ଦୂବ ଏକ ପବିତ୍ର ତୃଣ। ‘ଋଗ୍ବେଦ’ରେ ଏହାକୁ କୁହାଯାଇଛି ପୃଥିବୀର ଅନ୍ତର୍ବାସ। ଏହାର ସୃଷ୍ଟି ସଂପର୍କରେ ଆମ ପୁରାଣରେ ସୁନ୍ଦର ସୁନ୍ଦର କାହାଣୀ ଅଛି। ଗୋଟିଏ କାହାଣୀରେ କୁହାଯାଇଛି- ଦେବତା ଓ ଅସୁର ମିଶି ଯେତେବେଳେ ସମୁଦ୍ର ମନ୍ଥନ କଲେ- ସେତେବେଳେ ଭଗବାନ ବିଷ୍ଣୁ କଚ୍ଛପ ଅବତାର ଗ୍ରହଣ କରି ମନ୍ଦର ପର୍ବତକୁ ନିଜର ପିଠିରେ ଟେକି ଧରିଥିଲେ। କାରଣ, ମନ୍ଦର ପର୍ବତ ହୋଇଥିଲା ଏହି ମନ୍ଥନର ଖୁଆଦଣ୍ଡ। ବାସୁକୀ ସର୍ପ ହୋଇଥିଲେ ମନ୍ଥନ ରଜ୍ଜୁ।
Sambad is now on WhatsApp
Join and get latest news updates delivered to you via WhatsApp
ସେତେବେଳେ, ମନ୍ଥନ ଜନିତ ଘର୍ଷଣ ଯୋଗୁଁ କଚ୍ଛପ ଅବତାରଙ୍କର ପିଠିରୁ ଲୋମମାନ ଛିଣ୍ଡିଯାଇ, ସମୁଦ୍ର ଲହରୀରେ ଭାସିଆସି କୂଳରେ ଲାଗିଲେ। ସେହିଥିରୁ ‘ଦୂବ’ର ସୃଷ୍ଟି। ତାହାର ସଂସ୍କୃତ ନାମ ‘ଦୂର୍ବାଦଳ’। ବିଷ୍ଣୁଙ୍କ ଅଂଶରୁ ଜାତ ହୋଇଥିବାରୁ, ଏହା ଅତ୍ୟନ୍ତ ପବିତ୍ର। ଏହା ମଧ୍ୟ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ।
ଆମ ପୁରାଣ ବିଶ୍ୱାସରେ, ସବୁ ଦେବତାଙ୍କ ମଧ୍ୟରେ ବିଷ୍ଣୁ ଅବସ୍ଥାନ କରନ୍ତି। ତେଣୁ ଆମର ପ୍ରାୟ ସବୁ ଶାସ୍ତ୍ରୀୟ ଓ ଲୌକିକ ପୂଜାରେ ଦୂବର ଉପଯୋଗ ହୋଇଥାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଦୂବର ମୂଳରେ ବ୍ରହ୍ମା, ମଧ୍ୟରେ ଶିବ ଏବଂ ଊର୍ଦ୍ଧ୍ୱରେ ବିଷ୍ଣୁ ଅବସ୍ଥାନ କରନ୍ତି। ତେଣୁ ଦୂବଜଳ ଦ୍ୱାରା ପୂଜାସାମଗ୍ରୀ ଆଦିକୁ ଶୁଦ୍ଧ କରାଯିବାର ବିଧି ରହିଛି।
କିନ୍ତୁ ଆମର ପୁରାଣମାନଙ୍କରେ ଦେବତା-ଦେବତାଙ୍କ ମଧ୍ୟରେ ସମନ୍ୱୟର ସୁନ୍ଦର ବାର୍ତ୍ତା ଅଛି। ଚମ୍ପା ଶିବଙ୍କର ପ୍ରିୟ ଫୁଲ ହେଲେ ହେଁ, ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ ବା ‘ଚମ୍ପକ ଦ୍ୱାଦଶୀ’ରେ ବିଷ୍ଣୁ ତାହା ପରିଧାନ କରିଥାନ୍ତି। ସେହିପରି ଦୂବ ବିଷ୍ଣୁଙ୍କର ପ୍ରିୟ ତୃଣ ହେଲେ ମଧ୍ୟ, ଭାଦ୍ରବ ଶୁକ୍ଳ ଅଷ୍ଟମୀରେ ତାହାଦ୍ୱାରା ଶିବଙ୍କୁ ପୂଜା କରାଯାଇଥାଏ। ସେଥିପାଇଁ ଏହାର ନାମ ‘ଦୂର୍ବାଷ୍ଟମୀ’। ଦୂବ ଅମର ଓ ଅବିନାଶୀ। ଏଣୁ ଏହିଦିନ ଦୂବଘାସ ବା ଦୂର୍ବାଦଳକୁ ପୂଜା କଲେ, ଅବିନାଶୀ ସୁଖ ଭୋଗ ହୋଇଥାଏ। ପିତୃପୁରୁଷଙ୍କର ଆଶିଷ ମଧ୍ୟ ମିଳିଥାଏ। ଏହିଦିନ ଦୂବରେ ଶିବପୂଜା ମଧ୍ୟ ଅଶେଷ ସୌଭାଗ୍ୟର ଅଧିକାରୀ କରେ।