ଆଶ୍ୱିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଓଡ଼ିଶାର ଘରେ ଘରେ ଏକ ଲୋକପର୍ବ ପାଳିତ ହୁଏ। ଉପକୂଳ ଓଡ଼ିଶାରେ ଏହା ‘ଦୁତିୟା’ ଓ ପଶ୍ଚିମ ଓଡ଼ିଶାରେ ‘ପୁଅଜିଉନ୍ତିଆ’ ଭାବରେ ଲୋକପ୍ରିୟ। ‘ଦୁତିବାହନ’ଙ୍କ ନାମ ଅନୁସାରେ ଏହା ‘ଦୁତୀୟା ଓଷା’। ଏହି ଓଷାକଥାରେ କୁହାଯାଇଛି-
“ଜୟ ଜୟ ତୁ ଧର୍ମ ନିରଞ୍ଜନ।
ଜୟ ଜୟ ଧର୍ମ ଦୁତିବାହନ।
ଯାହା ନାମ ଗୋଟି ସଂସାରେ ସାର।
ଶୁଣିଲେ ନାନା ଦୋଷୁ ହୋଇ ପାର।”
‘ଦୁତୀୟା ଓଷା’ କଥା ଅନୁସାରେ, ‘ଦୁତିବାହନ’ ହେଉଛନ୍ତି ସୂର୍ଯ୍ୟଙ୍କ ପୁତ୍ର। ନିଜର ଐକାନ୍ତିକ ଭକ୍ତି ଓ ନିଷ୍ଠା ବଳରେ ସୂର୍ଯ୍ୟଙ୍କୁ ଆରାଧନା କରି ଦୁର୍ଲଭା ନାମକ ଜଣେ ବାଲ୍ୟବିଧବା ନାରୀ ସୂର୍ଯ୍ୟଙ୍କଠାରୁ ଏହି ପୁତ୍ର ପ୍ରାପ୍ତ ହୋଇଥିଲେ। ସୂର୍ଯ୍ୟଙ୍କ ଆଶୀର୍ବାଦରୁ, ଏହାଙ୍କର ଆରାଧନା କଲେ ଅପୁତ୍ରିକାମାନେ ପୁତ୍ର ଲାଭ କରନ୍ତି ଏବଂ ପୁତ୍ରବତୀମାନେ ସମସ୍ତ ସନ୍ତାନ କଷ୍ଟରୁ ମୁକ୍ତି ପାଇଥାନ୍ତି।
ଆଶ୍ୱିନ କୃଷ୍ଣ ସପ୍ତମୀ ଦିନ ନାରୀମାନେ କୌଣସି ଏକ ନଦୀ ବା ପୋଖରୀ ଘାଟକୁ ଯାଇ ବାଲିରେ ଚିଲ ଓ ଶିଆଳୀ ମୂର୍ତ୍ତି ଗଢ଼ି ତାଙ୍କୁ ଦୁଇଖଣ୍ଡ ଅପମାରଙ୍ଗ ଦାନ୍ତକାଠି ସମର୍ପଣ କରିଥାନ୍ତି। ସେହି ମୂର୍ତ୍ତିକୁ ନାଡ଼ଲଗା ଜହ୍ନି ଓ କାକୁଡ଼ି ସହିତ ନାନାପ୍ରକାରର ଫୁଲ ଓ ପତ୍ରଦେଇ ସଜାଇ, ସୂର୍ଯ୍ୟଦେବ ଓ ଗଙ୍ଗାମାତାଙ୍କୁ ଆରାଧନା କରି ଫେରିଆସନ୍ତି। ତା’ପର ଦିନ ଅର୍ଥାତ୍ ଅଷ୍ଟମୀ ଦିନ, ଏକ ମୁକ୍ତସ୍ଥାନରେ ଗୋଟିଏ ଚଉଖୁଣ୍ଟିଆ ପୂଜା ବେଦୀ କରି, ମଝିରେ କଦଳୀ ଗଛ, ତୁଳସୀ ଗଛ ଓ ଜୁଇ ଗଛ ରଖି, ତାହାକୁ ୧୦୮ ଦୁବ, ୧୦୮ ଅକ୍ଷତ, ୨୧ ଗଣ୍ଡା ଗୁଆ ଓ ୨୧ ପ୍ରକାର ପନିପରିବା (ଲେଉଟିଆ ଶାଗ ବ୍ୟତୀତ), ମୁଗ, ବୁଟ, ମଟରମଞ୍ଜି ଆଦି ଦେଇ ସଜାଇ, ତା’ ପାଖରେ ସୂର୍ଯ୍ୟଦେବଙ୍କ ଚିତ୍ର, ଦୁତିବାହନଙ୍କ ଚିତ୍ର ଏବଂ ଚିଲ ଓ ଶିଆଳୀ ଚିତ୍ର ଲେଖି ବ୍ରତ କଥା ଶୁଣନ୍ତି। ଏକ ନୂଆ ଲୁଗାକୁ ପାହାଡ଼ା କରି ପୂଜା ସ୍ଥାନରୁ ଲମ୍ବାଇ ଦିଆଯାଇଥାଏ। ବ୍ରତକଥା ପଢ଼ା ସରିଲେ ଫଳମୂଳ ଅର୍ପଣ କରି ଦୁତିବାହନ ବନ୍ଦାପନା କରାଯାଇଥାଏ। ପାହାଡ଼ାରେ ଯେଉଁ ପାଦଧୂଳି ପଡ଼ିଥାଏ, ତାକୁ ନେଇ ପିଲାଙ୍କ ମୁଣ୍ଡରେ ଝାଡ଼ି ଦିଅନ୍ତି। ଏହାଦ୍ୱାରା ପିଲାମାନଙ୍କର ଚନ୍ଦ୍ରରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ୱାସ କରାଯାଏ।
ଅଷ୍ଟମୀ ପରଦିନ ସେହି ଏକୋଇଶ ପ୍ରକାରର ପରିବାରେ ଘରେ ଘରେ ଘାଣ୍ଟ ତରକାରୀ ପ୍ରସ୍ତୁତ ହୁଏ। ତାହାକୁ ଦୁତୀୟାଘାଣ୍ଟ କହନ୍ତି। ଓଡ଼ିଶା ଏକ କୃଷିପ୍ରଧାନ ପ୍ରଦେଶ। ତେଣୁ ଏଠାରେ ପ୍ରାୟ କୃଷି ଉତ୍ପାଦନକୁ ଆଖିରେ ରଖି ବିଭିନ୍ନ ପର୍ବପର୍ବାଣି ପାଳିତ ହୁଏ। ଆଶ୍ୱିନ ମାସରେ ଅନେକ ପ୍ରକାରର ପନିପରିବା ଉତ୍ପନ୍ନ ହୋଇଥାଏ, ଯାହା ପ୍ରାୟ ରୋେଷଇରେ ବ୍ୟବହୃତ ହୋଇ ନଥାଏ। ଏହି ପର୍ବରେ ତାହା ବ୍ୟବହୃତ ହୋଇ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୁଏ। ଏଣୁ ଧର୍ମ ଓ ସଂସ୍କୃତି ସହିତ କୃଷିକାରୀ ସଭ୍ୟତାର ସୁନ୍ଦର ମିଳନପର୍ବ ହେଉଛି ଏହି ଦୁତିବାହନ ବା ଦୁତୀୟା ଓଷା। ପଶ୍ଚିମ ଓଡ଼ିଶାରେ ଏହା ‘ପୁଅଜୀଉନ୍ତିଆ’ ନାମରେ ପ୍ରସିଦ୍ଧ।
-ଡକ୍ଟର ତୁଳସୀ ଓଝା