ଗଣେଶଙ୍କ ଆଠ ଅବତାର

ଗଣେଶଙ୍କୁ ନେଇ ରହିଥିବା ପୁରାଣଗୁଡ଼ିକ ମଧ୍ୟରୁ ‘ମୁଦ୍‌ଗଲ ପୁରାଣ’ ଗୋଟିଏ। ଏହି ଉପପୁରାଣରେ ଗଣେଶଙ୍କର ଆଠଟି ଅବତାର କଥା କୁହାଯାଇଛି। ପୁଣି ମଜାର କଥା ହେଉଛି- ଗଣେଶଙ୍କର ବାହନ ମୂଷିକ ବୋଲି ଆମକୁ ଜଣା ଥିବା ବେଳେ, ଏହି ଆଠ ଅବତାରଙ୍କ ମଧ୍ୟରୁ ପାଞ୍ଚ ଅବତାରଙ୍କର ବାହନ ମୂଷିକ। ବାକି ତିନି ଅବତାରଙ୍କର ବାହନ- ସିଂହ, ସାପ ଓ ମୟୂର।

‘ମୁଦ୍‌ଗଲ ପୁରାଣ’ରେ ବର୍ଣ୍ଣିତ ଆଠ ଅବତାରରେ ଗଣେଶ ଯେଉଁସବୁ ଅସୁରଙ୍କୁ ଦମନ କରିଥିଲେ- ତାହା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ‘ବକ୍ରତୁଣ୍ଡ’ ଅବତାରରେ ସେ ମତ୍ସରାସୁର, ‘ଏକଦନ୍ତ’ ଅବତାରରେ ମଦାସୁର, ‘ମହୋଦର’ ଅବତାରରେ ମୋହାସୁର ଓ ‘ଗଜାନନ’ ଅବତାରରେ ଲୋଭାସୁରକୁ ଦମନ କରିଥିଲେ। ସେହିପରି, ‘ଲମ୍ବୋଦର’ ଅବତାରରେ କ୍ରୋଧାସୁର, ‘ବିକଟ’ ଅବତାରରେ କାମାସୁର, ବିଘ୍ନରାଜ ଅବତାରରେ ମମାସୁର ଏବଂ ‘ଧୂମ୍ରବର୍ଣ୍ଣ’ ଅବତାରରେ ଅହଂକାରାସୁରକୁ ସେ ଦମନ କରିଥିଲେ। ଏହିସବୁ ଅସୁର ହେଉଛନ୍ତି- ଆମର ଗୋଟିଏ ଗୋଟିଏ ଦୋଷ, ଦୁର୍ବଳତାର ପ୍ରତୀକ। ଏଣୁ ଏହାର ତାତ୍ପର୍ଯ୍ୟ ହେଉଛି- କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ମମଭାବ ଓ ଅହଂକାର ଆଦି ମାନବୀୟ ଦୋଷ, ଦୁର୍ବଳତାକୁ ଅତିକ୍ରମ ନକଲେ ଆମର ଉନ୍ନତି ବା ଅଗ୍ରଗତି ହେବନାହିଁ। ସ୍ୱଚ୍ଛନ୍ଦ, ସୁଖକର ଓ ପବିତ୍ର ଜୀବନଯାପନ ପାଇଁ, ଆମ ଭିତରେ ଥିବା ଏହି ଶତ୍ରୁମାନଙ୍କର ନିପାତ ବା ଦମନ ନିହାତି ଆବଶ୍ୟକ।

ଏଣୁ ‘ମୁଦ୍‌ଗଲ ପୁରାଣ’ର ଏହି ଆଠ ଅବତାରରେ ଗଣେଶ ସେମାନଙ୍କୁ ଦମନ କରି, ଆମକୁ ସ୍ୱଚ୍ଛନ୍ଦ, ସୁଖକର ଓ ପବିତ୍ର ଜୀବନଯାପନର ମନ୍ତ୍ର ଦେଇଛନ୍ତି।

ସମ୍ବନ୍ଧିତ ଖବର