କରୋନା ସଂକ୍ରମିତ ମା’ ଶିଶୁକୁ ସ୍ତନ୍ୟପାନରୁ ବଂଚିତ କରାନ୍ତୁ ନାହିଁ

ମା’ କ୍ଷୀର ଅମୃତ ସମାନ। ନବଜାତ ଶିଶୁର ବିକାଶର ପ୍ରଥମ ପାହାଚ। ଶିଶୁ ଜନ୍ମ ହେବାପରଠୁ ୬ମାସ ବୟସ ପୁରା ହେବା ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଏବ˚ ତା ପରେ ପରିପୂରକ ଖାଦ୍ୟ ସହିତ ୨ବର୍ଷ ପର୍ଯ୍ୟନ୍ତ ମା’ କ୍ଷୀର ଦେବା ନିତାନ୍ତ ଜରୁରି। କାରଣ ଏହି ବୟସରେ ଶିଶୁର ୮୫ ପ୍ରତିଶତ ମସ୍ତିଷ୍କ ବିକାଶ ହୋଇଥାଏ। ମା’ କ୍ଷୀର ଶିଶୁ ପାଇଁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଏବ˚ ଏହା ଶିଶୁର ମାନସିକ, ଶାରୀରିକ ବୃଦ୍ଧି ପାଇଁ ନିହାତି ଆବଶ୍ୟକ। ମା’ ଓ ମା’ କ୍ଷୀରର ବିକଳ୍ପ ନାହିଁ।

ବର୍ତ୍ତମାନ କରୋନା ମହାମାରୀର ଭୟ ସମାଜର ପ୍ରତିଟି ମଣିଷକୁ ଗ୍ରାସ କରିଛି। କୌଣସି ମା’ଙ୍କୁ ସାଧାରଣ ଥଣ୍ତା, କାଶ ହେଲେ ବି ତା ମନରେ ପ୍ରଶ୍ନ ଉଠୁଛି। ତା ଶିଶୁକୁ ସ୍ତନ୍ୟପାନ କରାଇବା ସୁରକ୍ଷିତ ତ? ଏହି ପ୍ରଶ୍ନର ଉତ୍ତର ଦେବାକୁ ହେଲେ ଆମକୁ କୋଭିଡ୍‌-୧୯ରୁ ଶିଶୁମାନଙ୍କୁ ଥିବା ବିପଦ ସହିତ ସ୍ତନ୍ୟପାନ ଓ ମା’କ୍ଷୀରରୁ ବଞ୍ଚିତ ହେବା ଦ୍ବାରା ଅନ୍ୟାନ୍ୟ ରୋଗ ହେବାର ସମ୍ଭାବନାକୁ ତୁଳନା କରିବାକୁ ହେବ। ମା’ର ପ୍ରଥମ କ୍ଷୀର ଯାହାକୁ କେଲୋଷ୍ଟ୍ରମ ବା କସକ୍ଷୀର କୁହାଯାଏ, ତାହା ଶିଶୁ ପାଇଁ ନିହାତି ଜରୁରି। ମା’ କ୍ଷୀରରେ ବିଭିନ୍ନ ପ୍ରକାର ରୋଗ ପ୍ରତିରାଧକାରୀ ତତ୍ତ୍ବ ରହିଥାଏ। ଯେମିତିକି ଇମ୍ୟୁନୋଗ୍ଲୋବୁଲିନ୍‌ସ, ଏପିଡର୍ମାଟ ଗ୍ରୋଥ ଫ୍ୟାକ୍ଟର୍ସ, ଲାକ୍ଟୋଫେରିସ୍‌, ଲାଇସୋଜାଇମ୍‌, ବାଇଲ୍‌ ସଲ୍ଟ ଷ୍ଟିମୁଲେଟେଡ ଲାଇପେଜ ମାର୍କୋଫେଜେସ୍‌। ଏହା ଶିଶୁକୁ ବିଭିନ୍ନ ସ˚କ୍ରମିତ ଓ ଅଣସ˚କ୍ରମିତ ରୋଗରୁ ରକ୍ଷା କରେ। ଗବେଷଣା ଦ୍ବାରା ଦେଖାଯାଇଛି ଯେ, ସ୍ତନ୍ୟପାନ କରିଥିବା ଶିଶୁମାନଙ୍କ କ୍ଷେତ୍ରରେ ପରବର୍ତ୍ତୀ ସମୟରେ ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା, ହୃଦ୍‌ରୋଗ ହେବାର ସମ୍ଭାବନା କମ୍‌ ରହିଥାଏ। ମା’ ପାଇଁ ସ୍ତନ୍ୟପାନ କରାଇବା ମଧ୍ୟ ଲାଭଦାୟକ। ଏହା ମା’ର ଓଜନହ୍ରାସ କରିବା ଓ ସ୍ତନ କର୍କଟରୁ ରକ୍ଷା କରିଥାଏ। ଶିଶୁମାନଙ୍କ କ୍ଷେତ୍ରରେ କୋଭିଡ୍‌-୧୯ ରୋଗ ଅନେକା˚ଶରେ ଲକ୍ଷଣବିହୀନ ଓ ଅଳ୍ପ ଲକ୍ଷଣର ହୋଇଥାଏ। ଏବ˚ ଯଦି ଆମେ ଶିଶୁକୁ ମା’ କ୍ଷୀର ନଦେଇ ଡବାକ୍ଷୀର ଦେଉଛନ୍ତି ତାଦ୍ବାରା ଶିଶୁକୁ ଅନ୍ୟରୋଗ ଯଥା ଡାଇରିଆ, ନିମୋନିଆ, ଅପପୁଷ୍ଟି, ଇତ୍ୟାଦି ହେବାର ସମ୍ଭାବନା ବହୁ ଅଧିକ। ମା’ କ୍ଷୀର ଖାଇନଥିବା ଶିଶୁମାନଙ୍କ କ୍ଷେତ୍ରରେ ମୃତ୍ୟୁହାର ୧୪ଗୁଣା ଅଧିକ। ସେଥିପାଇଁ ଡବ୍ଲୁଏଚ୍‌ଓ ପରାମର୍ଶ ଅନୁଯାୟୀ, ଯଦି ମା’ କିମ୍ବା ଶିଶୁ କୋଭିଡ୍‌-୧୯ରେ ପୀଡ଼ିତ ଅଥବା କରୋନାର ଲକ୍ଷଣ ଅଛି ଏବ˚ ମା’ର ସ୍ବାସ୍ଥ୍ୟବସ୍ଥା ଗୁରୁତର ନଥାଏ, ତା ହେଲେ ମା’ ଶିଶୁକୁ ସ୍ତନ୍ୟପାନ କରାଇବା ଦରକାର। ଏହି ସମୟରେ ମା’ ମାସ୍କ ପିନ୍ଧିବା, ଶିଶୁକୁ ଛୁଇଁବା ପୂର୍ବରୁ ହାତ ଭଲରେ ସାବୁନ୍‌ରେ ଧୋଇବା ଏବ˚ ଅନ୍ୟମାନେ ଯିଏ ବି ଶିଶୁର ସମ୍ପର୍କରେ ଆସୁଛନ୍ତି ସେମାନେ ମଧ୍ୟ ଏସବୁ ପାଳନ କରିବା ଜରୁରି।

ଯଦି ମା’ ଗୁରୁତର କୋଭିଡ୍‌-୧୯ରେ ପୀଡ଼ିତ ଏବ˚ ସ୍ତନ୍ୟପାନ କରାଇବା ପାଇଁ ଅସମର୍ଥ, ତାହେଲେ ମା’ ନିଜ ସ୍ତନ୍ୟରୁ କ୍ଷୀର କାଢି (ବ୍ରେଷ୍ଟ ପମ୍ପ ହେଉ କିମ୍ବା ହାତରେ ହେଉ) ଶିଶୁକୁ ଗିନା-ଚାମଚରେ ଦେବା ହେଉଛି ଶ୍ରେଷ୍ଠ ଉପାୟ। ଯେଉଁ ବ୍ୟକ୍ତି ଏହି ସମୟରେ ନବଜାତ ଶିଶୁକୁ ଏହି ଏକ୍ସପ୍ରେସ୍‌ଡ ବ୍ରେଷ୍ଟ ମିଲ୍କ ଦେବେ ସେମାନେ ସୁସ୍ଥ ଓ କରୋନା ଲକ୍ଷଣ ବିହୀନ ହେବା ଆବଶ୍ୟକ ଅଟେ। ବହୁ ସମୟରେ ହସ୍‌ପିଟାଲ ମାନଙ୍କରେ ମଧ୍ୟ ମିଲ୍କ ବ୍ୟାଙ୍କ ଥାଏ। ବାହାର ଡବା କ୍ଷୀର ଦେବା ପରିବର୍ତ୍ତେ ଏହି କ୍ଷୀର ଦେବା ଶ୍ରେୟସ୍କର। ଏବେଯାଏଁ ହୋଇଥିବା ଗବେଷଣା ଦ୍ବାରା ଦେଖାଯାଇଛି ଯେ, କରୋନା ଭୂତାଣୁ ମା’ଠାରୁ ଶିଶୁକୁ ମା’ କ୍ଷୀର ଦ୍ବାରା ହେବାର ସମ୍ଭାବନା ଅତିକ୍ଷୀଣ। ସ୍ତନ୍ୟପାନ କରାଇବା ଦ୍ବାରା ମା’ର ମାନସିକ, ଶିଶୁର ଶାରୀରିକ ଓ ପରିବାରର ଅର୍ଥନୈତିକ କୋଣ ସୁରକ୍ଷିତ ହୋଇଥାଏ। ଏହି ସବୁ ପରିପ୍ରେକ୍ଷୀରେ ଦେଖିଲେ, ଆମେ ଏହି କରୋନା ମହାମାରୀ ସମୟରେ ନିଜ ଶିଶୁର ବର୍ତ୍ତମାନ ଓ ଭବିଷ୍ୟତକୁ ଆଗରେ ରଖି ତାକୁ ମା’ କ୍ଷୀରରୁ ବଞ୍ଚିତ ନ କରାଇବା ହିଁ ଯୁକ୍ତିଯୁକ୍ତ।
ସହକାରୀ ପ୍ରଫେସର, ଶିଶୁ ରୋଗ ବିଭାଗ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଶିଶୁ ରୋଗ ଗବେଷଣା ଓ ଚିକିତ୍ସା କେନ୍ଦ୍ର

ସମ୍ବନ୍ଧିତ ଖବର