ଏ ସମୟରେ ଆଜ୍‌ମା ରୋଗୀ ଅଧିକ ସତର୍କ ରୁହନ୍ତୁ

ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକ

ଆଜ୍‌ମା ଏକ ଆଲର୍ଜି ରୋଗ। ଯେଉଁଥିରେ ଶ୍ବାସ ନଳୀ ସବୁ ଫୁଲି ଯାଏ। ବହୁତ ପରିମାଣରେ କଫ, ନାଳ ଭର୍ତ୍ତି ହୋଇଯାଏ। ନିଶ୍ବାସ ପ୍ରଶ୍ବାସ ନେବାରେ ରୋଗୀ କଷ୍ଟ ଅନୁଭବ କରେ। ଏହି ରୋଗୀମାନେ ସବୁବେଳେ ନିଜକୁ ସତର୍କ ରଖିବା ଜରୁରୀ। କିନ୍ତୁ ଦେଖାଯାଏ ଯେ, ରୋଗ ଭଲ ହୋଇଯିବା ପରେ ସେମାନେ ପୁଣି ସବୁ ଭୁଲିଯାଆନ୍ତି। ଅସାବଧାନତା ହେତୁ ଏହି ରୋଗ ଭଲ ହେବା ପରେ ପୁଣି ଆରମ୍ଭ ହୋଇଥାଏ।

ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା, କାଶ ହେବା, ଖୁବ୍‌ଜୋରରେ ଧଇଁପେଲି ହେବା, ଦୀର୍ଘଦିନ ଧରି ଥଣ୍ଡା ନଛାଡିବା ଆଦି ଲକ୍ଷଣ ଦେଖାଦେଲେ ଆପଣଙ୍କର ଆଜ୍‌ମା ରୋଗ ହୋଇଥାଇପାରେ ବୋଲି କୁହାଯାଇପାରିବ। ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ବିଭିନ୍ନ ପରୀକ୍ଷା କରାନ୍ତୁ ଓ ତୁରନ୍ତ ଔଷଧ ସେବନ, ଇନ୍‌ହେଲର ଚିକିତ୍ସା ଆଦି କଲେ ରୋଗ ନିୟନ୍ତ୍ରଣରେ ରହି ପାରିବ। ଏହି ରୋଗ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଦେଖାଯାଇଥାଏ। ବହୁତ କମ୍‌ ବୟସରୁ ଏହି ରୋଗରେ ଅନେକ ଆକ୍ରାନ୍ତ ହୋଇଥାନ୍ତି। କିନ୍ତୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିଲେ ଏହା ଭଲ ହୋଇଯାଇଥାଏ। କିନ୍ତୁ ବଡ ହେବା ପରେ ରୋଗ ଦେଖାଦେଲେ ଏହାର ତିବ୍ରତା ଅଧିକ ରହିଥାଏ ଓ ରୋଗୀ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହାର ଅନେକ ଚିକିତ୍ସା ବ୍ୟବସ୍ଥା ରହିଛି। ସେଥିରୁ ଇନ୍‌ହେଲର ହେଉଛି ଏହାର ଏକ ବଡ ଚିକିତ୍ସା। ଏହାକୁ ନିୟମିତଭାବେ ବ୍ୟବହାର କଲେ ଏହି ରୋଗ ଆଗକୁ ବଢିପାରେନି ବା ନିୟନ୍ତ୍ରଣ ଭିତରେ ରହିଥାଏ। ଧୂଳି, ଧୂଆଁ, ପରିବେଶ ପ୍ରଦୂଷଣ ଆଦି ବିଭିନ୍ନ କାରଣରୁ ଏହି ଦେଖା ଦେଇଥାଏ। ଧୂମପାନ, ମେଦବହୁଳତା ଓ କଳକାରଖାନାରେ ବିଶେଷକରି ପ୍ରଦୂଷିତ ପରିବେଶରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଏହି ରୋଗର ଆଶଙ୍କା ଅଧିକ ଥାଏ। ସବୁଠାରୁ ଗୁରୁତ୍ବପୁର୍ଣ୍ଣ ହେଲା ପରିବାରର ଯଦି କେହି ପୂର୍ବରୁ ଆଜ୍‌ମା ରେଗରେ ପୀଡିତ ଥାଆନ୍ତି ତାହେଲେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ବି ଏହି ରୋଗରେ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଥାଏ। ବଂଶାନୁଗତ କାରଣରୁ ମଧ୍ୟ ଏହି ରୋଗ ବ୍ୟାପିଥାଏ। ଶୀତ ଦିନ ଆସିଲେ ଏହି ରୋଗ ଅଧିକ ବଢିଯାଏ। ତେଣୁ ଯେତିକି ପାରିବେ ଥଣ୍ତାଠାରୁ ନିଜକୁ ଦୂରେଇ ରଖିବାକୁ ପଡିବ। ଥଣ୍ଡା ଦିନରେ ଏହି ରୋଗୀମାନେ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା କୋଭିଡ୍‌ ସମୟରେ ଆଜ୍‌ମା ରୋଗ ସେଭଳି ବଢିନି କି କମିନି। କ୍ରୋନିକ୍‌ ଆଜ୍‌ମା ରୋଗୀମାନଙ୍କର ବି ଏହି ସମୟରେ କୋଭିଡ୍‌ ଯୋଗୁଁ ଅଧିକ ସମସ୍ୟା ଦେଖାଯାଇନି। ପୂର୍ବଭଳି କଷ୍ଟ ଅନୁଭବ କରିନଥିବା ଜଣାପଡିଛି। କୋଭିଡ୍‌ ହେଲେ ଆଜ୍‌ମା ରୋଗୀଙ୍କ ରୋଗ ବଢିବ ସେଭଳି କିଛି ନାହିଁ। କିନ୍ତୁ ଯଦି ଜଣେ ଆଜମା ରୋଗୀ କୋଭିଡ୍‌ ସଂକ୍ରମିତ ହେଲେ ଓ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ନ ମିଳିଲା ତାହେଲେ ରୋଗୀର ଅବସ୍ଥା ଗୁରୁତର ହୋଇପଡେ। କାରଣ ଏମିତିରେ ବି ଆଜ୍‌ମା ରୋଗୀ ନିଶ୍ବାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଧଇଁପେଲି ହୋଇଥାନ୍ତି। ତେଣୁ ସେମାନେ କରୋନା ସଂକ୍ରମିତ ହେଲେ ସେମାନଙ୍କୁ ଅନେକାଂଶରେ ଆଇସିୟୁ ଓ ଭେଣ୍ଟିଲେଟରର ଆବଶ୍ୟକତା ମଧ୍ୟ ପଡିଥାଏ।

ଆଜ୍‌ମା ରୋଗୀ କରୋନା ସଂକ୍ରମିତ ହେଲେ ସେମାନଙ୍କୁ ନିବୁଲାଇଜର ଦେବା ଉଚିତ୍‌ ନୁହେଁ, କାରଣ ଏହାଦ୍ବାରା କରୋନା ସଂକ୍ରମଣ ବୃଦ୍ଧି ପାଇଥାଏ। ତେଣୁ କୋଭିଡ୍‌ ସମୟରେ ବିଶେଷକରି ଥଣ୍ଡା ଦିନରେ ଏହି ରୋଗୀ ଅଧିକ ସତର୍କ ରହିବା ଜରୁରୀ। ଆଜ୍‌ମା ରୋଗୀଙ୍କ ମୁଖ୍ୟ ସମସ୍ୟା ହେଉଛି ଥଣ୍ଡା କମିଗଲା ପରେ ସେମାନେ ଇନ୍‌ହେଲରକୁ ବନ୍ଦ କରିଦିଅନ୍ତି ଯାହାକି ସମସ୍ୟା ସୃଷ୍ଟି କରେ। ଆଦୌ ହଠାତ୍‌ ଇନ୍‌ହେଲର ବ୍ୟବହାର ବନ୍ଦ କରନ୍ତୁ ନାହିଁ। ଏହି ରୋଗୀଙ୍କ ଖାଦ୍ୟ ଉପରେ କୌଣସି କଟକଣା ନାହିଁ ଏହି ରୋଗୀ ସମସ୍ତ ଖାଦ୍ୟ ଖାଇପାରିବେ। କିନ୍ତୁ ଯେଉଁ ଖାଧ୍ୟ ଖାଇଲେ ସେମାନଙ୍କ ଆଲର୍ଜି ଦେଖାଯାଏ ସେଭଳି ଖାଦ୍ୟଠାରୁ ଦୂରେଇ ରହନ୍ତୁ।
ପଲ୍ୟୁମୁନାରି ବିଶେଷଜ୍ଞ, ଏସ୍‌ସିବି ମେଡିକାଲ

ସମ୍ବନ୍ଧିତ ଖବର