ନୂଆଦିଲ୍ଲୀ: ଜଣେ ମହିଳାଙ୍କ ପାଇଁ ଗର୍ଭାବସ୍ଥା ସମୟ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ବୟସରେ ବଡ଼ଲୋକମାନେ ସର୍ବଦା ଗର୍ଭବତୀମହିଳାଙ୍କୁ କ’ଣ କରିବା ଉଚିତ କ’ଣ ନକରିବା ଉଚିତ ପରାମର୍ଶ ଦେଇଥାଆନ୍ତି।
ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯଦି ମହିଳାମାନେ ନିକେଲ୍, ଆର୍ସେନିକ୍, କୋବାଲ୍ଟ ଏବଂ ସୀସା ଭଳି ଭାବି ଧାତୁ ସଂସ୍ପର୍ଶରେ ଆସିଲେ ଉଭୟ ମା’ ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
ରଟଗର୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏହି ଅନୁସନ୍ଧାନ ଅନୁଯାୟୀ, ଏହି ଧାତୁଗୁଡ଼ିକର ସଂସ୍ପର୍ଶରେ ଆସିବା ଫଳରେ ମହିଳାଙ୍କ ହରମୋନସ୍ତର ବ୍ୟାହତ ହୋଇଥାଏ। ଯାହା ମହିଳାଙ୍କ ସ୍ବାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ। ଏହି ଅନୁସନ୍ଧାନ ଏନଭାୟରମେଣ୍ଟ ଇଣ୍ଟରନାସନାଲ ଜର୍ନଲରେ ପ୍ରକାଶ ପାଇଛି।
ଅନୁସନ୍ଧାନରୁ ଜଣାପଡିଛି ଯେ ଗର୍ଭାବସ୍ଥାରେ ଏହି ଧାତୁଗୁଡ଼ିକର ସଂସ୍ପର୍ଶରେ ଆସିବା ଫଳରେ ଶିଶୁର ଜନ୍ମ ସମୟରେ ହେଉଥିବା ସମସ୍ୟା, ଯେମିତି କି ସମୟ ପୂର୍ବରୁ ଜନ୍ମ ଓ ଜନ୍ମ ସମୟରେ ଶିଶୁର ଓଜନ କମ ହୋଇପାରେ। ଏଥିସହିତ ମହିଳାମାନଙ୍କଠାରେ ପ୍ରସବ ସମୟରେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବି ଦେଖାଦେଇପାରେ । ଏହା କାହିଁକି ହୁଏ ସେ ବିଷୟରେ ବହୁତ କମ୍ ସୂଚନା ଉପଲବ୍ଧ ରହିଛି।
ଏହି ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ କିଛି ଧାତୁ ମହିଳାମାନଙ୍କ ଏଣ୍ଡୋକ୍ରାଇନ୍ ସିଷ୍ଟମକୁ ପ୍ରଭାବିତ କରିପାରେ। ଏହା ଆମ ଶରୀରରେ ଥିବା ହରମୋନକୁ ନିୟନ୍ତ୍ରଣ କରିଥାଏ । ଧାତୁ ଦ୍ବାରା ଗର୍ଭବତୀ ମହିଳାଙ୍କ ଏଣ୍ଡୋକ୍ରାଇନ୍ ସିଷ୍ଟମ ପ୍ରଭାବିତ ହେଲେ ଏହା ତାଙ୍କ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସହିତ ରୋଗ ହେବାର ଆଶଙ୍କା ଆହୁରି ବୃଦ୍ଧି ପାଇଯାଏ।
ଏହି ଅନୁସନ୍ଧାନର ମୁଖ୍ୟ ଗବେଷକ ତଥା ରଟଗର୍ସର ସହକାରୀ ପ୍ରଫେସର ଜୋରିମାର ରିଭେରା-ନୁନେଜଙ୍କ ଅନୁଯାୟୀ, ମହିଳାଙ୍କ ଗର୍ଭଧାରଣ ଠାରୁ ପ୍ରସବ ପର୍ଯ୍ୟନ୍ତ ଶରୀରରେ ଏକ ସୂକ୍ଷ୍ମ ହରମୋନ୍ ସନ୍ତୁଳନ ବଜାୟ ରଖିଥାଏ। ଯଦି ଏହି ସନ୍ତୁଳନ ବିଚଳିତ ହୁଏ, ତେବେ ଏହା ଉଭୟ ମା ଏବଂ ଗର୍ଭସ୍ଥ ଶିଶୁକୁ କ୍ଷତି ପହଞ୍ଚାଇପାରେ ।
କିଭଳି ଭାବେ ପ୍ରଦୂଷଣ ମା’ ଏବଂ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ଆସନ୍ତୁ ଜାଣିବା
ଏହି ଅନୁସନ୍ଧାନ ୮୧୫ଜଣ ମହିଳାଙ୍କ ଉପରେ କରାଯାଇଛି। ଯେଉଁଥିରେ ଗର୍ଭବତୀ ମହିଳା ଏବଂ ସେମାନଙ୍କ ପିଲାମାନଙ୍କ ଉପରେ ପରିବେଶ ପ୍ରଦୂଷଣର ପ୍ରଭାବର ମାପ କରାଯାଇଛି । ଏହାଦ୍ବାରା ଜଣାପଡିଛି ଯେ ଗର୍ଭାବସ୍ଥାରେ ନିକେଲ୍, ଆର୍ସେନିକ୍, କୋବାଲ୍ଟ ଏବଂ ସୀସା ଭଳି ଧାତୁଗୁଡ଼ିକ ପ୍ରସବ ପୂର୍ବ ହରମୋନ୍ ପରିମାଣକୁ ପ୍ରଭାବିତ କରିଥାଏ । ଯେଉଁଥିପାଇଁ ଗର୍ଭବତୀ ମହିଳାଙ୍କ ଶରୀରରେ ଏଣ୍ଡୋକ୍ରାଇନ୍ ସିଷ୍ଟମ୍ ବ୍ୟାହତ ହୁଏ । ଏହି ବ୍ୟବଧାନ ଏହା ଉପରେ ନର୍ଭର କରିଥାଏ କି ଗର୍ଭାବସ୍ଥାରେ ମହିଳା କେତେବେଳେ ଉକ୍ତ ଧାତୁଗୁଡ଼ିକ ସମ୍ପର୍କରେ ଆସୁଛନ୍ତି। ଏହି କାରଣରୁ ଜନ୍ମ ସମୟରେ ଶିଶୁ ଏବଂ ମା’ର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ।
ଗର୍ଭାବସ୍ଥାରେ ସେକ୍ସ-ଷ୍ଟେରଏଡ ହରମୋନର ପରିବର୍ତ୍ତନ ଗର୍ଭସ୍ଥ ଶିଶୁ ବିକାଶ ଉପରେ ପ୍ରଭାବ ପକାଇଥାଏ, ଏହି କାରଣରୁ ଜନ୍ମ ସମୟରେ ଶିଶୁର ଓଜନ କମ ହୋଇଥାଏ। ଜନ୍ମ ସମୟରେ ଶିଶୁର ଶାରୀରିକ ବିକାଶ ଭବିଷ୍ୟତରେ ଶିଶୁର ବିକାଶ ଉପରେ ପ୍ରଭାବିତ ପକାଇଥାଏ ଏବଂ ମୋଟାପଣ, ସ୍ତନ କର୍କଟ ଓ ଆଗକୁ ଯାଇ ହେବାକୁ ଥିବା ରୋଗର କାରଣ ପାଲଟିଯାଇଥାଏ।
ରିଭେରା-ନୁନେଜ ସୂଚନା ଦେଇଛନ୍ତି କି, ପ୍ୟୁର୍ତୋ ରିକୋରେ ୧୮ଟି ସକ୍ରିୟ ସାଇଟ୍ ଅଛି ଯାହା ସେଠାରେ ପରିବେଶକୁ ପ୍ରଦୂଷିତ କରୁଛି। ଯେଉଁ କାରଣରୁ ସେଠାରେ ରହୁଥିବା ଲୋକମାନେ ବିଷାକ୍ତ ଧାତୁ ସଂସ୍ପର୍ଶରେ ଆସିପାରନ୍ତି ।
ତାଙ୍କ କହିବା ଅନୁଯାୟୀ, ଆମେରିକାର ତୁଳନାରେ ପ୍ୟୁର୍ତୋ ରିକୋରେ ଗର୍ଭବତୀ ମହିଳା ଏହି ଧାତୁଗୁଡ଼ିକ ସଂସ୍ପର୍ଶରେ ଆସିବାର ବିପଦ ଅଧିକ ରହିଛି। ଆମେରିକାର ତୁଳନାରେ ଏଠାରେ ଶିଶୁର ସମୟ ପୂର୍ବରୁ ଜନ୍ମ ହେବା ଆଶଙ୍କା ପ୍ରାୟ ୧୨ ପ୍ରତିଶତ ଅଧିକ ରହିଛି।
ଯଦିଓ ପ୍ୟୁର୍ତୋ ରିକୋରେ ଏହି ଅନୁସନ୍ଧାନ କରାଯାଇଛି, କିନ୍ତୁ ଏହା ସମଗ୍ର ଦୁନିଆରେ ପରିବେଶ ପ୍ରଦୂଷଣ ଏବଂ ଏହାର ଗର୍ଭବତୀ ମହିଳା ଏବଂ ସେମାନଙ୍କର ସନ୍ତାନର ସ୍ୱାସ୍ଥ୍ୟ ଉପରେ ପଡ଼ିବାକୁ ଥିବା ପ୍ରଭାବକୁ ଇଙ୍ଗିତ କରୁଛି । ଭାରତରେ ହୁଏତ ଲୋକେ ଭୋପାଳ ଗ୍ୟାସ ଦୁର୍ଘଟଣାକୁ ଭୁଲି ଯାଇପାରିଥାଆନ୍ତି, କିନ୍ତୁ ଏହା ଦ୍ବାରା ହୋଇଥିବା ପ୍ରଦୂଷଣ ହେତୁ ଆଜିବି ସେଠାରେ ଜନ୍ମ ହେଉଥିବା ପିଲାଙ୍କ ଉପରେ ଏହାର ପ୍ରଭାବ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/foods-to-avoid-during-pregnancy-1296x728-feature.jpg)