ରାତିରେ କଅଣ ଖାଇବା ଉଚିତ; କେମିତି ଖାଇବା ଉଚିତ

ଖାଦ୍ୟ ବିଶେଷଜ୍ଞମାନଙ୍କ ମତରେ, ଗୋଟିଏ ଦିନର ଭୋଜନ ମଧ୍ୟରେ ସକାଳ ଜଳଖିଆ ସାର। ଅର୍ଥାତ୍‌ ସକାଳବେଳା ଭୋଜନ ଯେତେ ଭଲ ହେବ ସ୍ୱାସ୍ଥ୍ୟ ପାଇଁ ସେତେ ହିତ। ସକାଳ ଭୋଜନ ଛଡ଼ା ମଧ୍ୟାହ୍ନ ଏବଂ ରାତ୍ରୀ ଭୋଜନର ଗୁରୁତ୍ୱ ନାହିଁ ବୋଲି ମଧ୍ୟ କହି ହେବ ନାହିଁ। କିନ୍ତୁ, ଏ ସବୁ ଭୋଜନରେ କିଛି ବାଛ ବିଚାର ରହିଛି। ପ୍ରକାରାନ୍ତରେ କହିବାକୁ ଗଲେ ଏ ଦୁଇ ଓଳି ଭୋଜନରୁ କିଛି ବାଦ ଦେବା ଉଚିତ।

ବିଶେଷତଃ, ରାତ୍ରୀ ଭୋଜନରୁ ବହୁ ଜିନିଷ ବାଦ ଦେବାକୁ ସ୍ଥଳବିଶେଷରେ ରାତ୍ରୀ ଭୋଜନ ନ କରିବାକୁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। କାରଣ ଦିନର ଶେଷ ପର୍ଯ୍ୟାୟ କଫ ଦୋଷ ଅକ୍ତିଆରରେ ଥାଏ। ତେଣୁ କଫ ଦୋଷ ବୃଦ୍ଧି ନ ପାଇବା ଭଳି ଖାଦ୍ୟ ରାତ୍ର କାଳରେ ଖାଇବା ଉଚିତ। ରାତ୍ର ଭୋଜନ ପାଇଁ ଆୟୁର୍ବେଦରେ କେତୋଟି ଉପଦେଶ ରହିଛି-

ସ୍ୱାସ୍ଥ୍ୟପ୍ରଦ ଓ ଲଘୁ ଶ୍ୱେତସାରଯୁକ୍ତ ଆହାର: ଲଘୁ ଶ୍ୱେତସାରଯୁକ୍ତ ଆହାର ସହଜରେ ହଜମ ହୋଇଥାଏ। ରାତ୍ରୀରେ ଗରିଷ୍ଠ ଖାଦ୍ୟ ଖାଇଲେ ନିଦ୍ରାରେ ବ୍ୟାଘାତ ଘଟେ। ତେଣୁ ପରଦିନ ମାନ୍ଦାଳିଆ ଲାଗେ।

ଦହି ନୁହେଁ ଘୋଳ ଦହି: ରାତ୍ର କାଳରେ କଦାପି ଦହି ପିଅନ୍ତୁ ନାହିଁ। ଦହିରେ ଉଭୟ ଅମ୍ଳ ଓ ମଧୁର ତତ୍ତ୍ୱ ଥିବାରୁ ଏହା ଶରୀରରେ କଫ ଦୋଷ ବଢ଼ାଇ ଦିଏ। ନିହାତି ଆବଶ୍ୟକ ହେଲେ ଘୋଳ ଦହି ପିଅନ୍ତୁ।

ଅଳ୍ପ ଖାଆନ୍ତୁ: ରାତ୍ର କାଳରେ ଭୋଜନ ସୀମିତ ରଖନ୍ତୁ। ଅଳ୍ପ ଖାଇଲେ ସୁନିଦ୍ରା ହୋଇଥାଏ। ଏହାଛଡ଼ା ରାତ୍ରୀରେ ହଜମ ପ୍ରକ୍ରିୟା ବିଶେଷ ସକ୍ରିୟ ରହୁ ନ ଥିବାରୁ ଖାଦ୍ୟ ହଜମ କଷ୍ଟକର ହୋଇପଡ଼େ। ଆୟୁର୍ବେଦ ବିଶାରଦଙ୍କ ମତରେ, ଆଞ୍ଜୁଳିରେ ଯେତିକି ଧରିବ ଜଣେ ଥରକେ ସେତିକି ପରିମାଣରେ ଖାଦ୍ୟ ଖାଇବା ଉଚିତ। ଏହାଠୁ ଅଧିକ ଖାଇଲେ ପାକସ୍ଥଳୀର ସମ୍ପ୍ରସାରଣ ହେଉଥିବାରୁ ବହକା ଖାଦ୍ୟ ଦରକାର ହୁଏ। ଅଧିକ ଖାଇଲେ ଅନ୍ତଃନଳୀରେ ଅଣୁଜୀବମାନେ ବିଷୋଦ୍‌ଗାର କରନ୍ତି। ରାତ୍ର ଭୋଜନ ଓ ଶଯ୍ୟାକୁ ଯିବା ମଧ୍ୟରେ ଅନ୍ୟୂନ ୨/୩ ଘଣ୍ଟା ବ୍ୟବଧାନ ରଖନ୍ତୁ।

ପୁଷ୍ଟିକର ଖାଦ୍ୟ ଖାଆନ୍ତୁ: ରାତ୍ର ଭୋଜନରେ ଡାଲି, ମସୁର, ପତ୍ରିଆ ପରିବା, ଭୁର୍ସୁଙ୍ଗ ପତ୍ର ଆଦି ଖାଆନ୍ତୁ। ରାତ୍ରୀରେ ଶ୍ୱେତସାର ଅପେକ୍ଷା ଅଧିକ ପୁଷ୍ଟିସାର ଖାଇଲେ ହଜମକ୍ରିୟା ଭଲ ରହେ।

୭ଟା ପରେ ଲୁଣ ଖାଆନ୍ତୁ ନାହିଁ: ଏହା କଷ୍ଟସାଧ୍ୟ ହେଲେ ମଧ୍ୟ ସନ୍ଧ୍ୟା ପରେ ଆଦୌ ଲୁଣ ନ ଖାଇବା ପାଇଁ ବା ଯଥା ସମ୍ଭବ କମ୍‌ କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ସବୁ ଦିନ ସମ୍ଭବ ନ ହେଉଛି ସପ୍ତାହକୁ ଦିନେ ଦୁଇ ଦିନ ହେଲେ ବି ଚଳିବ। ଲୁଣ ଶରୀରରେ ପାଣି ଜମାଇବାରେ ସହାୟକ ହୁଏ। ତେଣୁ ରାତ୍ରୀରେ ଯେତେ ଲୁଣ ଖାଇବ ହୃତ୍‌ପିଣ୍ଡ ଏବଂ ରକ୍ତବାହୀ ନଳୀରେ ରକ୍ତଚାପ ବଢ଼ିବ।

ମସଲାଦାର ଖାଦ୍ୟ ଖାଆନ୍ତୁ: ଖାଦ୍ୟକୁ ବାସ୍ନାୟିତ କରିବା ସହ ମସଲା ସ୍ୱାସ୍ଥ୍ୟପ୍ରଦ ହୋଇଥାଏ। ମସଲା ଶରୀରର ଉଷ୍ମତା ବଢ଼ାଇ ଭୋକ କମାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ। ରାତ୍ରୀ ଭୋଜନରେ କେବଳ ଜାଷ୍ଟିମଧୁ, ପାନମହୁରି, ମେଥି ଏବଂ ଗୁଜୁରାତି ଭଳି ମସଲା ବ୍ୟବହାର କରିବା ବିଧେୟ।

ଚିନି ନୁହେଁ ମହୁ: ରାତ୍ର ଭୋଜନରେ ଚିନି ଭଳି ମିଠା ଖାଆନ୍ତୁ ନାହିଁ। ମହୁ ଖାଇବା ଦୋଷାବହ ନୁହେଁ। ମହୁ ସ୍ୱାଦ ବଢ଼ାଇବା ସହ ଓଜନ କମାଇବା ଏବଂ ଲାଳୁକା କମାଇବାରେ ସହାୟକ ହୋଇଥାଏ।

ଖାଦ୍ୟରେ ଲୟ ରଖନ୍ତୁ: ଖାଇବା ବେଳେ କେବଳ ଖାଆନ୍ତୁ। ଟିଭି ଦେଖନ୍ତୁ ନାହିଁ ଗପସପ କରନ୍ତୁ ନାହିଁ। ମନଯୋଗ ସହକାରେ ଖାଦ୍ୟ ଖାଇବା ଧ୍ୟାନ କରିବା ସହ ତୁଳନୀୟ। ଏକାଗ୍ରଚିତ୍ତରେ ଖାଇଲେ ଅଧିକ ନୁହେଁ, ଆବଶ୍ୟକ ପରିମାଣରେ ଖାଦ୍ୟ ଖାଇବେ।

ସମ୍ବନ୍ଧିତ ଖବର