ଆଖିରୁ ବାହାରିଲା ଜିଅନ୍ତା ମାଛି

ନିକଟରେ ଆମେରିକାର ଜନୈକ ମହିଳାଙ୍କ ଆଖିରୁ ତିନିଟି ଜିଅନ୍ତା ମାଛି ବାହାର କରାଯାଇଛି। କିଛିଦିନ ତଳେ ଆମାଜନ୍ ବୃଷ୍ଟିବନକୁ ଭ୍ରମଣରେ ଯାଇଥିବା ମହିଳା ଜଣକ ମିୟାସିସ୍ ନାମକ ଏକ ବିରଳ ରୋଗରେ ସଂକ୍ରମିତ ହୋଇଥିଲେ। ଏହି ସଂକ୍ରମଣ ଦ୍ବା‌ର‌ା ତାଙ୍କର ଆଖି ଫୁଲି ଯିବା ସହିତ ଅଧିକ କଷ୍ଟ ଅନୁଭବ ହୋଇଥିଲା। ଆମେରିକାର ବିଭିନ୍ନ ଚିକିତ୍ସାଳୟରେ ଏହାର ଚିକିତ୍ସା କରିବାରେ ବିଫଳ ହେବା ପରେ ସେ ସୁଦୂର ଭାରତକୁ ଆସି ଏହାର ସଫଳ ଚିକିତ୍ସା କରାଇଛନ୍ତି। ମିୟାସିସ୍ ରୋଗରେ ଏକ ପ୍ରକାର ମାଛିର ଲାଭା ଚର୍ମର ଆଭ୍ୟନ୍ତରୀଣ ଅଂଶକୁ ସଂକ୍ରମିତ କରିଥାଏ। ଏହା ଦ୍ବାରା ଉକ୍ତ ଅଙ୍ଗ ଫୁଲିଯିବା ସହ ଦରଜ ମଧ୍ୟ ହୁଏ। ନୂଆଦିଲ୍ଲୀର ଫୋର୍ଟିସ୍ ହସ୍‌ପିଟାଲ୍‌ଠାରେ ଡାକ୍ତର ନାରୋଲା ୟାଙ୍ଗର ଅସ୍ତ୍ରୋପଚାର କରି ମହିଳାଙ୍କ ଶରୀରରୁ ତିନିଟି ଜିଅନ୍ତା ମାଛି ବାହାର କରିଛନ୍ତି। ପ୍ରତ୍ୟେକ ମାଛିର ଆକାର ପ୍ରାୟ ୨ ସେଣ୍ଟିମିଟର। ମହିଳାଙ୍କ ଆଖି ପତା, ବେକ ଏବଂ ଡାହାଣ ହାତରୁ ଅସ୍ତ୍ରୋପଚାର ଦ୍ବାରା ଏହି ମାଛିମାନଙ୍କୁ କଢ଼ାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ, ସାଧାରଣତଃ ଜଙ୍ଗଲ କିମ୍ବା ଗ୍ରାମାଞ୍ଚଳରେ ଏଭଳି ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ। ଏହା ଦ୍ବାରା ଶରୀର କ୍ରମେ ଦୁର୍ବଳ ହେବା ସହ ମସ୍ତିଷ୍କ ଓ ମେରୁଦଣ୍ଡରେ ପ୍ରଭାବ ପଡ଼ିଥାଏ। ଚିକିତ୍ସା ବିନା ଜୀବନ ଚାଲିଯିବାର ଭୟ ମଧ୍ୟ ରହିଥାଏ।

ସମ୍ବନ୍ଧିତ ଖବର