ଭାଇରସ, ବାକ୍ଟେରିଆ କିମ୍ବା ଫଙ୍ଗସ୍ ଆଦି ଜୀବାଣୁଗୁଡ଼ିକ ପ୍ରଭାବରୁ ରକ୍ଷା ପାଇବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା କ୍ଷମତା ରହିଛି। ଏହି ଜୀବାଣୁଗୁଡ଼ିକ ବିଭିନ୍ନ ପ୍ରୋଟିନ ଉପପାର୍ଟ ନେଇ ତିଆରି ହୋଇଥାଏ, ଯାହାକୁ ଆମେ ଆଣ୍ଟିଜେନ ବୋଲି କହିଥାଉ। ଏହି ଜୀବାଣୁର ପ୍ରତ୍ୟେକ ଉପପାର୍ଟ ଆମ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ କରିପାରେ। ପ୍ରତ୍ୟେକ ଜୀବାଣୁର ସବପାର୍ଟରୁ ଗଠିତ ଆଣ୍ଟିବଡି ସେହି ଜୀବାଣୁ ପାଇଁ ନିର୍ଦ୍ଦିଷ୍ଟ ଓ ସ୍ବତନ୍ତ୍ର ଅଟେ। ଆମ ଦେହରେ ପ୍ରସ୍ତୁତ ଆଣ୍ଟିବଡି ବିଭିନ୍ନ ପ୍ରକାରର ହୋଇପାରେ। କିଛି ଆଣ୍ଟିବଡି କରୋନା ଭାଇରସ୍ ରୋଗ ଚିହ୍ନିବା ପାଇଁ ବ୍ୟବହୃତ ପରୀକ୍ଷାରେ ସହାୟକ ହୋଇଥାଏ। ଅନ୍ୟ କେତେକ ନିର୍ଦ୍ଦିଷ୍ଟ ଆଣ୍ଟିବଡି ଆମକୁ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାନ୍ତି, ଯାହାକି ପରେ ଆମକୁ ସେହି ରୋଗର ପୁନଃ ଆକ୍ରମଣରୁ ରକ୍ଷା କରିଥାଏ।
ଯେତେବେଳେ ଆମ ଶରୀର ପ୍ରଥମେ କୋଭିଡ-୧୯ ର ଆଣ୍ଟିଜେନ ସଂସ୍ପର୍ଶରେ ଆସେ, ସେତେବେଳେ ଆମ ପ୍ରତିରକ୍ଷା ପ୍ରଣାଳୀର ପ୍ରତିକ୍ରିୟା ଓ ସେହି ନିର୍ଦ୍ଦିଷ୍ଟ ଆଣ୍ଟିଜେନ୍ ପାଇଁ ଆଣ୍ଟିବଡି ପ୍ରସ୍ତୁତ କରିବା ପାଇଁ ଆମ ଶରୀରକୁ ସମୟ ଲାଗେ। ଏହି ସମୟରେ ଉକ୍ତ ବ୍ୟକ୍ତି କୋଭିଡ-୧୯ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ। କିନ୍ତୁ ଥରେ ଆଣ୍ଟିଜେନ୍ ନିର୍ଦ୍ଦିଷ୍ଟ ଆଣ୍ଟିବଡି ଆମ ଦେହରେ ତିଆରି ହୋଇଗଲେ, ତାହା ଆମ ଦେହର ରୋଗ ପ୍ରତିରୋଧକ ଶକ୍ତି ସହିତ କାମ କରି ଆମକୁ ସେହି ରୋଗରୁ ରକ୍ଷା କରନ୍ତି। ଥରେ, ଆମ ଶରୀର କୋଭିଡ୍-୧୯ ପ୍ରାଥମିକ ପ୍ରତିକ୍ରିୟା ଦ୍ବାରା ଆଣ୍ଟିବଡି ଉତ୍ପାଦନ କଲା ପରେ ଏହା ଆଣ୍ଟିବଡି ଉତ୍ପାଦନ କରୁଥିବା ‘ମେମୋରି ସେଲ୍’ ସୃଷ୍ଟି କରେ ଯାହା ଆଣ୍ଟିବଡି ଦ୍ବାରା ପରାଜିତ ହଲୋ ପରେ ମଧ୍ୟ ଜୀବନ୍ତ ରହିଥାଏ। ଯଦି ଶରୀର ଏକାଧିକ ଥର ସମାନ ରୋଗରେ ଆକ୍ରାନ୍ତ ହୁଏ, ତେବେ ଆଣ୍ଟିବଡି ପ୍ରତିକ୍ରିୟା ପ୍ରଥମଥର ଅପେକ୍ଷା ଅଧିକ ତୀବ୍ର ଏବଂ ଅଧିକ ପ୍ରଭାବଶାଳୀ ହୋଇଥାଏ। କାରଣ ମେମୋରି ସେଲ୍ଗୁଡିକ ସେହି ଆଣ୍ଟିଜେନ ବିରୋଧରେ ଆଣ୍ଟିବଡି ବାହାର କରିବାକୁ ପ୍ରସ୍ତୁତ ହୋଇ ରହିଥାନ୍ତି। ଏହା ଯୋଗୁଁ ଯଦି ଭବିଷ୍ୟତରେ ବ୍ୟକ୍ତିଜଣକ ବିପଦଜନକ ରୋଗର ସମ୍ମୁଖୀନ ହୁଅନ୍ତି, ତେବେ ରୋଗ ପ୍ରତିରୋଧକ ଶକ୍ତି ତୁରନ୍ତ ପ୍ରତିକ୍ରିୟା କରିବାକୁ ସମର୍ଥ ହୋଇଥାନ୍ତି। ଏହା ହେଉଛି କୋଭିଡ ଟିକାକରଣ ବା ଯେକୌଣସି ଟିକାର ମୂଳ ଉଦ୍ଦେଶ୍ୟ। ଯଦି, ନିଷ୍କ୍ରିୟ କୋଭିଡ ଆଣ୍ଟିଜେନ୍ ବା ଏମ-ଆରେନେ ଆମ ଶରୀରକୁ ଭ୍ୟାକ୍ସିନ ବା ଟିକାଦ୍ବାରା ଦିଆଯାଇପାରିବ, ତେବେ ତାହା ଦୀର୍ଘସ୍ଥାୟୀ ଆଣ୍ଟିବଡି ଉତ୍ପାଦନ ଓ ସ୍ମୃତିକୋଷର ବିକାଶ କରିବାରେ ସହାୟକ ହୋଇପାରିବ। ଅନ୍ୟ ଅର୍ଥରେ ଟିକା ଦ୍ବାରା ଆମେ କୋଭିଡ୍-୧୯ ସହିତ ଲଢ଼ିବା ପାଇଁ ଆମ ଶରୀରକୁ ତାଲିମ କରିଥାଉ। କିଛି ବ୍ୟବଧାନରେ ଆମେ ଦ୍ବିତୀୟ ବା ତୃତୀୟ ଡୋଜ୍ ଟିକା ଦେବା ପରେ ଆମ ଶରୀର ନିର୍ଦ୍ଦିଷ୍ଟ ମାତ୍ରା ଏବଂ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆଣ୍ଟିବଡି ତିଆରି କରିବାରେ ସହାୟକ ହୋଇଥାଏ। କିନ୍ତୁ କେତେ ମାତ୍ରାରେ ଆଣ୍ଟିବଡି ଆମକୁ ସୁରକ୍ଷା ଦେବାରେ ସହାୟକ ହେବ, ତାହା ମଧ୍ୟ ଧୀରେ ଧୀରେ ଜଣାପଡ଼ିବ। ଏବେ ବିଭିନ୍ନ ତଥ୍ୟରୁ ଜଣାପଡୁଛି ଯେ, ଆଣ୍ଟିବଡି ବ୍ୟତୀତ ଆମ ଶରୀରରେ ଥିବା କେତେକ ଅନ୍ୟକୋଷ; ଯେପରିକି, ସାଇଟୋଟକ୍ସିଡ୍ ଟି-ସେଲ ମଧ୍ୟ ଆମକୁ କୋଭିଡ୍-୧୯ ବିରୋଧରେ ସୁରକ୍ଷା ଦେବାରେ ସହାୟକ ହୋଇଥାଏ। ଏସବୁ ବିଷୟରେ ନୂଆ ନୂଆ ତଥ୍ୟ ଆମକୁ ଭବିଷ୍ୟତରେ ମିଳିବ।
ସାମୂହିକ ରୋଗ ପ୍ରତିରୋଧକ ଶକ୍ତି
କୋଭିଡ-୧୯ ଭାଇରସ ମଣିଷ ମଣିଷ ମଧ୍ୟରେ, ଶ୍ବାସନଳୀରୁ ବାହାରୁଥିବା ଡ୍ରପଲେଟ୍ ମାଧ୍ୟମରେ ବିଭିନ୍ନ ପଦାର୍ଥ ଦ୍ବାରା ବା ସିଧା ପ୍ରବେଶ କରିଥାଏ। ଗୋଟିଏ ସ୍ଥାନରେ ରହୁଥିବା ଅଧିକାଂଶ ଲୋକଙ୍କୁ ଟିକା ଦେବା ଦ୍ବାରା, କୃତ୍ରିମ ଉପାୟରେ ଆମେ ଅଧିକାଂଶ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁ। ଯାହାଦ୍ୱାରା କମ୍ୟୁନିଟିରେ ଭାଇରସ ବ୍ୟାପିବାର ସମ୍ଭାବନା ମଧ୍ୟ କମିଯାଏ। ଏହାଦ୍ବାରା ଟିକା ନେଇ ନଥିବା ଲୋକ ମଧ୍ୟ କିଛି ପରିମାଣରେ ସୁରକ୍ଷିତ ରହିପାରିବେ। ତେଣୁ ସାମୂହିକ ଟିକାକରଣ ଦ୍ୱାରା ଆପଣ ନିଜେ ସୁରକ୍ଷିତ ରହିବା ସହ ପାଖ ଲୋକଙ୍କୁ ସୁରକ୍ଷା ଦେବାରେ ସହାୟକ ହୋଇ ପାରିବେ। ଟିକାକରଣ ସମୟରେ, ଅନେକ ଲୋକ ବିଭିନ୍ନ କାରଣ ପାଇଁ ଟିକା ନେଇ ପାରନ୍ତି ନାହିଁ। (ଯେପରି କର୍କଟ ରୋଗାକ୍ରାନ୍ତ କିମ୍ବା ଯେଉଁମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ ରହିଛି)। ସାମୂହିକ ଟିକାକାରଣ ଦ୍ବାରା ଆମେ ସେହିମାନଙ୍କୁ ଭାଇରସ ଆକ୍ରମଣରୁ ରକ୍ଷା କରିପାରିବା।