ମହିଳାମାନେ ନିଜର ମୁଖର ସୌନ୍ଦର୍ଯ୍ୟ ପ୍ରତି ଯେତିକି ଧ୍ୟାନ ଦେଇଥାଆନ୍ତି, ତା’ ତୁଳନାରେ ଅନ୍ୟାନ୍ୟ ଅଙ୍ଗ ପ୍ରତି ଧ୍ୟାନ ଦେଇ ନଥାଆନ୍ତି । ଏଭଳି ଏକ ଅଙ୍ଗ ହେଲା ‘ ପାଦ’ ।
ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ପ୍ରକାରର ଉପଚାର ରହିଛି । ଏଥିମଧ୍ୟରୁ ଗୋଟିଏ ହେଲା ମାଲିସ୍ । ପାଦକୁ ନିୟମିତ ଭାବେ ମାଲିସ୍ କରିଲେ ପାଦର ଆକାର ସୁନ୍ଦର ହୋଇଥାଏ ଏବଂ ଲୋମଛିଦ୍ର ଖୋଲି ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ । ମାଲିସ୍ ପାଇଁ ମଧ୍ୟ ଉନ୍ନତମାନର ହେବା ଉଚିତ୍ ।
ପାଦର ତ୍ୱଚା ଶୁଷ୍କ ହୋଇଥିଲେ ଏକ ଚାମଚ କୋକୋ ବଟର୍, ଏକ ଚାମଚ ବଟା ସେଓ ଓ ଅଧ ଚାମଚ କମଳା ରସ, ଅଧା ଚାମଚ ମହୁ, ଅଧ ଚାମଚ ପାଚିଲା ଅମୃତଭଣ୍ଡା ଇତ୍ୟାଦି କୁ ଭଲ ଭାବେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ପାଦର ତ୍ୱଚା ଉପରେ ଲେପ ଦେଇ ଭଲ ଭାବେ ମାଲିସ୍ କରନ୍ତୁ । ଶୁଷ୍କ ତ୍ୱଚା ପାଇଁ ଏହି ପ୍ରୟୋଗ ବେଶ୍ ଲାଭଦାୟକ । ଖୁବ୍ କମ୍ ଦିନ ମଧ୍ୟରେ ଆପଣଙ୍କ ପାଦ ମୁଲାଲମ୍ ଓ ଆକର୍ଷଣୀୟ ଲାଗିବ ।
ଯଦି ଆପଣଙ୍କ ପାଦର ତ୍ୱଚା ତୈଳାକ୍ତ, ତେବେ ଏହି ମିଶ୍ରଣ ରେ କୋକୋ ବଟର୍ ନ ମିଶାଇ ଅନ୍ୟ ସବୁ ମିଶାଇ ଏ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ ଓ ତା’କୁ ପାଦ ଉପରେ ଲଗାନ୍ତୁ । ହଁ ଏଥିରେ ଏକ ଚାମଚ ମିଲ୍କ ପାଉଡର୍ ମିଶାଇ ପାରନ୍ତି । ଏପରି କରି ପାରିଲେ, ତ୍ୱଚା ଅଧିକ ସୁନ୍ଦର ଓ ଲୋଭନୀୟ ଦିଶିବ ।

ଅନ୍ୟ ଏକ ମିଶ୍ରଣ ପ୍ରସ୍ତୁତ କରି ପାଦ ତ୍ୱଚାରେ ଲଗାଇଲେ, ତାହା ଭିଟାମିନ୍ ଭଳି କାମ କରିବ । ଏକ କପ୍ ଦହିରେ ଏକ କପ୍ ଲେମ୍ବୁ ରସ, ଏକ କପ୍ କମଳା ରସ ମିଶାଇ ପାଦରେ ମାଲିସ୍ କରନ୍ତୁ । ତା’ପରେ ଟିସୁ ପେପର୍ରେ ପାଦକୁ ଭଲ ଭାବେ ପୋଛି ଦିଅନ୍ତୁ । ଏହାପରେ ପାଦକୁ ଥଣ୍ଡାଜଳରେ ଭଲଭାବେ ଧୋଇ ଶୁଖାନ୍ତୁ । ଏହା ଏକ ସରଳ ମାଲିସ୍ ପ୍ରକ୍ରିୟା । ଏତଦ୍ବ୍ୟତୀତ ଆଜିକାଲି ବଜାରରେ ପାଦ ମାଲିସ୍ ଲାଗି ବିଭିନ୍ନ ପ୍ରକାରର ଲୋସନ୍ ଓ କ୍ରିମ୍ ମଧ୍ୟ ମିଳିଲାଣି, ଯାହାର ପ୍ରୟୋଗ ମଧ୍ୟ କରାଯାଇପାରେ ।