ଇଷ୍ଟର ରବିବାର

ଆଜି ‘ଗୁଡ଼୍ ଫ୍ରାଇଡ଼େ’ ବା ଶୁଭ ଶୁକ୍ରବାର। ଆଜିର ଦିନରେ ପ୍ରଭୁ ଯୀଶୁଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା। କିନ୍ତୁୁ ସେ ଥିଲେ ପ୍ରକୃତ ଅର୍ଥରେ ଅମୃତର ପୁତ୍ର ଓ ମୃତ୍ୟୁଞ୍ଜୟ। ଏହି ସଂସାର ମୃତ୍ୟୁମୟ ଭଳି ଦୃଶ୍ୟମାନ ହୁଏ। ହେଲେ ପ୍ରଭୁ ଯୀଶୁଙ୍କ ଭଳି ଚେତନାର ଉତ୍ତୁଙ୍ଗ ଶିଖର ପାଇଁ ମୃତ୍ୟୁ କେବଳ ଏକ ମାୟା। ସଂସାରକୁ ଏହି ବାର୍ତ୍ତା ଦେବାପାଇଁ ସେ କ୍ରୁଶବିଦ୍ଧ ହେବାର ତୃତୀୟ ଦିନ ପୁନର୍ଜୀବିତ ହୋଇଥିଲେ। ତାହା ଥିଲା ଏକ ରବିବାର।

ବଡ଼ି ସକାଳୁ ପ୍ରଭୁ ଯୀଶୁଙ୍କୁ କବର ଦିଆଯାଇଥିବା ଗୁମ୍ଫା ପାଖରେ ପହଞ୍ଚିଥିଲେ ତାଙ୍କର ପରମ ଶିଷ୍ୟା ମ୍ୟାରି ମ୍ୟାଗ୍‌ଦେଲିନ୍। କବରର ଦ୍ୱାରକୁ ବନ୍ଦ କରିଥିବା ବିରାଟ ପଥରଟି ଅପସାରିତ ହୋଇଥିବା ଦେଖି ସେ ଚକିତ ହୋଇଯାଇଥିଲେ। ସେ ଅନ୍ୟ ଶିଷ୍ୟମାନଙ୍କୁ ସେହି ଖବର ଜଣାଇଥିଲେ। ସମସ୍ତେ ଆସି କବର ଭିତର ତନ୍ନତନ୍ନ କରି ଖୋଜିଥିଲେ; କିନ୍ତୁ ପାଇ ନଥିଲେ ପ୍ରଭୁ ଯୀଶୁଙ୍କ ଦେହାବଶେଷ। ତାହା ଅନ୍ତର୍ଦ୍ଧାନ ହୋଇଯାଇଥିଲା। କେବଳ ପଡ଼ି ରହିଥିଲା ସେ କ୍ରୁଶବିଦ୍ଧ ହେବା ସମୟରେ ପିନ୍ଧିଥିବା କିଛି ବସ୍ତ୍ର।

ବିମର୍ଷ ମନରେ ମ୍ୟାରିଙ୍କ ଛଡ଼ା ଅନ୍ୟ ସବୁ ଶିଷ୍ୟ ଫେରିଯାଇଥିଲେ। ହେଲେ ମ୍ୟାରି ହୃଦୟର କୋହ ଓ ଆଖିର ଲୋତକ ସହ ସେଠାରେ ଅଟକି ରହିଥିଲେ। ହଠାତ୍ ତାଙ୍କ ଆଗରେ ଆବିର୍ଭୂତ ହୋଇଥିଲେ ପ୍ରଭୁ ଯୀଶୁଙ୍କ ଦିବ୍ୟ ପୁନରୁତ୍‌ଥିତ ସତ୍ତା। ସେ ମ୍ୟାରିଙ୍କୁ ବୁଝାଇଥିଲେ, “ମୁ ହିଁ ପୁନରୁତ୍‌ଥାନ ଓ ଜୀବନ। ଯିଏ ମୋଠାରେ ବିଶ୍ୱାସ ରଖେ, ସେ ମୃତ୍ୟୁ ପ୍ରାପ୍ତି କଲେ ମଧ୍ୟ ଜୀବିତ ରହିବ।” ପ୍ରଭୁ ଯୀଶୁ ନିଜର ଅନ୍ୟ ଶିଷ୍ୟମାନଙ୍କୁ ସେହିଦିନ ହିଁ ତାଙ୍କର ପୁନର୍ଜୀବନ ଦର୍ଶନର ସୌଭାଗ୍ୟ ପ୍ରଦାନ କରିଥିଲେ।

ଏହି ପବିତ୍ର ଦିନ ଓ ଘଟଣାକୁ ସ୍ମୃତିରେ ବଞ୍ଚାଇ ରଖିବାପାଇଁ, ଏହାକୁ ‘ଇଷ୍ଟର ରବିବାର’ ଭାବେ ପାଳନ କରାଯାଏ। ପୁନରୁତ୍‌ଥାନ ପରେ ପ୍ରଭୁ ଯୀଶୁ ୪୦ ଦିନ ଯାଏ ନିଜ ଶିଷ୍ୟମାନଙ୍କ ଆଗରେ ପ୍ରକଟ ହୋଇ ମାର୍ଗଦର୍ଶନ କରିଥିଲେ। ଇଷ୍ଟର ରବିବାରର ୪୦ ଦିନ ପରେ ସେ ଦିବ୍ୟ ଶରୀରରେ ସ୍ୱର୍ଗାରୋହଣ କଲେ।

ସମ୍ବନ୍ଧିତ ଖବର