ସକାଳୁ ଉଠିବା ମାତ୍ରେ ତୁରନ୍ତ କରନ୍ତୁ ଏହି ସବୁ କାମ, ଆନନ୍ଦମୟ ହେବ ଆପଣଙ୍କ ଦିନ!

ସକାଳ ସମୟଟା ଯଦି ଭଲରେ କଟିଯାଏ ତେବେ ପୂରା ଦିନଟା ଭଲରେ କଟିବ ବୋଲି କହିଲେ କିିଛି ଭୁଲ୍‌ ହେବ ନାହଁ। ଯେଉଁଦିନ ସକାଳଟା ଟିକେ ବିରକ୍ତି ଭାବରେ କଟେ ସେଦିନ ଜାଣନ୍ତୁ ପୂରା ଦିନଟା ବେକାର। ତେବେ, ସକାଳୁ ଉଠିବା ମାତ୍ରେ ଏସବୁ କାମ କରିବାକୁ ଆଦୌ ଭୁଲନ୍ତୁ ନାହିଁ ଯାହା ନିମ୍ନରେ ଉଲ୍ଳେଖ କରାଯାଇଛି। ଦେଖିବେ ଆପଣଙ୍କ ଦିନ ବେଶ୍‌ ଆନନ୍ଦମୟ ଲାଗିବ।

-ସକାଳୁ ଆଖି ଖୋଲିବା ମାତ୍ରେ ବିଛଣାରେ ହିଁ ଥରୁଟିଏ ହାତ ଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ପ୍ରାର୍ଥନାରେ ଦୀର୍ଘ ସମୟ ସାରିବା କିଛି ଆବଶ୍ୟକ ନାହିଁ, ଟିକିଏ ସ୍ମରଣ କଲେ ହେଲା। ଫଳରେ ମନ ପ୍ରଫୁଲ୍ଲ ରହିବା ସହିତ ଯେକୌଣି କାର୍ଯ୍ୟ ପାଇଁ ଉତ୍ସାହ ରହିବ। ଆପଣ ଆସ୍ତିକ ହୁଅନ୍ତୁ ବା ନାସ୍ତିକ ମାତ୍ର ପ୍ରାର୍ଥନାର ସୁଫଳ ସମସ୍ତଙ୍କ ପାଇଁ ସମାନ। ମନେ ରଖନ୍ତୁ ପ୍ରାର୍ଥନା ଭଗବାନଙ୍କ ପାଇଁ ନୁହେଁ, ନିଜ ମନ ପାଇଁ କରାଯାଇ ଥାଏ।

-ଖବରକାଗଜ ପଢ଼ିବା କିମ୍ବା ଖବର ଚ୍ୟାନେଲ୍‌ ଲଗାଇ ଦେଖିବା ପୂର୍ବରୁ ପ୍ରଥମେ ନିଜ ମନ ପସନ୍ଦର ଗୋଟାଏ-ଯୋଡ଼ାଏ ଗୀତ ଶୁଣନ୍ତୁ। ଆପଣ ପରୀକ୍ଷା ବି କରି ଦେଖିପାରନ୍ତି ଯେ ସଂଗୀତରୁ ଆରମ୍ଭ ହୋଇଥିବା ଦିନ ଅନ୍ୟ ଦିନଠାରୁ ସ୍ୱତନ୍ତ୍ର ବୋଲି ନିଶ୍ଚୟ ଅନୁଭବ କରିପାରିବେ।

-ଭୁଲ୍‌ରେ ବି ସକାଳ ସମୟରେ କାହା ସହ କଳି-ଝଗଡ଼ା କି ଯୁକ୍ତି-ତର୍କ କରନ୍ତୁ ନାହିଁ। ନିଶ୍ଚିତ ହୁଅନ୍ତୁ ଯେ ସାରା ଦିନଟା ହିଁ ଆପଣଙ୍କର ବେକାର୍‌ ହୋଇଯିବ। ସେମିତି କିଛି ପରିସ୍ଥିତି ଆସିଲେ ଆପଣ ନିଜକୁ ଦୂରେଇ ରଖନ୍ତୁ।

-ଯୋଗ, ବ୍ୟାୟ୍ୟାମ, ଧ୍ୟାନ, ଦୌଡ଼ା ଆଦି ଭିତରୁ କେଉଁଟି ଗୋଟାଏ ହେଉ ପଛେ ସକାଳେ ନିଶ୍ଚୟ କରନ୍ତୁ। ଏପରି କରିବା ଦ୍ୱାରା କେବଳ ଶରୀର ନୁହେଁ ମନ ମଧ୍ୟ ପ୍ରଫୁଲ୍ଲିତ ହୋଇଥାଏ। ବ୍ୟାୟ୍ୟାମ କରିବା ଦ୍ୱାରା ହେଉଥିବା ରକ୍ତ ସଂଚାଳନ ଏବଂ ଶିରା ପ୍ରସାରଣ ସିଧା ସଳଖ ମନକୁ ପ୍ରଭାବିତ କରେ।

-କିଛି ଭଲ ଖାଦ୍ୟରୁ ଦିନ ଆରମ୍ଭ କରନ୍ତୁ। ମନେ ରଖନ୍ତୁ ସକାଳ ଖାଇବା ହେଉଛି ଦିନ ଭିତରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ଅନ୍ୟ କେଉଁ ସମୟରେ ବରଂ ଟିକେ ଚଳାଇବା ପରି ଖାଦ୍ୟ ଖାଇପାରନ୍ତି ମାତ୍ର ସକାଳ ଖାଇବା ପସନ୍ଦ ମୁତାବକ ଏବଂ ଉପଯୁକ୍ତ ପରିମାଣର ଖାଆନ୍ତୁ। ଆପଣ ନିଶ୍ଚୟ ଜାଣିଥିବେ ଯେ ରାତିରେ କମ୍‌ ଖାଇବା ପରି ସକାଳରେ ଖୁବ୍‌ ବେଶି ଖାଇବା ସୁସ୍ଥକର।

ସମ୍ବନ୍ଧିତ ଖବର