ଶରୀରରେ ରକ୍ତ ଜମାଟ ହ୍ରାସ ପାଇଁ ବ୍ୟାୟାମ ଆବଶ୍ୟକ

ଡାକ୍ତର ଦୀପକ ର˚ଜନ ଦାସ

ମଣିଷ ଶରୀରରେ ରକ୍ତ ତରଳ ଅବସ୍ଥାରେ ପ୍ରବାହିତ ହେବା ଏକ ପ୍ରକୃତିଦତ୍ତ ପ୍ରକ୍ରିୟା। ଉତ୍ତର ମେରୁ ବା ଦକ୍ଷିଣ ମେରୁରେ ପାଣି ସ୍ବତଃ ବରଫ ପାଲଟି ଯାଉଥିବା ବେଳେ ସେଠାରେ ମଧ୍ୟ ମଣିଷ ଶରୀରରେ ରକ୍ତର ପ୍ରବାହ ସ୍ବଭାବିକ ଭାବେ ପ୍ରବାହିତ ହେଉଛି। ଆମ ରକ୍ତରେ ବିଭିନ୍ନ ରକ୍ତ କଣିକା ଓ ‘ଫିବ୍ରିନୋଜେନ୍‌’ ଭଳି ପଦାର୍ଥ ତରଳ ନହେଲେ ମଧ୍ୟ ଦ୍ରବୀକରଣ ପ୍ରକ୍ରିୟା ହେତୁ ସହଜରେ ପ୍ରବାହିତ ହେଇଥାନ୍ତି। କିନ୍ତୁ ଯେତେବେଳେ ଦେହରେ କୌଣସି ଜାଗାରେ ଛୋଟ କ୍ଷତଟିଏ ସୃଷ୍ଟି ହୁଏ, ଆମେ ଆଙ୍ଗୁଠିରେ ଚିପି ଧରିଲେ ରକ୍ତକ୍ଷରଣ ଅଳ୍ପ ସମୟରେ ବନ୍ଦ ହୋଇଯାଏ। ଏହା ଏକ ଆଶ୍ଚର୍ଯ୍ୟଜନକ ବ୍ୟବସ୍ଥା। ଆମ ଶରୀରରେ ରକ୍ତ ତରଳ ଭାବେ ପ୍ରବାହିତ ହେବା ଏବ˚ ଆବଶ୍ୟକ ପଡ଼ିଲେ ଜମାଟ ବାନ୍ଧି କଠିନ ଗୁଳାରେ ପରିବର୍ତ୍ତିତ ହେବା ଦୁଇ ପ୍ରକାର ପ୍ରକ୍ରିୟା ଏବ˚ ଏହି ପ୍ରକ୍ରିୟା ଦ୍ବୟ ମଧ୍ୟରେ ଏକ ସୂକ୍ଷ୍ମ ସନ୍ତୁଳନ ପରିଲକ୍ଷିତ ହୁଏ। ଯେତେବେଳେ ଏହି ସନ୍ତୁଳନ ବିଗିଡ଼ିଯାଏ ସେତେବେଳେ ରକ୍ତ ଅଧିକ ତରଳ ଭାବେ କ୍ଷରଣ ହୋଇ ଜୀବନପ୍ରତି ବିପଦ ସୃଷ୍ଟି କରିପାରେ କିମ୍ବା ଅନାବଶ୍ୟକ ପରିସ୍ଥିତିରେ ଜମାଟ ବାନ୍ଧିବା ହେତୁ ମଧ୍ୟ ଭୟଙ୍କର ଅବସ୍ଥା ଉପୁଜିପାରେ। କରୋନା ଭୂତାଣୁର ସ˚କ୍ରମଣ ଯୋଗୁଁ ମଣିଷ ଶରୀରରେ ବିଭିନ୍ନ ପ୍ରକାର ଅସ୍ବାଭାବିକତା ଘଟିଥାଏ। ଏହିସବୁ ଅସୁବିଧାମାନଙ୍କ ଭିତରୁ ରକ୍ତ ଜମାଟ ବାନ୍ଧିବାର ଅସାମାନ୍ୟତା ଗୋଟିଏ ଗୁରୁତର ଅବସ୍ଥା।

ସାଧାରଣତଃ ମଣିଷ ଦେହରେ ଥଣ୍ତା, ଜ୍ବର ସୃଷ୍ଟି କରୁଥିବା ଅନ୍ୟାନ୍ୟ ଭୂତାଣୁ ଯଥା ‘ଇନ୍‌ଫ୍ଲୁଏନ୍‌ଜା’ ଅଥବା ‘ରାଇନୋ’ ଭାଇରସ ଗୁଡ଼ିକର ଏହି ବିପଦ ସୃଷ୍ଟି କରିବାର କ୍ଷମତା ନଥାଏ। ସେଥିପାଇଁ ସେମାନଙ୍କ ସ˚କ୍ରମଣ ବର୍ଷର ବିଭିନ୍ନ ସମୟରେ ହେଉଥିଲେ ମଧ୍ୟ ମୃତ୍ୟୁହାର ଯଥେଷ୍ଟ କମ୍‌ ରହିଥାଏ। କୋଭିଡ୍‌ ମହାମାରୀ ଆରମ୍ଭ ସମୟରେ ଯେତେବେଳେ ଇଟାଲିରେ ଲୋକମାନେ ପୋକମାଛି ଭଳି ମୃତ୍ୟୁମୁଖରେ ପଡ଼ିଲେ, ସେତେବେଳେ ବିଶ୍ବର ବୈଜ୍ଞାନିକମାନେ ବିସ୍ମିତ ହୋଇଗଲେ। ଯଦିଓ କରୋନା ପ୍ରଜାତିର ଅନ୍ୟ ଭୂତାଣୁ ମଣିଷ ଶରୀରରେ ବିଗତ କେତେ ଦଶନ୍ଧି ଧରି ଥଣ୍ତାଜ୍ବର ଓ ନିମୋନିଆ କରି ଆସୁଛନ୍ତି, କିନ୍ତୁ ଆଗରୁ କେବେହେଲେ ମଧ୍ୟ ଏତେ ବିପୁଳ ଭାବରେ ପ୍ରାଣନାଶ କରିବାକୁ ସକ୍ଷମ ହେଉନଥିଲେ। ସେହି ସମୟରେ ଇଟାଳୀର କେତେଜଣ ନିଦାନ ବିଭାଗର ଡାକ୍ତର ନିଜ ଜୀବନକୁ ପାଣି ଛଡ଼ାଇ କୋଭିଡ୍‌ ରୋଗରେ ମୃତ ରୋଗୀମାନଙ୍କର ଶବ ବ୍ୟବଚ୍ଛେଦ କଲେ ଏବ˚ ବିଭିନ୍ନ ଅଙ୍ଗକୁ କାଟି ଅଣୁବୀକ୍ଷଣ ଯନ୍ତ୍ର ମାଧ୍ୟମରେ ତାହାର ସବିଶେଷ ଅଧ୍ୟୟନ କଲେ। ସେତେବେଳେ ସେମାନେ ଲକ୍ଷ୍ୟ କଲେ ଯେ, ଶରୀରର ଅଧିକା˚ଶ ଅଙ୍ଗର ରକ୍ତନଳୀ ମଧ୍ୟରେ ଅସ˚ଖ୍ୟ ଛୋଟବଡ଼ ରକ୍ତଗୁଳା ଜମାଟ ବାନ୍ଧି ରହିଛି। ସେଥିରୁ ଜଣାପଡ଼ିଲା ଯେ, ଯଦିଓ ଏହି ଭୂତାଣୁ ପ୍ରାଥମିକ ଭାବେ ଫୁସ୍‌ଫୁସ୍‌କୁ ଆକ୍ରମଣ କରେ, ତେବେ ଯେଉଁ ଶତକଡ଼ା ୨୦ ଭାଗ ରୋଗୀ ଗୁରୁତର ହେବେ, ସେମାନଙ୍କର ବିଭିନ୍ନ ଅଙ୍ଗ ଆକ୍ରାନ୍ତ ହେବାର ମୁଖ୍ୟ କାରଣ ହେଉଛି ସେଠାରେ ସଞ୍ଚାଳନ କରୁଥିବା ରକ୍ତନଳୀରେ ରକ୍ତ ଜମାଟ ବାନ୍ଧିବା। ସାଧାରଣ ଭାବେ ‘ଡି-ଡାଇମର’ ପରୀକ୍ଷା ଫଳାଫଳରୁ ଏହି ଅବସ୍ଥା ବିଷୟରେ ପ୍ରାଥମିକ ସଙ୍କେତ ମିଳିଥାଏ। ଆମର ଗୋଡ଼ରେ ଥିବା ରକ୍ତନଳୀରେ ରକ୍ତ ଜମାଟ ବାନ୍ଧି ଛୋଟ ଗୁଳା ତିଆରି ହେଲେ ମଧ୍ୟ ସେଗୁଡ଼ିକ ପ୍ରବାହିତ ହୋଇ ଶରୀରର ଅନ୍ୟ ଅ˚ଶରେ ପହଞ୍ଚିଥାଏ।

ଫୁସ୍‌ଫୁସ୍‌ ତଥା ବୃକକ୍‌ରେ ଥିବା ସୂକ୍ଷ୍ମ ଶିରାପ୍ରଶିରାରେ ପହଞ୍ଚିଲେ ଏହି ରକ୍ତଗୁଳାଗୁଡ଼ିକ ରକ୍ତ ପ୍ରବାହକୁ ବନ୍ଦ କରିଦିଅନ୍ତି। ଯେଉଁ ଅ˚ଶକୁ ରକ୍ତପ୍ରବାହର ଗତିରୋଧ ହୋଇଯାଏ, ସେହି ଅ˚ଶ ଅମ୍ଳଜାନ ଅଭାବରୁ ମୃତବତ୍‌ ହୋଇଯାଏ। ଏକକାଳୀନ ଭାବେ ଫୁସ୍‌ଫୁସ୍‌ ଓ ବୃକକ୍‌ର କାର୍ଯ୍ୟ କରିବାର କ୍ଷମତା କମିଯିବା ହେତୁ ରୋଗୀର ପ୍ରାଣରକ୍ଷା କରିବା ପାଇଁ ‘ଭେଣ୍ଟିଲେଟର’ ବା ‘ଡାଇଆଲିସିସ୍‌’ ଆବଶ୍ୟକ ପଡ଼ିଥାଏ। ଏହିଭଳି ରୋଗୀମାନେ ଆଇସିୟୁରେ ଦୀର୍ଘଦିନ ଧରି ଚିକିତ୍ସିତ ହେବାସତ୍ତ୍ବେ ମଧ୍ୟ ମୃତ୍ୟୁମୁଖରେ ପଡ଼ିବାର ସମ୍ଭାବନା ଅଧିକ। ଯେଉଁ ରୋଗୀମାନଙ୍କର ଶରୀର ପୃଥୁଳକାୟ ବା ଯେଉଁମାନେ ଖୁବ୍‌କମ୍‌ ଚଳପ୍ରଚଳ ହୁଅନ୍ତି, ସେମାନଙ୍କର ଗୋଡ଼ରେ ଥିବା ରକ୍ତ ଶୀରରେ ରକ୍ତ ଜମାଟ ବାନ୍ଧିବା ସମ୍ଭାବନା ଅଧିକ। ସେହି ରୋଗୀମାନେ କୋଭିଡ୍‌ରେ ଆକ୍ରାନ୍ତ ହେଲେ ସେମାନଙ୍କର ଶ୍ବାସ ସହାୟକ ଯନ୍ତ୍ର ଲୋଡା ପଡ଼ିବାର ମାତ୍ରା ମଧ୍ୟ ଯଥେଷ୍ଟ ବେଶୀ। କେତେକ ରୋଗୀ କୋଭିଡ୍‌ରୁ ସୁସ୍ଥ ହେବାପରେ ମଧ୍ୟ ସେମାନଙ୍କ ଶରୀରରେ ଏହି ରକ୍ତ ଜମାଟ ବାନ୍ଧିବାର ଅସାମାନ୍ୟତା ଆହୁରି କେତେଦିନ ପାଇଁ ଲାଗିରହେ। ସେଥିପାଇଁ ଯେଉଁ ରୋଗୀମାନେ କରୋନା ଆକ୍ରାନ୍ତ ହୋଇ ଘରେ ସ˚ଗରୋଧରେ ରହୁଛନ୍ତି, ସେମାନେ ଗୋଟିଏ କୋଠରି ଭିତରେ କେବଳ ଶୋଇନରହି ନିୟମିତ ଭାବେ ସେହି କୋଠରି ଭିତରେ ମଧ୍ୟ ଚଳପ୍ରଚଳ, ଉଠାବସା ବା ଅନ୍ୟ ବ୍ୟାୟାମ କରିବା ଉଚିତ୍‌। ଯାହାଫଳରେ ରକ୍ତଜମାଟ ବାନ୍ଧିବାର ଆଶଙ୍କା ଯଥେଷ୍ଟ ପରିମାଣରେ କମିଯାଇଥାଏ।

ସମ୍ବନ୍ଧିତ ଖବର