‘ଦୁର୍ବାଷ୍ଟମୀ’: ଦୁବରେ ଶିବପୂଜା

ଶିବଭକ୍ତମାନଙ୍କୁ ଭଲରୂପେ ଜଣା ଯେ ଚମ୍ପା, ନାଗେଶ୍ୱର, ଅରଖ, ଦୁଦୁରା, କନିଅର, ମନ୍ଦାର ଓ ନୀଳକଇଁ ଆଦି ହେଉଛି ଶିବଙ୍କର ପ୍ରିୟ ଫୁଲ। ସେହିପରି ଶିବଙ୍କର ପ୍ରିୟ ପତ୍ର ହେଉଛି ବେଲ, ଶମୀ, ଅଁଳା, ଦୁର୍ଲଭା ଓ ଦୁଦୁରା। କୃଷ୍ଣ ଗୟସ ଫୁଲ ଏବଂ ଫୁଲ ଓ ପତ୍ରମିଶା ଶ୍ୱେତଗୟସ ମଧ୍ୟ ତାଙ୍କର ଖୁବ୍ ପ୍ରିୟ। ଯେଉଁଠାରେ ଶିବଙ୍କ ସହିତ ବିଷ୍ଣୁଙ୍କର ପୂଜା ବା ହରିହର ଉପାସନା ପ୍ରଚଳିତ, ସେଠାରେ ଏସବୁ ସହିତ ତୁଳସୀ ମଧ୍ୟ ତାଙ୍କୁ ଲାଗି କରାଯାଇଥାଏ।

ଏହା ବ୍ୟତୀତ, ଶିବଙ୍କୁ ଜଳରେ ଅଭିଷେକ କରାଯିବା ସହିତ, ଦୁଧ, ଦହି, ମହୁ ଓ ଲହୁଣୀ ଆଦିରେ ମଧ୍ୟ ଅଭିଷେକ କରାଯାଇଥାଏ। ଏସବୁ ଦ୍ୱାରା ସେ ତୃପ୍ତ ହୁଅନ୍ତି ଏବଂ ଆଶୁତୋଷ ରୂପେ ଭକ୍ତଙ୍କୁ ବାଞ୍ଛିତ ଫଳ ଦିଅନ୍ତି ବୋଲି ଶାସ୍ତ୍ର, ଗ୍ରନ୍ଥ ଆଦିରେ ଉଲ୍ଲେଖ ଅଛି। ଶିବଙ୍କୁ ଏସବୁ ସମର୍ପଣ କରିବା ନିମନ୍ତେ ବହୁ ଶ୍ଳୋକ ଓ ମନ୍ତ୍ର ଆଦି ରହିଛି।

ନିର୍ଦ୍ଦିଷ୍ଟ ତିଥିରେ ଶିବଙ୍କୁ ନିର୍ଦ୍ଦିଷ୍ଟ ଫୁଲ ବା ପତ୍ର ଲାଗି କରାଯିବାର ବିଧି ମଧ୍ୟ ଶାସ୍ତ୍ରରେ ଅଛି। ଏହି ଅନୁସାରେ ଶିବରାତ୍ରିରେ କେତକୀ ଓ ଅଶୋକାଷ୍ଟମୀରେ ଅଶୋକ କଢ଼ି ଓ ଫୁଲ ତାଙ୍କୁ ଲାଗି କରାଯାଇଥାଏ।

କିନ୍ତୁ କୌତୂହଳର ବିଷୟ ଏହି ଯେ ଏକ ନିର୍ଦ୍ଦିଷ୍ଟ ତିଥିରେ ଶିବଙ୍କୁ ଦୁବରେ ପୂଜା କରାଯିବାର ବିଧି ଅଛି। ସେହି ତିଥିଟି ହେଉଛି ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ। ଦୁର୍ଗାଶୟନର ତିଥି ଦୃଷ୍ଟିରୁ ତାହା ‘ଦୁର୍ଗାଷ୍ଟମୀ’ ରୂପେ ନାମିତ ହେଲେ ମଧ୍ୟ, ସେଦିନ ଦୁର୍ବାଦଳ ବା ଦୁବରେ ଶିବଙ୍କର ପୂଜା କରାଯାଏ। ଏଣୁ ଦିନଟିକୁ ‘ଦୁର୍ବାଷ୍ଟମୀ’ ମଧ୍ୟ କୁହାଯାଏ।

ଏହା ସୂଚାଏ ଯେ ଦୁବ ଏକ ପ୍ରକାରର ତୃଣ ହେଲେ ମଧ୍ୟ, ତାହା ଆଦୌ ତୁଚ୍ଛ ନୁହେଁ। ସବୁ ଦେବଦେବୀଙ୍କ ପୂଜା ପରି, ଶିବଙ୍କ ପୂଜାରେ ମଧ୍ୟ ତାହାର ନିର୍ଦ୍ଦିଷ୍ଟ ସ୍ଥାନ ରହିଛି। ତାହାଦ୍ୱାରା ବନବାସୀ ଶିବଙ୍କର ପୂଜା କରାଯିବାପାଇଁ ‘ଦୁର୍ବାଷ୍ଟମୀ’ର ନିର୍ଦ୍ଦିଷ୍ଟ ତିଥି ମଧ୍ୟ ରହିଛି।

ସମ୍ବନ୍ଧିତ ଖବର