ଏଙ୍ଗଜାଇଟି ଓ ଏହାର ଚିକିତ୍ସା

କରୋନା ମହାମାରୀ ଓ ତାହାର ପରବର୍ତ୍ତି ସମୟରେ ଆମ ସମସ୍ତଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ଲୋକଙ୍କ ମଧ୍ୟରେ ବିଭିନ୍ନ କାରଣରୁ ମାନସିକ ଚାପ, ବ୍ୟସ୍ତତା ଓ ଉଦ୍‌ବେଗ ବୃଦ୍ଧି ପାଇଛି। କିଛି ଲୋକଙ୍କ ମନରେ ଛାନିଆ ଓ ବ୍ୟସ୍ତତା ସବୁବେଳେ ଲାଗି ରହୁଛି। ଏହାକୁ ମାନସିକ ଉଦ୍‌ବେଗ ରୋଗ ବା ଜନେରୋଲାଇଜ୍‌ ଏଙ୍ଗଜାଇଟି ଡିସଅର୍ଡର କୁହାଯାଏ। ଗତ ଦଶ ମାସ ମଧ୍ୟରେ ଏଙ୍ଗଜାଇଟି ରୋଗର ପ୍ରାଦୁର୍ଭାବ ସାରା ବିଶ୍ଵରେ ବୃଦ୍ଧି ପାଇଛି। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନଙ୍କଠାରେ ଏଙ୍ଗଜାଇଟି ସମସ୍ୟା ବୃଦ୍ଧି ପାଇଛି।
-: ରୋଗର ଲକ୍ଷଣ :-
ମନରେ ସବୁବେଳେ ଅତ୍ୟଧିକ ବ୍ୟସ୍ତତା, ଛାନିଆ, ବିଚଳିତ ଭାବ, ଚିଡିଚିଡା ଭାବ ଓ ଉଦ୍‌ବେଗ ଲାଗି ରହେ।
ଅଧିକାଂଶ ସମୟ ମନ ବ୍ୟସ୍ତ ଓ ବିଚଳିତ ରହିବା ଯୋଗୁଁ କୌଣସି କାମରେ ମନ ଲାଗେ ନାହିଁ। କାହା ସହିତ କଥା ହେବାକୁ ଇଚ୍ଛା ହୁଏ ନାହିଁ।
ଅତି ଛୋଟ ଛୋଟ କଥାରେ ମନ ଅସ୍ଥିର ରହେ।
ବେଳେବେଳେ ଦେହ ହାତ ଥରିବା, ପାଟି ଶୁଖି ଯିବା, ଛାତି ଧଡ଼ ଧଡ଼ ହେବା, ଅତ୍ୟଧିକ ଝାଳ ବୋହିବା ଓ ମୁଣ୍ଡ ବୁଲାଇବା ଆଦି ଲକ୍ଷଣ ମଧ୍ୟ ଦେଖା ଯାଏ। କେତେକ ଲୋକଙ୍କର ଏଙ୍ଗଜାଇଟି ରୋଗ ଯୋଗୁଁ ଅଧିକାଂଶ ସମୟରେ ମୁଣ୍ଡ ବିନ୍ଧା ମଧ୍ୟ ହୋଇ ଥାଏ।
ନିଦ କମି ଯାଏ । ଅଳ୍ପ କାମ କଲା ପରେ ହାଲିଆ ଲାଗେ।
କିଛି ଲୋକ ମାନସିକ ଉଦ୍‌ବେଗର ମୁକାବିଲା କରି ନ ପାରି ଭୁଲବଶତଃ ବିଭିନ୍ନ ପ୍ରକାରର ନିଶା ସବେନ (ସିଗାରେଟ, ମଦ ଓ ଗୁଟଖା) ଆରମ୍ଭ କରି ଦିଅନ୍ତି। ଯାହା ଦ୍ବାରା ଉଦ୍‌ବେଗ ଆହୁରି ବଢି ଯାଏ। କେତେକ ଲୋକ ମାନସିକ ଉଦ୍‌ବେଗ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥାନ୍ତି।
ଏଙ୍ଗଜାଇଟି ରୋଗର ଚିକିତ୍ସା
ମାନସିକ ଉଦ୍‌ବେଗ ରୋଗର ଲକ୍ଷଣଗୁଡିକ ଭୟଙ୍କର ହେଲେ ମଧ୍ୟ ଏହା ମାରାତ୍ମକ ନୁହେଁ। ଏହାର ଚିକିତ୍ସା ସମ୍ପୂର୍ଣ୍ଣ ସମ୍ଭବ। ରୋଗ ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ ଜରୁରୀ।
ଏଙ୍ଗଜାଇଟି ରୋଗର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରାଯାଇଥାଏ। ଏହି ଔଷଧଗୁଡିକୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସେବନ କରିବାକୁ ପଡିଥାଏ। ଏହା ସହିତ ମନସ୍ତାତ୍ବିକ ଚିକିତ୍ସା (କାଉନସେଲିଙ୍ଗ) ମଧ୍ୟ ଲାଭଦାୟକ ହୋଇ ଥାଏ।
ଉଦ୍‌ବେଗ ଦୂର କରିବା ନିମନ୍ତେ ମନକୁ ଶାନ୍ତ କରିବାର ଉପାୟକୁ ବ୍ୟବହାର କରିବା ଜରୁରୀ। ଧୀର ଓ ଗଭୀର ନିଃଶ୍ଵାସ ପ୍ରଶ୍ଵାସ ନେବା, ଯୋଗ ଅଭ୍ୟାସ ମାନସିକ ଉଦ୍‌ବେଗ ଦୂର କରିବାରେ ସାହାଯ୍ୟ କରିଥାଏ। ମନକୁ ଶାନ୍ତି ଦେଉଥିବା କଥା, ଜାଗା ଓ ଘଟଣା ସଂପର୍କରେ ଚିନ୍ତା କରିବା ଉଚିତ। ନିଜକୁ ଭଲ ଲାଗୁଥିବା କାର୍ଯ୍ୟକ୍ରମରେ ବ୍ୟସ୍ତ ରଖିବା ଓ ମଧୁର ସଙ୍ଗୀତ ଶୁଣିବା ଦ୍ବାରା ମଧ୍ୟ ମାନସିକ ଉଦ୍‌ବେଗ କମିଥାଏ।
ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ।
ପ୍ରତିଦିନ ଅତି କମରେ ୬ ରୁ ୮ ଘଣ୍ଟା ଶୁଅନ୍ତୁ। ଦିନକୁ ୩୦ ରୁ ୪୫ ମିନିଟ ପାଇଁ ଶାରୀରିକ ବ୍ୟାୟାମ କରନ୍ତୁ।
ଯଦି ଠିକ୍‌ ସମୟରେ ଏଙ୍ଗଜାଇଟି ରୋଗର ଉପଯୁକ୍ତ ଚିକିତ୍ସା କରା ନ ଯାଏ, ତେବେ ଭବିଷ୍ୟତରେ ଏହା ସହିତ ଅନ୍ୟ ମାନସିକ ସମସ୍ୟା ଯଥା ଅବସାଦ ରୋଗ ବା ଡିପ୍ରସେନ ଆରମ୍ଭ ହୋଇ ପାରେ। ‌ଉପଯୁକ୍ତ ଚିକିତ୍ସାରେ ଏଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରାଯାଇ ପାରିବ।

ଆସିଷ୍ଟାଣ୍ଟ ପ୍ରଫେସର ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌

ସମ୍ବନ୍ଧିତ ଖବର