ଶିଶୁ ପାଇଁ ଶିକ୍ଷା ଚିନ୍ତା

‘ଆବଶ୍ୟକତା ହିଁ ଉଦ୍ଭାବନର ପ୍ରସୂତି’ ଭଳି ବହୁଳ ପ୍ରଚଳିତ ପ୍ରବାଦ ଅନୁଯାୟୀ, ଦରକାର ପଡ଼ିଲେ ହିଁ ନୂଆ କିଛି ବାହାର କରିବା ପାଇଁ ମନ ଉତ୍ସାହିତ ହୋଇଥାଏ। ଏହି କ୍ରମରେ ନିଜ ପିଲାମାନେ ପାରମ୍ପରିକ ଶିକ୍ଷାପ୍ରଣାଳୀ ଦ୍ବାରା କେତେ ଅନୁପ୍ରାଣିତ ହେଉଛନ୍ତି, ତାହାକୁ ଅନୁଧ୍ୟାନ କରି ଖ୍ୟାତନାମା ମନସ୍ତତ୍ତ୍ବବିତ୍‌ ତଥା ଗପକୁହାଳି ଅପର୍ଣ୍ଣା ଆଥ୍ରେୟ ବିଭିନ୍ନ ଶିଶୁ ଓ ଅଭିଭାବକମାନଙ୍କ ଉଦ୍ଦେଶ୍ୟରେ ‘କିଡ୍‌ ଆଣ୍ଡ୍‌ ପ୍ୟାରେଣ୍ଟ୍‌ ଫାଉଣ୍ଡେସନ’ ନାମରେ ଏକ ଅନୁଷ୍ଠାନର ମୂଳଦୁଆ ପକାଇବା ଉଦାହରଣୀୟ ନିଶ୍ଚୟ। ତାଙ୍କ ଦ୍ବାରା ୨୦୧୫ ମସିହାରେ ସ୍ଥାପିତ ଏହି ଅଭିନବ ଷ୍ଟାଟ୍‌ଅପ୍‌ ହିଁ ଆମ ସମୟର ତ୍ରୁଟିପୂର୍ଣ୍ଣ ଶୈକ୍ଷିକ ପ୍ରଣାଳୀ ଦ୍ବାରା ବୀତସ୍ପୃହ ହୋଇପଡ଼ିଥିବା ଅଭିଭାବକ ଓ ଶିଶୁମାନଙ୍କୁ ପ୍ରେରଣାପ୍ରଦ ଶିକ୍ଷା ଓ ଆମୋଦପ୍ରମୋଦ ଯୋଗାଉଛି। ବିଭିନ୍ନ ପ୍ରକାର ସଂଗୀତ, ନାଟକ, ଗଳ୍ପକଥନ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କ ଅନୁଷ୍ଠାନ ଶିଶୁ ଓ ଅଭିଭାବକମାନଙ୍କୁ ବାନ୍ଧି ରଖିପାରୁଛି ଏବଂ ସେମାନେ ଏହାଦ୍ବାରା ନିଜ ଲକ୍ଷ୍ୟପଥରେ ଅଗ୍ରସର ହୋଇପାରୁଛନ୍ତି ବୋଲି ସେମାନେ ସ୍ବୀକାର କରିଛନ୍ତି। ପ୍ରତ୍ୟେକ ଶିଶୁର ସାମାଜିକ ତଥା ମାନସିକ ବିକାଶ ପାଇଁ ଏଥିରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ରହିଛି। ଏକାଧାରରେ ଜଣେ ପ୍ରବୀଣା ଗଳ୍ପକୁହାଳି, ଗଳ୍ପ ପ୍ରଶିକ୍ଷିକା, ପ୍ରେରଣାଦାୟୀ ଅଧିବକ୍ତା, ଶିକ୍ଷାବିତ୍‌ ଓ ଉଦ୍ୟୋଗୀ ଥିବା ଅପର୍ଣ୍ଣା, ଶିଶୁମାନଙ୍କର ଏହି ଶିକ୍ଷା ଓ ବିକାଶ କ୍ଷେତ୍ରକୁ ପ୍ରବେଶ କରିବା ପୂର୍ବରୁ, ଇନ୍‌ଫୋସିସ୍‌ ଓ ଆଇବିଏମ୍‌ ପରି ନାମୀ ସଫ୍ଟୱେର୍‌ ଉଦ୍ୟୋଗ ସହ ୧୭ ବର୍ଷ କାଳ ଜଡ଼ିତ ଥିଲେ।

ନିହାତି ଶୈଶବାବସ୍ଥାରୁ ହିଁ ଶିଶୁମାନଙ୍କର ସ୍ବୟଂ ବିକାଶ ଉପରେ ଗୁରୁତ୍ବ ଦେଇ ଆସୁଥିବା ଅପର୍ଣ୍ଣାଙ୍କ ଦ୍ବାରା ସ୍ଥାପିତ ଅନୁଷ୍ଠାନ ହିଁ ପ୍ରାରମ୍ଭିକ ଅବସ୍ଥାରେ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଥିଲା। ତେବେ ପ୍ରଚଳିତ ଶିକ୍ଷା ପ୍ରଣାଳୀରେ ରହିଥିବା ତ୍ରୁଟିଗୁଡ଼ିକୁ ଲୋକଲୋଚନକୁ ଆଣି ତାଙ୍କ ଗଳ୍ପକଥନ ଜନିତ ଶିଶୁମାନଙ୍କର ମାନସିକ ବିକାଶ ସମ୍ପର୍କରେ ସତେତନତା ସୃଷ୍ଟି ପରେ ତାଙ୍କ ‘କିଡ୍‌ ଆଣ୍ଡ୍‌ ପ୍ୟାରେଣ୍ଟ୍‌ ଫାଉଣ୍ଡେସନ’ ଲୋକପ୍ରିୟ ହେବାକୁ ଲାଗିଲା। ନିଜ ଅନୁଷ୍ଠାନର ଏଭଳି ଲୋକପ୍ରିୟ ପ୍ରେରଣାପ୍ରଦ କାର୍ଯ୍ୟକ୍ରମ ମାଧ୍ୟମରେ ଅପର୍ଣ୍ଣା ବିଭିନ୍ନ ନେତୃତ୍ବ ଦଳ, ବିୟାଳୟ-ଅଧ୍ୟକ୍ଷ ସମ୍ମିଳନୀ ଓ ଶୈକ୍ଷିକ ସମାବେଶରେ ନିଜର ଗଳ୍ପକଥନ ଚାତୁରୀ ପରିବେଷଣ କରି ଆସୁଛନ୍ତି। ତାଙ୍କର ଏଭଳି ଅଭିନବ ଉଦ୍ୟମ ପାଇଁ ତାଙ୍କୁ ୨୦୧୫ ମସିହାରେ ପୋଲ୍‌କା କାଫେ ଦ୍ବାରା ‘ବେଙ୍ଗାଲୁରୁର ଶ୍ରେଷ୍ଠ ପ୍ରଭାବଶାଳୀ ମହିଳା’ ଭାବେ ତାଲିକାଭୁକ୍ତ କରାଯାଇଥିଲା। ସେହିପରି ୨୦୧୬ରେ ତାଙ୍କୁ କାନାଡ଼ା ବ୍ୟାଙ୍କ ପକ୍ଷରୁ ‘ଶ୍ରେଷ୍ଠ ମହିଳା ଉଦ୍ୟୋଗୀ’ ଭାବେ ଚୟନ କରାଯାଇଥିଲା। ସେହି ବର୍ଷ ହିନ୍ଦୁ ମେଟ୍ରୋପଲିସ୍‌ ପକ୍ଷରୁ ତାଙ୍କୁ ‘ଅଗ୍ରଣୀ ମହିଳା ଉଦ୍ୟୋଗୀ’ ଭାବେ ବିବେଚନା କରାଯାଇଥିଲା। ଏପରିକି ୨୦୨୦ ମସିହା କରୋନାକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଅପର୍ଣ୍ଣାଙ୍କର ଏହି ଅଭିନବ ପ୍ରୟାସ ପାଇଁ ଭୂୟସୀ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର