ଭୁବନେଶ୍ବର: ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସାରା ଦେଶରେ ଦୌପଦୀ ମୁର୍ମୁଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ଆପଣ ଜାଣନ୍ତି କି ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଉଚ୍ଚଶିକ୍ଷା ଭୁବନେଶ୍ବରରେ ହୋଇଥିଲା। ସ୍କୁଲ ପଢ଼ା ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ଏବଂ କଲେଜ୍ ପଢ଼ା ରମାଦେବୀ ମହିଳା ମହାବିଦ୍ୟାଳୟରେ ସମାପିତ ହୋଇଥିଲା । ମୟୂରଭଞ୍ଜ ରାଜାଙ୍କ ଦରବାରରେ ରାଜ କର୍ମଚାରୀ ଥିବା ବିରଞ୍ଜି ନାରାୟଣ ଟୁଡୁଙ୍କ ଝିଅ ଦ୍ରୌପଦୀ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପାସ୍ କରିଥିଲେ। ଏହାପରେ କ’ଣ କରିବେ ସେନେଇ ଚିନ୍ତାରେ ବି ଥିଲେ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିବା ନ୍ୟାୟରେ ତାଙ୍କ ଦାଦା ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ମାଝୀ ସେତେବେଳେ ମନ୍ତ୍ରୀ ଥିବାରୁ ସେ ତାଙ୍କ ମାର୍ଫତରେ ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଆଦିବାସୀ ଛାତ୍ରୀ ନିବାସରେ ରହି ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସଫଳତାର ସହ ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ ମଧ୍ୟ କଲେଜରେ ପଢ଼ିବାର ସୁଯୋଗ ପାଇପାରି ନ ଥିଲେ। କାରଣ କଲେଜରେ ପଢ଼ିବାକୁ ଆବେଦନ କରିବା ତାଙ୍କୁ ଜଣା ନ ଥିଲା। ଆଉ ଜାଣିଲା ବେଳକୁ ଆବେଦନର ସମୟ ସୀମା ଶେଷ ହୋଇଯାଇଥାଏ। ତେଣୁ ଗୋଟିଏ ବର୍ଷର ଶିକ୍ଷା ନଷ୍ଟ ହୋଇଗଲା। ପର ବର୍ଷ କିନ୍ତୁ ରମାଦେବୀ ମହିଳା ମହାବିଦ୍ୟାଳୟରେ ପଢ଼ିବାର ସୁଯୋଗ ମିଳିଲା। ଇନ୍ଧିରା ଗାନ୍ଧୀ ଆଦିବାସୀ ଛାତ୍ରୀନିବାସରେ ରହିବା ସହ ମନଧ୍ୟାନ ଦେଇ ପାଠ ପଢ଼ିଲେ। ୪ ବର୍ଷର ଶିକ୍ଷା ମଧ୍ୟରେ କେବେ ଫେଲ୍ ହୋଇ ନ ଥିଲେ। ଆଦିବାସୀ ଝିଅ ହୋଇଥିଲେ ମଧ୍ୟ ଠିକ୍ କଥାରେ କେବେ ବି ପଛଘୁଞ୍ଚା ଦେଉ ନ ଥିଲେ। ମୁହେଁ ମୁହେଁ ଜବାବ୍ ଦେଉଥିଲେ।
ପାଠ ପଢ଼ିବା ଲାଗି ତାଙ୍କ ଜୀବନ ଥିଲା ସଂଘର୍ଷମୟ। ବାପା ମାସକୁ ମାତ୍ର ୧୦ ଟଙ୍କା ପଠାଉଥିଲେ। ଶସ୍ତା ଯୁଗରେ ମଧ୍ୟ ସେତିକି ନଗଣ୍ୟ ଥିଲା। ଘୋର ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିଲେ। ସାଙ୍ଗମାନେ ଡାକିଲେ ବି ସେ କଲେଜ କ୍ୟାଣ୍ଟିନ୍ ଆଦୌ ଯାଉ ନ ଥିଲେ। କାରଣ ସାଙ୍ଗଙ୍କଠାରୁ ଖାଇବା ସହଜ ଥିଲା। ମାତ୍ର ଖୁଆଇବା ତାଙ୍କ ପକ୍ଷେ ଅସମ୍ଭବ ଥିଲା। ୮ ବର୍ଷ ଧରି ଭୁବନେଶ୍ବରରେ ରହି ପାଠ ପଢ଼ିଥିଲେ ମଧ୍ୟ ବଜାର ବୁଲିବା, ସିନେମା ଦେଖିବା ତାଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଥିଲା। ସେ ସମୟର ଭୁବନେଶ୍ବରର ପୁରାତନ ସିନେମା ହଲ ରବି ଟକିଜରେ ସେ କେବଳ ‘ଗପ ହେଲେ ବି ସତ’ ସିନେମା ଦେଖିଥିଲେ।
ବିଏ ପାସ୍ କରିବା ପରେ ଅଧିକ ପଢ଼ିବା ଲାଗି ତାଙ୍କ ପାଖରେ ଆଉ ସମ୍ଭବ ନ ଥିଲା। ଏହି ସମୟରେ ସଚିବାଳୟରେ ତାଙ୍କୁ ଚାକିରି ମିଳି ଯାଇଥିଲା। ୧୯୭୯ରେ ସଚିବାଳୟରେ ଚାକିରି ପାଇବାର କିଛି ମାସ ମଧ୍ୟରେ ବିବାହ ହୋଇଥିଲା। ବ୍ୟାଙ୍କ ଅଫିସର ଶ୍ୟାମଚରଣ ମୂର୍ମୁଙ୍କ ସହ ତାଙ୍କର ବିବାହ ପରେ ସେ ଦ୍ରୌପଦୀ ଟୁଡ଼ୁରୁ ମୁର୍ମୁ ହୋଇଗଲେ। ମାତ୍ର ସଚିବାଳୟରେ ବେଶି ଦିନ ଚାକିରି କରିବା ତାଙ୍କ ଭାଗ୍ୟରେ ନ ଥିଲା। ପରିବାରରେ ବିଭିନ୍ନ ସମସ୍ୟା ତାଙ୍କ ଚଲାପଥରେ ପ୍ରତିବନ୍ଧକ ସାଜିଲା। ଯେଉଁଥିପାଇଁ ଚାକିରି ଛାଡ଼ି ବୃଦ୍ଧ ଶାଶୁ, ଶ୍ବଶୁରଙ୍କ ଯତ୍ନ ନେବା ଲାଗି ଭୁବନେଶ୍ବରରୁ ରାଇରଙ୍ଗପୁରକୁ ଫେରିଥିଲେ। ପରେ ସେଠାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କରିବାର ସୁଯୋଗ ମିଳିଲା ଏବଂ ୧୯୯୪ରୁ ୧୯୯୭ ପର୍ଯ୍ୟନ୍ତ ସେଠାରେ ଚାକିରି କରିଥିଲେ।