ବଲିଉଡ୍ର ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶିକା, ସିନେନିର୍ଦ୍ଦେଶିକା ତଥା ପ୍ରଯୋଜିକା ଫାରାହ୍ ଖାଁ ନିଜର ସୃଜନାତ୍ମକ କୃତିରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ମୁଗ୍ଧ କରିବା ସହ ସେ ସଦ୍ୟ ଯୋଗାଉଥିବା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସଚେତନତା ପରାମର୍ଶ ଅନେକଙ୍କୁ ଆକର୍ଷିତ କରିବାରେ ଲାଗିଛି। ନିଜର ଓଜନ କମାଇବା ପାଇଁ ସେ ଆପଣେଇଥିବା ଜୀବନଶୈଳୀ ଓ ଖାଦ୍ୟପେୟ ବାବଦରେ ଖୋଲାଖୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ନିଜର ୟୁଟ୍ୟୁବ୍ ଚାନେଲ୍ରେ ସେ ଛାଡ଼ିଥିବା ବିଭିନ୍ନ ପ୍ରକାର ବ୍ୟଞ୍ଜନ, ତାହାର ରନ୍ଧନ ପ୍ରକ୍ରିୟା ଏବଂ ପୋଷକପୂର୍ଣ୍ଣ ଖାଦ୍ୟ ସମ୍ବଳିତ ନିଜ ଓଜନହ୍ରାସ ଅଭିଯାନ ସମ୍ପର୍କିତ ଭିଡ଼ିଓଗୁଡ଼ିକ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ତାଙ୍କ ଦ୍ବାରା ବର୍ଣ୍ଣିତ ‘୨ ଟାଇପ୍ କି ପନୀର ରେସିପିଜ୍’ ଓ ‘ନାରିୟଲ୍ ଚିକେନ୍ ରେସିପିଜ୍’ ଭଳି ବ୍ୟଞ୍ଜନ ତାଙ୍କ ସୁସ୍ଥ ରୋଷେଇ ଅଭ୍ୟାସକୁ ପ୍ରମାଣିତ କରିବା ସହ ଅନ୍ୟମାନଙ୍କ ମନରେ ଆଗ୍ରହ ସୃଷ୍ଟି କରୁଛି। ବିଶେଷ କରି ଓଜନହ୍ରାସ ପାଇଁ ତାଙ୍କ ପରାମର୍ଶ ବେଶ୍ ଉତ୍ସାହଜନକ ଓ ପ୍ରେରଣାଦାୟକ ହୋଇପାରିଛି।
ଓଜନହ୍ରାସ ଲକ୍ଷ୍ୟ ପୂରଣ ପାଇଁ ଫାରାହ୍ ଅନୁସରଣ କରିଥିବା ପନ୍ଥାରେ ମୁଖ୍ୟ ହେଉଛି ସନ୍ତୁଳିତ ଆହାର। କାରଣ ଭୋଜନରେ ଯଥାର୍ଥ ପରିମାଣର ଶର୍କରା, ପୁଷ୍ଟିସାର ଓ ସ୍ନେହସାର ଆଦି ରହିଥିଲେ ଶରୀର ସେଥିରୁ ଉଚିତ ପରିମାଣର ପୋଷକତତ୍ତ୍ବ ପାଇପାରିବ ଏବଂ ଆଉ ଅନ୍ୟାନ୍ୟ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ମନ ବଳାଇବନି। ଏଥି ସହିତ ଭୋଜନରେ ନଣ୍ଡା ବାଗୁଲି (ଚିଆ) ମଞ୍ଜି, କିନୋଆ ଓ ଆଭୋକାଡ଼ୋ ପରି ସୁପର୍ଫୁଡ୍ ସାମିଲ କରିବାକୁ ଫାରାହ୍ ପରାମର୍ଶ କରିଛନ୍ତି। ଖାଇଲା ବେଳେ ଟିଭି ବା ଫୋନ୍ ଉପରେ ମନୋନିବେଶ ନକରି ଖାଦ୍ୟମନସ୍କ ହୋଇ ରହିବାକୁ ସେ କହିଛନ୍ତି। ଏହା ମାତ୍ରାଧିକ ଭୋଜନରୁ ନିବୃତ୍ତ କରିବା ସହ ହଜମରେ ସହାୟକ ହୋଇଥାଏ। ଶରୀରକୁ ଦିନ ତମାମ ଆର୍ଦ୍ର ରଖିବା ସହ ହଜମକ୍ରିୟାକୁ ସୁଗମ କରିବା ପାଇଁ ଯଥେଷ୍ଟ ପରିମାଣର ପାଣି ପିଇବା ମଧ୍ୟ ବାଞ୍ଛନୀୟ। ତାହା ଅଯଥା ଭୋକକୁ କମାଇ ଓଜନହ୍ରାସରେ ସହାୟକ ହେବ। ସେହିପରି ଘରରନ୍ଧା ଖାଦ୍ୟ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।
ସର୍ବୋପରି ଓଜନହ୍ରାସ ପାଇଁ କମ୍ ଶର୍କରା ଜାତୀୟ ଖାଦ୍ୟ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି। କୌଣସି ପ୍ରକାର ମଧୁମିଶ୍ରିତ ପାନୀୟ କି ମିଠା ନଖାଇ ନିଜର ଜିହ୍ବାଲାଳସା ପୂରଣ ପାଇଁ ବିଭିନ୍ନ ପ୍ରକାର ଫଳ ଏବଂ ପ୍ରାକୃତିକ ଶର୍କରା ଖାଇବା ଠିକ୍ ହେବ ବୋଲି ସେ କହିଛନ୍ତି।