ଏଣ୍ଡୋସ୍କୋପିକ୍ ମେରୁଦଣ୍ଡ ଅସ୍ତ୍ରୋପଚାର କ’ଣ?
ଏହା ହେଉଛି ଶରୀରକୁ ସାମାନ୍ୟ କଟାଯାଇ କରାଯାଉଥିବା ମେରୁଦଣ୍ଡ ଅସ୍ତ୍ରୋପଚାର। ଏଥିରେ ଏଣ୍ଡୋସ୍କୋପ୍କୁ ଅସ୍ତ୍ରୋପଚାର ଉପକରଣ ଭାବେ ବ୍ୟବହାର କରାଯାଏ। ଅତି କ୍ଷୁଦ୍ର ଛିଦ୍ର କରାଯାଇ ଅସ୍ତ୍ରୋପଚାର କରାଯାଉଥିବାରୁ ଏହି ପଦ୍ଧତିରେ ଅଧିକ ଟିସ୍ୟୁ ନଷ୍ଟ ହୁଏନାହିଁ। ତେଣୁ ରୋଗୀ ବିଶେଷ ଉପକୃତ ହୁଏ। ଏଥିରେ ଅଭ୍ୟନ୍ତରର ଦୃଶ୍ୟ ପରିବର୍ଦ୍ଧିତ ହୋଇ ଦେଖାଯାଉଥିବାରୁ ଡାକ୍ତର ସୂକ୍ଷ୍ମାତିସୂକ୍ଷ୍ମ ଜିନିଷ ଦେଖି ନିରାପଦ ଭାବେ ଠିକ୍ ସ୍ଥାନରେ ଅସ୍ତ୍ରୋପଚାର କରନ୍ତି।
ଏଣ୍ଡୋସ୍କୋପ୍ କାର୍ଯ୍ୟଧାରା ବିଷୟରେ ବିସ୍ତୃତ ଭାବେ କହିବେ କି?
ଲାପର୍ସ୍କୋପ୍ ଦ୍ବାରା ଯେମିତି ପେଟ ଅଭ୍ୟନ୍ତର ଏବଂ ଅର୍ଥୋସ୍କୋପ୍ ଦ୍ବାରା ଗଣ୍ଠି ସମସ୍ୟା ଉପଚାର କରାଯାଏ, ଠିକ୍ ସେମିତି ସ୍ପାଇନାଲ୍ ଏଣ୍ଡୋସ୍କୋପ୍ ଯନ୍ତ୍ର ଦ୍ବାରା ମେରୁଦଣ୍ଡ ଅସ୍ତ୍ରୋପଚାର କରାଯାଏ। ଏହା ହେଉଛି ଗୋଟାଏ ସରୁ କଲମ ଭଳି ଉପକରଣ। ୧ ସେଣ୍ଟିମିଟର୍ରୁ କମ୍ ଗୋଲେଇବିଶିଷ୍ଟ ଏହି ଉପକରଣ ଅଗରେ ଅପ୍ଟିକାଲ୍ ଲେନ୍ସ୍ ଲାଗିଥାଏ। ଏହି ଲେନ୍ସ୍ ଓ ଏଣ୍ଡୋସ୍କୋପ୍ କ୍ୟାମେରା ସିଷ୍ଟମ୍ ଦ୍ବାରା ମନିଟର୍ ସ୍କ୍ରିନ୍ ଉପରେ ଲାଇଭ୍ ଭିଡିଓ ଦୃଶ୍ୟମାନ ହୁଏ। ତା’ଛଡ଼ା ସ୍ପାଇନ୍ ଏଣ୍ଡୋସ୍କୋପ୍ ଭିତରଟି ପୋଲା। ସ୍କ୍ରିନ୍ ଉପରେ ଲାଇଭ୍ ଭିଡିଓ ଦେଖି ଡାକ୍ତରମାନେ ଅସ୍ତ୍ରୋପଚାର କରିବା ଲାଗି ସେହି ପୋଲା ଅଂଶ ଦେଇ ଆବଶ୍ୟକ ଅନ୍ୟାନ୍ୟ ଉପକରଣ ଭର୍ତ୍ତି କରନ୍ତି।
ଓପନ୍ ସ୍ପାଇନ୍ ସର୍ଜରି ଅପେକ୍ଷା ଏଣ୍ଡୋସ୍କୋପିକ୍ ସର୍ଜରି ଭଲ କାହିଁକି?
ଏଣ୍ଡୋସ୍କୋପିକ୍ ପଦ୍ଧତି ଦ୍ବାରା ନିର୍ଦ୍ଦିଷ୍ଟ ସ୍ଥାନରେ କ୍ଷୁଦ୍ର ଛିଦ୍ର କରି ଅସ୍ତ୍ରୋପଚାର କରାଯାଉଥିବାରୁ ସେ ସ୍ଥାନ ସଂଲଗ୍ନ ଅନ୍ୟାନ୍ୟ ମାଂସପେଶୀ ଓ ଟିସ୍ୟୁ ନଷ୍ଟ ହୁଏନାହିଁ। ଫଳରେ ଅସ୍ତ୍ରୋପଚାର ପରେ ଖୁବ୍ କମ୍ ବା ଆଦୌ ଯନ୍ତ୍ରଣା ହୁଏନାହିଁ। ଅସ୍ତ୍ରୋପଚାର ସମୟରେ ଅତି ନଗଣ୍ୟ ପରିମାଣର ରକ୍ତ କ୍ଷୟ ହୁଏ। ସୁତରାଂ, ଓପନ୍ ସ୍ପାଇନ୍ ସର୍ଜରି ଅପେକ୍ଷା ଏଥିରେ ରୋଗୀ ଶୀଘ୍ର ସୁସ୍ଥ ହୁଏ। ଅର୍ଥାତ୍ ଅସ୍ତ୍ରୋପଚାର ଶେଷ ହେବାର ୮ରୁ ୧୦ ଘଣ୍ଟା ମଧ୍ୟରେ ରୋଗୀ ଡାକ୍ତରଖାନାରୁ ଘରକୁ ଯାଇପାରିବ। ବାହାରେ କାମଦାମ ବି କରିପାରିବ।
ଡାକ୍ତରଙ୍କ ପାଇଁ ବିକଳ୍ପ ଭାବେ ଅେନକ ପ୍ରକାର ଏଣ୍ଡୋସ୍ପୋପିକ୍ ଉପାୟ ଅଛି କି?
ଅବଶ୍ୟ ରହିଛି। ଇଣ୍ଟର୍ନେଟ୍ରେ ସର୍ଚ କଲେ ଏ ବିଷୟରେ ବହୁ ସୂଚନା ପାଇବେ। କିନ୍ତୁ, ଆଜିକାଲି ମୁଖ୍ୟତଃ ତିନି ପ୍ରକାର ଏଣ୍ଡୋସ୍କୋପ୍ କୌଶଳ ଅବଲମ୍ବନ କରାଯାଉଛି। ସେସବୁ ହେଉଛି ‘ୟୁବିଇ/ବାଇପୋର୍ଟାଲ୍ ଏଣ୍ଡୋସ୍କୋପି, ଫୁଲ୍ ଏଣ୍ଡୋସ୍କୋପି/ମୋନୋପୋର୍ଟାଲ୍ ଏଣ୍ଡୋସ୍କୋପି/ୟୁନିପୋର୍ଟାଲ୍ ଏଣ୍ଡୋସ୍କୋପି ଓ ଡେସ୍ଟାନ୍ଡ୍ୟୁ ପଦ୍ଧତି। କିନ୍ତୁ, ଫୁଲ୍ ଏଣ୍ଡୋସ୍କୋପି/ମୋନୋପୋର୍ଟାଲ୍ ଏଣ୍ଡୋସ୍କୋପି ହିଁ ବାସ୍ତବ ଏଣ୍ଡୋସ୍କୋପ୍। ବାକି ସବୁ ସହାୟକ ପଦ୍ଧତି। ତେଣୁ, ରୋଗୀଙ୍କ ପାଇଁ ଫୁଲ୍ ଏଣ୍ଡୋସ୍କୋପି/ମୋନୋପୋର୍ଟାଲ୍ ଏଣ୍ଡୋସ୍କୋପି ପଦ୍ଧତି ହିଁ ଶ୍ରେୟସ୍କର।
ଫୁଲ୍ ଏଣ୍ଡୋସ୍କୋପି ଜରିଆରେ ଆଉ କି କି ମେରୁଦଣ୍ଡ ରୋଗ ଚିକିତ୍ସା କରାଯାଇ ପାରିବ?
ଏଣ୍ଡୋସ୍କୋପ୍ ପଦ୍ଧତି ପରିସର ଖୁବ୍ ବ୍ୟାପକ। ସୁନିଶ୍ଚିତ କଥା ହେଉଛି ଏଣ୍ଡୋସ୍କୋପି ପଦ୍ଧତି ଦ୍ବାରା ସାଧାରଣରେ ପରିଲକ୍ଷିତ ସବୁ ପ୍ରକାରର ମେରୁଦଣ୍ଡ ରୋଗ ଉପଚାର କରାଯାଇ ପାରିବ। ଲୁମ୍ବାର୍ କେନାଲ୍ ଷ୍ଟେନୋସିସ୍, ଡିସ୍କ୍ ପ୍ରୋଲାସ୍ପ/ସ୍ଲିପ୍ଡ୍ ଡିସ୍କ୍/ସାଇଟିକା ଭଳି ପିଠି ଯନ୍ତ୍ରଣା ଭଳି ରୋଗର ଚିକିତ୍ସା ନିମନ୍ତେ ଏହା ଖୁବ୍ ଭଲ ଉପକରଣ।
ଏଣ୍ଡୋସ୍କୋପିକ୍ ମେରୁଦଣ୍ଡ ଅସ୍ତ୍ରୋପଚାରରେ ରୋଗୀ ଶୀଘ୍ର ସୁସ୍ଥ ହୁଏ
ଏହା ହେଉଛି ଶରୀରକୁ ସାମାନ୍ୟ କଟାଯାଇ କରାଯାଉଥିବା ମେରୁଦଣ୍ଡ ଅସ୍ତ୍ରୋପଚାର। ଏଥିରେ ଏଣ୍ଡୋସ୍କୋପ୍କୁ ଅସ୍ତ୍ରୋପଚାର ଉପକରଣ ଭାବେ ବ୍ୟବହାର କରାଯାଏ। ଅତି କ୍ଷୁଦ୍ର ଛିଦ୍ର କରାଯାଇ ଅସ୍ତ୍ରୋପଚାର କରାଯାଉଥିବାରୁ ଏହି ପଦ୍ଧତିରେ ଅଧିକ ଟିସ୍ୟୁ ନଷ୍ଟ ହୁଏନାହିଁ।