ପାଗ ବଦଳୁଛି। ଭାରତରେ କରୋନା ମାମଲା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଯେହେତୁ କୋଭିଡର ଲକ୍ଷଣ ମଧ୍ୟରେ ଥଣ୍ଡା, କାଶ ଏବଂ ଜ୍ୱର ରହିଛି ତେଣୁ ଏସବୁ ପ୍ରତି ଆମକୁ ସଚେତନ ରହିବାକୁ ହେବ। ଯଦି ଆପଣଙ୍କୁ ଜ୍ୱର ହୋଇଛି ଏବଂ ତାପମାତ୍ରା ତଳକୁ ଖସୁନାହିଁ, ତେବେ କିଛି ଘରୋଇ ଉପଚାର ଦ୍ୱାରା ଭଲ ହୋଇପାରିବେ। ଏଠାରେ କିଛି ସହଜ ଉପାୟ ଅଛି, ଯାହାଦ୍ୱାରା ଆପଣ ଶରୀରର ତାପମାତ୍ରାକୁ କମ୍ କରିପାରିବେ।
ଯଦି ଆପଣଙ୍କୁ ଜ୍ବର ହେଉଛି ତେବେ ଆପଣଙ୍କୁ ବିଶ୍ରାମ ନେବାର ଆବଶ୍ୟକତା ରହିଛି। ଡାକ୍ତରମାନେ ପରାମର୍ଶ ଦେଉଛନ୍ତି କି ସାମାନ୍ୟ ଜ୍ବର ଆସିଲେ ବି ଆପଣ ନିଜର ସମସ୍ତ କାମକୁ ଛାଡ଼ି ଦେଇ ବିଶ୍ରାମ କରନ୍ତୁ। ଶରୀର ଉପରେ ଅଧିକ ଚାପ ପକାଇଲେ ତାପମାତ୍ରା ବୃଦ୍ଧି ପାଇଥାଏ।
ଯଦି ଆପଣ ଚାହାନ୍ତି ଯେ ଜ୍ୱର ଶୀଘ୍ର ଭଲ ହେଉ, ତେବେ ଯେତେ ଅଧିକ ପାରୁଛନ୍ତି ପାଣି ପିଅନ୍ତୁ। ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମାତ୍ରାଧିକ ପାଣି ପିଇବା ଦ୍ବାରା କମ୍ କରାଯାଇପାରେ। ପାଣି ପିଇବା ଦ୍ୱାରା ସଂକ୍ରମଣ ହ୍ରାସ ପାଇଥାଏ। ଯେତେବେଳେ ଜ୍ୱର ହୁଏ, ଶରୀରରେ ବହୁତ ଉତ୍ତାପ ଥାଏ। ଏପରି ସମୟରେ ଶରୀରରୁ ଝାଳ ବାହାରିଲେ ଯାଇ ତାପମାତ୍ରା କମେ। ଝାଳ ବାହାରିବା ଦ୍ବାରା ଶରୀରରୁ ଜଳୀୟ ଅଂଶ କମିଥାଏ। ସେଥିପାଇଁ ପ୍ରଚୁର ପାଣି ପିଇବା ଆବଶ୍ୟକ।
ଗରମ ପାଣିରେ ଗାଧୋଇବା ହେଉଛି ମାନସିକ ଏବଂ ଶାରୀରିକ ଚାପକୁ ହ୍ରାସ କରିବାର ସବୁଠାରୁ ସରଳ ଏବଂ ପ୍ରଭାବଶାଳୀ ଉପାୟ। ଯଦି ଆପଣ ଗରମ ପାଣିରେ ଗାଧୋଇବେ ତ ଆପଣଙ୍କ ଶରୀରରେ ରକ୍ତ ସଂଚାଳନ ଭଲ ହେବ ଓ ଜ୍ବର ବି ଶୀଘ୍ର କମିଯିବ।
ଜ୍ୱର ହେଲେ ଗାର୍ଗଲିଂ (ଗରମ ପାଣିରେ ତଣ୍ଟିକୁ ଗଳ ଗଳ କରିବା) ମଧ୍ୟ ଭଲ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଉଷୁମ ଲୁଣ ପାଣିରେ ଗାର୍ଗଲିଂ କରିବା ଦ୍ୱାରା ଗଳା ଫୁଲା କମିଯାଏ ଏବଂ ଜ୍ୱରରୁ ମୁକ୍ତି ମିଳିଥାଏ।
ଯେତେବେଳେ ବି ଜ୍ୱର ହୁଏ, ନିଜେ ଡାକ୍ତର ହୁଅନ୍ତୁ ନାହିଁ। ନିଜ ମନଇଛା ଔଷଧ ଖାଅନ୍ତୁ ନାହିଁ। ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ କେବଳ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହିଁ ଚିକିତ୍ସା କରନ୍ତୁ।