୁ ବାମନ ରୂପରେ ପାତାଳକୁ ଚାପି ଦେଇଥିଲେ। ପ୍ରଜାବତ୍ସଳ ରାଜା ବଳି ପାତାଳକୁ ଯିବା ପୂର୍ବରୁ ପ୍ରଭୁଙ୍କୁ ବର ମାଗିଥିଲେ। ପ୍ରଜାମାନଙ୍କୁ ଦେଖିବା ପାଇଁ ଗୋଟିଏ ଦିନ ଅନୁମତି ମାଗିଥିଲେ। କାର୍ତ୍ତିକ ଚତୁର୍ଦ୍ଦଶୀ ଦିନ ବଳି ରାଜା ମର୍ତ୍ତ୍ୟମଣ୍ଡଳକୁ ଆସୁଥିବା ବିଶ୍ବାସ କରାଯାଏ। ତେଣୁ ପ୍ରଜାବତ୍ସଳ ବଳି ରାଜାଙ୍କୁ ସ୍ବାଗତ କରିବା ପାଇଁ ଘରେ ଘରେ ଦୀପ ପ୍ରଜ୍ବଳନ କରାଯାଇଥାଏ ବୋଲି ପୌରାଣିକ କିଂବଦନ୍ତି ଆଧାରରେ କହିଛନ୍ତି ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶ।
ଦୀପାବଳି କହିଲେ ପ୍ରଥମେ ବୁଝିବାକୁ ହୁଏ ଯେ ଏହା ହେଉଛି ଆଲୋକର ପର୍ବ। ଏହିଦିନ ଗ୍ରାମାଞ୍ଚଳରେ ଥିବା ମନ୍ଦିରରେ ଘଣ୍ଟଘଣ୍ଟା ଧ୍ବନି ବାଜିବାର ପରେ ପରେ ପ୍ରତ୍ୟେକ ଘର ଦୁଆର ମୁହଁରେ ଜଳିଉଠେ ଦୀପ କିମ୍ବା ମହମବତି। ସହରରେ ସନ୍ଧ୍ୟା ସମୟର ଘଣ୍ଟଧ୍ବନି ଶୁୁଭୁକି ନଶୁଭୁ ଦିନ ଆଲୁଅ ନିଷ୍ପ୍ରଭ ହୋଇଯିବା କିମ୍ବା ବତିଖୁଣ୍ଟରୁ ନିଅନ ଆଲୁଅ ଜଳିବା ମାତ୍ରକେ ରଙ୍ଗିନ ଆଲୋକରେ ଝଲ୍ସି ଉଠିଥାଏ ଘର। ଏବେ ତ ବଜାରକୁ କବ୍ଜା କରିନେଇଛି ରଙ୍ଗିନ ଏଲ୍ଇଡି ଓ ମହମବତି। ତଥାପି, ଶଙ୍ଖାକୃତି, ପାନପତ୍ରାକୃତି, ଚତୁର୍ମୁଖୀ, ପଞ୍ଚମୁଖୀଠାରୁ ଅାରମ୍ଭ କରି ବିଭିନ୍ନ ରଙ୍ଗବେରଙ୍ଗର ଦୀପ ତିଆରି କରି ଗ୍ରାହକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି ମାଟି କାରିଗରକୁ। ବିକ୍ରିହେବାର ଆଶାରେ ଏବଂ ନହେବାର ଦୁଃଖରେ ରହିଥା’ନ୍ତି ମାଟି କାରିଗର। ଯେମିତିକି କୁହନ୍ତି ରାଜଧାନୀ ଉପକଣ୍ଠର ଜଣେ ଦୀପ କାରିଗର ଧର୍ମାନନ୍ଦ ମୁଦୁଲି, ‘ଦିନକୁ ଦିନ ଦୀପ ତିଆରି ଖର୍ଚ୍ଚ ବଢ଼ୁଛି, ଆୟ କମୁଛି। ପୁଣି ବଜାରକୁ ବାହାର ରାଜ୍ୟରୁ ଆସୁଥିବା ଦୀପକୁ ଲୋକେ ଚଢ଼ାଦରରେ କିଣୁଛନ୍ତି, ହେଲେ ଆମଠାରୁ ହାତ ତିଆରି ଦୀପ ନେଉନାହାନ୍ତି।’ ତଥାପି, ଅନେକ ଘରେ ଜଳିଉଠେ ଦୀପ, ହେଲେ ଜଳେନାହିଁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅନ୍ତର୍ଗତ ବଣ୍ଡାଘାଟିରେ। ବଣ୍ଡାଘାଟିର ଜଣେ ମହିଳା ରଇଲା ଅାମ ପ୍ରତିନିଧିଙ୍କୁ କହନ୍ତି ଯେ, ‘ନେ ଗୁଲାଇ ବରଷ୍ ପରବ୍ ଡେ ମହ୍ ଗ୍ ନେନି। ମାରି କନ୍ଗଗ ବରଷସ୍ ଲନ୍ ଦୀପାବାଲୀ ପରବ୍ ସାର୍ଦ୍ଧା ଡେମହ୍ ଗ୍ ନେନି। ମାରି ଦୀପାବାଲୀ ବହ୍ ଗ ଫଟକି ଫୁତାଇହ୍ ଗ ନେନି।’ ଏହାର ଅର୍ଥ ହେଉଛି, ଆମେ ଆମ ପର୍ବ ପାଳନ କରିଥାଉ। ହେଲେ, ଏଇ କେଇବର୍ଷ ହେବ ଦୀପାବଳି ପାଳୁଛୁ। ପଟକି (ବାଣ) ଫୁଟାଉଛୁ। ‘ଦୀପାବଳିରେ ସମସ୍ତେ କ’ଣ ଦୀପ, ମହମବତି କି ଏଲ୍ଇଡି ଜଳାନ୍ତି? ହେଲେ, ଅନେକେ କୌଣସି ଆଲୋକ ବି ଜଳାନ୍ତିନି। ଏହା ସତ୍ତ୍ବେ ବି ଦୀପାବଳିର ଆଲୋକରେ ଆଲୋକିତ ହୋଇଯାଏ ସେମାନଙ୍କ ମନ। ତାହା ହିଁ ତ ଉତ୍ସବ। ଉତ୍ସବ ଆଉ କ’ଣ କି? ବୋଲି କୁହନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ଶୁଭ୍ରାଂଶୁ ବିଶ୍ବାଳ, ଯିଏ କି କବିତା ଲେଖିବାରେ ରୁଚି ରଖନ୍ତି।
ଦୀପାବଳିର ସବୁଠୁ ବଡ଼ ଆକର୍ଷଣ କ’ଣ? ସମସ୍ତେ ଖୋଲାକଣ୍ଠରେ କହିବେ ବାଣ। ଦୀପାବଳି ଦିନ ସାରାଦେଶରେ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ବାଣ ଫୁଟିଥାଏ। ଏକ ରିପୋର୍ଟ ଅନୁସାରେ, କରୋନା ପୂର୍ବରୁ ୨୦୧୮ ମସିହାରେ ଆମ ଦେଶରେ ବାଣ ବ୍ୟବସାୟ ବଜେଟ୍ ଥିଲା ୨୦,୦୦୦ କୋଟି ଏବଂ ପ୍ରତିବର୍ଷ ବାଣଫୁଟା ବାବଦରେ ହାରିହାରି ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଆମ ରାଜ୍ୟରେ ବି ପ୍ରତିବର୍ଷ ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ‘ସମ୍ବାଦ’ର ରିପୋର୍ଟ ଅନୁସାରେ ୨୦୧୮ ମସିହାରେ ବାଣଫୁଟାରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୯ ମସିହାରେ ଖର୍ଚ୍ଚ ହୋଇଥିଲା ୮ କୋଟି ଟଙ୍କା। ତେବେ, କରୋନାଜନିତ କାରଣରୁ ୨୦୨୦ ମସିହାରେ ଓଡ଼ିଶା ସରକାର ବାଣ ବିକ୍ରି ଏବଂ ଫୁଟାଇବାକୁ ବନ୍ଦ କରିଦେଇଥିଲେ। ୨୦୨୧ ମସିହାରେ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ଏଥିପାଇଁ ଅନୁମତି ମିଳିଥିଲା। ନିର୍ଦ୍ଦିଷ୍ଟ ଭାବେ ସବୁଜ ବାଣ ବିକ୍ରି ଓ ବ୍ୟବହାର ସମ୍ବନ୍ଧିତ ସୁପ୍ରିମ୍କୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଗାଇଡ୍ଲାଇନ୍କୁ କଡ଼ାକଡ଼ି ପାଳନ କରିବା ପାଇଁ ସରକାର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଚିଠି ଲେଖିଥିଲେ। ତଥ୍ୟାଭିଜ୍ଞ ମହଲରୁ ପ୍ରକାଶ ଯେ ଆମ ଦେଶରେ ବାଣଫୁଟା ପ୍ରାୟତଃ ୨୦୦ ବର୍ଷ ପୂର୍ବରୁ
ଆରମ୍ଭ ହୋଇଛି। ଏନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନଥିବା ବେଳେ କେହି କେହି ଏହାକୁ ୭୦୦ ବର୍ଷର ପୁରୁଣା ବୋଲି କୁହନ୍ତି। ଆମ ରାଜ୍ୟେର କେବେଠାରୁ ପରମ୍ପରାଗତ ଭାବେ ବାଣଫୁଟା ଆରମ୍ଭ ହୋଇଛି ସେ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନଥିବା ପଣ୍ଡିତମାନେ କୁହନ୍ତି।ତେବେ, ବର୍ତ୍ତମାନ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପରିବେଶବିତ୍ମାନେ ବାଣକୁ ସମ୍ପୂର୍ଣ୍ଣ ଭାବେ ନିିଷିଦ୍ଧ କରାଯିବା ଉଚିତ। ସେମାନଙ୍କ ମତରେ, ‘ବାଣ ଫୁଟାଇବାରେ ଦୁଇପ୍ରକାର ସମସ୍ୟା ଦେଖାଦେଇଥାଏ। ପ୍ରଥମତଃ ବାଣ ପ୍ରସ୍ତୁତିରେ ପୋଟାସିୟମ୍ ନାଇଟ୍ରେଟ୍, କ୍ୟାଲ୍ସିୟମ୍, ଫସ୍ଫରସ୍, ବେରିୟମ୍, ଆଲୁମିନମ୍ ବ୍ୟବହୃତ ହେଉଛି। ବାଣ ଫୁଟିଲେ ଅଙ୍ଗାରକାମ୍ଳ, କାର୍ବନ୍ ମନୋକ୍ସାଇଡ୍, ସଲ୍ଫର୍ ଡାଇଅକ୍ସସାଇଡ୍ ଓ ଆହୁରି ଅନେକ ବିଷାକ୍ତ ଧୂଅଁା ନିର୍ଗତ ହେଉଥିବାରୁ ଏହା ପରିବେଶକୁ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ କରିଥାଏ। ଦ୍ବିତୀୟରେ ଶବ୍ଦ ପ୍ରଦୂଷଣ ମଧ୍ୟ ହୋଇଥାଏ। ଅଧିକାଂଶ ରାସାୟନିକ ବାଣର ଧ୍ବନିସ୍ତର ୧୧୫ରୁ ୧୩୦ ଡେସିବଲ ହୋଇଥିବାରୁ ଏହା ଶରୀରରେ ଅସ୍ବାସ୍ଥ୍ୟକର ପ୍ରତିକ୍ରିୟା ସୃଷ୍ଟି କରିଥାଏ।’ ଏହା ସତ୍ତ୍ବେ ବି ଦୀପାବଳିେର ଆତସବାଜି ଏକ ପ୍ରମୁଖ ଅଂଶବିଶେଷ ପାଲଟିଛି, ଯଦିଓ ଲୋକମାନେ ପୂର୍ବାପେକ୍ଷା ଅଧିକ ସଚେତନ ହେବା ସହିତ ଗ୍ରୀନ୍ କ୍ରାକର୍ ବା ସବୁଜ ବାଣ ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଯେଉଁଥିପାଇଁ ଚଳିତବର୍ଷ ମଧ୍ୟ ରାସାୟନିକ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମ୍କୋର୍ଟ। ଏଥିସହିତ, ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ୨୦୧୮ ମସିହାେର ବାଣ ଫୁଟାଇବା ଉପରେ ଦିଆଯାଇଥିବା ନିଷେଧାଦେଶ ରାୟ ସାରାଦେଶରେ ଲାଗୁହେବ ବୋଲି କହିଛନ୍ତି।
ଅନ୍ୟପକ୍ଷରେ, ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣଫୁଟାକୁ ବନ୍ଦ କରିବାକୁ ଯେଉଁମାନେ ନାପସନ୍ଦ କରୁଛନ୍ତି ସେମାନଙ୍କର ଯୁକ୍ତି ହେଉଛି, ‘ପ୍ରତିବର୍ଷ ସାରାଦେଶେର ଯେତିକି ମାତ୍ରାରେ ପ୍ରଦୂଷଣ ହେଉଛି ଦୀପାବଳି ଦିନର ବାଣଫୁଟା ଯୋଗୁ ତାହାର ମାତ୍ରା ହେଉଛି ମାତ୍ର ୦.୨୭ ପ୍ରତିଶତ।’ ତେଣୁ ଅନ୍ୟଦିନମାନଙ୍କରେ ପ୍ରଦୂଷଣ ମାତ୍ରା ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସେମାନେ ମତ ଦିଅନ୍ତି। ସେହିଭଳି, ଏହି କଟକଣା ଯୋଗୁ ବାଣ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହେଉଥିବା କୁହନ୍ତି ଜଟଣୀ ପାଇକାରୀ ସଂଘର ସଭାପତି ତ୍ରିଲୋଚନ ପଟ୍ଟନାୟକ। ଚଳିତବର୍ଷ ଶିବକାଶୀରୁ ଅର୍ଡର ତୁଳନାରେ କମ୍ ବାଣ ଆସିଥିବା ଏବଂ ଚଳିତବର୍ଷ ଅଧିକ ସବୁଜ ବାଣ ବିକ୍ରି ହେବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି। ରାଜ୍ୟରେ ଯେଉଁ କେତେକ ବଡ଼ ବାଣ ମାର୍କେଟ୍ ରହିଛି, ତନ୍ମଧ୍ୟରୁ ପ୍ରମୁଖ ବଜାର ହେଉଛି ଜଟଣୀ। ତେବେ, ଏହି କଟକଣା ସହିତ ପାଖାପାଖି ଦୁଇବର୍ଷ ଧରି ପୂର୍ବରୁ ବଜାରରେ ବେଶ୍ ଆଧିପତ୍ୟ ବିସ୍ତାର କରି ଆସୁଥିବା ଚାଇନା ବାଣର କାରବାର ବନ୍ଦ ହୋଇଯାଇଛି।
ଦୀପାବଳି ସହିତ ଯୋଡ଼ି ହୋଇଯାଇଛି ଆଉ ଏକ ଅନନ୍ୟ ପରମ୍ପରା, କାଳୀପୂଜା। ଭଦ୍ରକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସେହିଦିନ ମା’ କାଳୀପୂଜା ମଣ୍ଡପରେ ବିରାଜମାନ କରନ୍ତି। କଥିତ ଅଛି ଆଜକୁ ପ୍ରାୟ ଶହେବର୍ଷ ତଳେ ଜଣେ ଦକ୍ଷିଣ ଭାରତୀୟ ରେଳ କର୍ମଚାରୀ ଭଦ୍ରକ ରେଳବାଇ ପରିସରରେ ପ୍ରଥମେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ସେଦିନର ସେହି ପୂଜା ସାରା ଜିଲ୍ଲାକୁ ପରିବ୍ୟାପ୍ତ ହୋଇ ଗଣପର୍ବରେ ପରିଣତ ହୋଇଛି। ସେହିଭଳି କୁହାଯାଏ କଟକର କାଳୀପୂଜା ହେଉଛି ପାଖାପାଖି ୭୦୦ ବର୍ଷର ପରମ୍ପରା। ଷୋଡ଼ଷ ଶତାବ୍ଦୀରେ ବଙ୍ଗାଳୀମାନେ ହିଁ ପ୍ରଥମେ କଟକକୁ କାଳୀପୂଜା ଆଣିଥିଲେ। ଦଶହରାର ଠିକ୍ ପରେପରେ କାଳୀପୂଜା ଏବେ ସାରାରାଜ୍ୟରେ ପାର୍ବଣର ମୁହୂର୍ତ୍ତ ଆଣୁଥିବା କୁହନ୍ତି ଜନାର୍ଦ୍ଦନ ମିଶ୍ର, କଟକର ଜଣେ ଅଧିବାସୀ।
ଦୀପାବଳି ସମୟରେ କାହିଁକି ମା’ କାଳୀଙ୍କ ପୂଜା କରାଯାଇଥାଏ, ତାହାର ମଧ୍ୟ ଏକ କିଂବଦନ୍ତି ରହିଛି। କାର୍ତ୍ତିକ ଚତୁର୍ଦ୍ଦଶୀରେ ଦେବୀ କାଳୀଙ୍କର ଆବିର୍ଭାବ ତଥା ଜନ୍ମ ହୋଇଥିବାରୁ ମା’ଙ୍କୁ ଉକ୍ତଦିନ ନିଃଶାର୍ଦ୍ଧରେ ପୂଜାର୍ଚ୍ଚନା କରାଯାଏ। ପରଦିନ ଦୀପାବଳି ପର୍ବ ଅନୁଷ୍ଠିତ ହୁଏ ବୋଲି କୁହନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶ।
କାଳୀପୂଜା ବାଦ୍ ଦୀପାବଳି ଆମ ରାଜ୍ୟର ଆଉ କେତେକ ଅଞ୍ଚଳରେ ବି ସ୍ବତନ୍ତ୍ର ଭାବେ ପର୍ବ ପାଳନ କରାଯାଇଥାଏ, ଯେମିତିକି ମୟୂରଭଞ୍ଜରେ ବନ୍ଦାଣ ପର୍ବ। ଜିଲ୍ଲାର କୁଡୁମୀ, ଭୂମିଜ, ବାଥୁଡ଼ି, ଲୋଧା, ଗଣ୍ଡ ପ୍ରଭୃତି ସମ୍ପ୍ରଦାୟର ଲୋକେ ‘ଦୀପାବଳି’କୁ ବାନ୍ଦଣା ପର୍ବ ଭାବେ ପାଳନ କରୁଥିବା ବେଳେ ସାନ୍ତାଳ ସମ୍ପ୍ରଦାୟର ଲୋକେ ଏହାକୁ ‘ସହରାୟ’ ପର୍ବ ଭାବେ ପାଳନ କରିଥା’ନ୍ତି। ରାଇରଙ୍ଗପୁରର ଯୁଧିଷ୍ଠିିର ଗମାଙ୍ଗଙ୍କ କହିବାନୁସାରେ, ‘ଆମେମାନେ ମା’ କାଳୀଙ୍କୁ ଧନଦେବୀ ଓ ବନଦେବୀର ପ୍ରତୀକ ଭାବେ ପୂଜା କରୁଛୁ। ଏହି ସମୟରେ ଗୋସମ୍ପଦକୁ ପୂଜା କରିବା ହେଉଛି ଏକ ନିଅାରା ପରମ୍ପରା। ସେହିଭଳି, ରାଜ୍ୟର ଆଉ କେତେକ ସ୍ଥାନରେ ଦୀପାବଳିକୁ ସ୍ବତନ୍ତ୍ର ଭାବେ ପାଳନ କରିଥା’ନ୍ତି। ଦୀପାବଳି ସହିତ ଯୋଡ଼ିହୋଇଛି ଧନ୍ତେରସ୍। ବିଶ୍ବାସ ରହିଛି ଯେ ଏହିଦିନ ସୁନା କିଣିଲେ କୁଆଡ଼େ ଘରକୁ ଲକ୍ଷ୍ମୀ ଆସିଥାଏ। ସେଇଥିପାଇଁ ତ ଭୁବନେଶ୍ବର, କଟକ, ବ୍ରହ୍ମୁପର, ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସହରରେ ବଡ଼ ବଡ଼ ସୋରୁମ୍ରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥାଏ। ଯାଜପୁରର ଗବେଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର କୁହନ୍ତି, ‘ମା ଗଜଲକ୍ଷ୍ମୀଙ୍କ ଆବିର୍ଭାବ ସମଗ୍ର ବିଶ୍ୱ ପାଇଁ ଧନର ଏକ ଆବାହନ। ଲୋକମାନଙ୍କ ମନରେ ଯେପରି ମା’ଙ୍କ ପ୍ରତି ଧନ ଦେବୀ ରୂପେ ସମ୍ମାନ ରହିଛି ସେହିପରି ଧନ୍ତେରସ୍ରେ କୌଣସି ଧାତୁଦ୍ରବ୍ୟ କ୍ରୟ କଲେ ତାହା ପରିବାର ପାଇଁ ମଙ୍ଗଳମୟ ହୋଇଥାଏ। ଏହି ପରମ୍ପରାଗତ ବିଶ୍ୱାସକୁ ନେଇ ଆମ ଦେଶରେ ଏହି ଉତ୍ସବ ପାଳନ ହୋଇଆସୁଛି।’
ଧନ୍ତେରସ୍ରେ ରାଜ୍ୟରେ ସବୁଠାରୁ ବଡ଼ ଆକର୍ଷଣ ସୁନା ବିକ୍ରି। ଦୀପାବଳିର ଠିକ୍ ଦୁଇଦିନ ପୂର୍ବରୁ ପାଳିତ ଏହି ‘ଧନ୍ତେରସ୍’ ପାଇଁ ଗୋଟିଏ ଦିନରେ ୧୪୦ କୋଟିର ଟଙ୍କାର ସୁନା ବିକ୍ରି ହୋଇଛି। ଭୁବନେଶ୍ବରରେ ସୁନା ଦର ୧୦ ଗ୍ରାମ୍ ପିଛା ପ୍ରାୟ ୩୨ ହଜାର ଟଙ୍କା ପାଖାପାଖି ରହିଥିଲା। ଏହାକୁ ଦେଖିଲେ ରାଜ୍ୟର ଗ୍ରାହକମାନେ ଗୋଟିଏ ଦିନରେ ପ୍ରାୟ ସାଢ଼େ ଚାରି କ୍ବିଣ୍ଟାଲ୍ ସୁନା ବୋହି ନେଇଥିଲେ। ସୁନା ମୂଲ୍ୟ ଗତବର୍ଷ ତୁଳନାରେ ପାଖାପାଖି ୨୦୦୦ ଟଙ୍କା ଅଧିକ ଥିଲେ ମଧ୍ୟ ଏହା ବିକ୍ରିକୁ ପ୍ରଭାବିତ କରିପାରି ନଥିଲା। ପାଗ ଅନୁକୂଳ ରହିବା ସହ ଆକର୍ଷଣୀୟ ଅଫର ବିକ୍ରି ବୃଦ୍ଧିରେ ଏହା ବିଶେଷ ସହାୟକ ହୋଇଥିଲା। ଆଗକୁ ବାହାଘର ତିଥି ଥିବାରୁ ଧନ୍ତେରସ୍ରେ ଗ୍ରାହକମାନେ ଅଧିକ ମାତ୍ରାରେ ସୁନା କିଣିଛନ୍ତି। ବିଶେଷକରି, ସୋରୁମ୍ଗୁଡ଼ିକ ପକ୍ଷରୁ ଯେଉଁସବୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଥିଲା, ତାହା ଆଗାମୀ ଦିନରେ ହୁଏତ ମିଳି ନପାରେ। ତାହା ହିଁ ବିକ୍ରି ବୃଦ୍ଧିର ଅନ୍ୟତମ କାରଣ ବୋଲି ବ୍ୟବସାୟୀମାନେ କହିଛନ୍ତି। ରାଜଧାନୀର ଏକ ପ୍ରମୁଖ ଗହଣା ସୋ’ରୁମ୍ର ବରିଷ୍ଠ କର୍ମକର୍ତ୍ତାଙ୍କ କହିବାନୁଯାୟୀ, ଗତବର୍ଷ ତୁଳନାରେ ଚଳିତବର୍ଷ ଧନ୍ତେରସ୍ରେ ୧୦ ପ୍ରତିଶତରୁ ଅଧିକ ସୁନା ବିକ୍ରି ହୋଇଛି। ସାଧାରଣ ଦିନଗୁଡ଼ିକରେ ଯେଉଁ ବିକ୍ରି ହୋଇଥାଏ ତାହା ତୁଳନାରେ ପାଖାପାଖି ୧୦ ଗୁଣ ଅଧିକ ବିକ୍ରି ହୋଇଛି ବୋଲି ସେ କହିଛନ୍ତି। କେବଳ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପାଖାପାଖି ୭୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି।
ଅର୍ଥାତ୍ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ଗ୍ରାହକମାନେ ଦୁଇ କ୍ବିଣ୍ଟାଲ୍ରୁ ଅଧିକ ସୁନାଗହଣା ଘରକୁ ବୋହି ନେଇଛନ୍ତି। ସୁନା ବ୍ୟତୀତ ରୁପା, ହୀରା ଓ ପ୍ଲାଟିନମ୍ ଭଳି ମୂଲ୍ୟବାନ ଧାତୁରେ ପ୍ରସ୍ତୁତ ଗହଣାକୁ ମଧ୍ୟ ଗ୍ରାହକମାନେ କିଣିଛନ୍ତି। ବାହାଘର ପାଇଁ ଯେଉଁମାନେ ଗହଣା କିଣିଛନ୍ତି ସେମାନେ ଅଧିକ ଓଜନର ଗହଣା କିଣିବାକୁ ପସନ୍ଦ କରିଛନ୍ତି। ଧନ୍ତେରସ୍ ପାଇଁ ରାଜଧାନୀ ଓ ଅନ୍ୟ ସହରର ଗହଣା ସୋରୁମ୍ଗୁଡ଼ିକ ଗତ କିଛିଦିନ ହେଲା ପ୍ରସ୍ତୁତ ହୋଇ ରହିଥିଲେ। ସୋରୁମ୍ରେ ନୂଆ ନୂଆ ଡିଜାଇନ୍ର ଗହଣା ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରଖିବା ସହିତ ସୋରୁମ୍ ବାହାରକୁ ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ କରିଥିବା ଦେଖିବାକୁ ମିଳିଥିଲା। ଏହା ହିଁ ହେଉଛି ଆମ ରାଜ୍ୟରେ ଦୀପାବଳି ସମୟର ଏକ ସାମଗ୍ରିକ ଚିତ୍ରପଟ। ଏହା କେବଳ ଆଲୋକର ପର୍ବ ଭାବେ ନୁହେଁ, ଖୁସିର ମୁହୂର୍ତ୍ତ ଭାବେ ଆବିର୍ଭୂତ ହୋଇଥାଏ। ଚଳିତବର୍ଷ ଏହି ଦୀପାବଳି ସଭିଙ୍କ ମନରେ ଖୁସିର ଆଲୋକ ପ୍ରଜ୍ବଳିତ କରୁ, ତାହା ହିଁ କାମନା।
(ମତାମତ ସହାୟତା: ତୁଷାର ମହାନ୍ତ, ଶ୍ରୀକାନ୍ତ ସାହୁ, ସତ୍ୟନାରାୟଣ ରାଉତରାୟ, ଅନୀଲ ପଣ୍ଡା)