ବିଭିନ୍ନ ଋତୁ, ମାସ, ବାର ଓ ତିଥିରେ ଉଦ୍ଭିଦର ଫଳ, ମୂଳ, ପତ୍ର, ଛେଲି ଆଦିର ସ୍ବାଭାବିକ ଗୁଣରେ ସୂକ୍ଷ୍ମ ଭିନ୍ନତା ଦେଖାଯାଇଥାଏ, ଯାହା ବାହାରକୁ ଅନୁଭୂତ ନ ହୋଇପାରେ। ସେଥିପାଇଁ କବିରାଜମାନେ ବର୍ଷର ନିର୍ଦ୍ଦିଷ୍ଟ ଋତୁରେ ଏବଂ ନିର୍ଦ୍ଦିଷ୍ଟ ତିଥି-ନକ୍ଷତ୍ରରେ ନିର୍ଦ୍ଦିଷ୍ଟ ଔଷଧୀୟ ଚେରମୂଳି ସଂଗ୍ରହ କରିଥାନ୍ତି। ସେହିପରି ବିଭିନ୍ନ ଋତୁ, ମାସ, ବାର ଓ ତିଥିରେ ଆମ ଶରୀରରେ ମଧ୍ୟ ବାତ, ପିତ୍ତ, କଫ ଆଦି ତତ୍ତ୍ବର ହ୍ରାସବୃଦ୍ଧି ଘଟିଥାଏ।
ତେଣୁ ଉତ୍ତମ ସ୍ବାସ୍ଥ୍ୟପାଇଁ ଋତୁ ଆଦି ଭେଦରେ ଆମ ଖାଦ୍ୟରେ ପରିବର୍ତ୍ତନ ହେବା ଦରକାର। ଆୟୁର୍ବେଦ ଶାସ୍ତ୍ରରେ ଋତୁଚର୍ଯ୍ୟାର କଥା ଅଛି। ଏଥିରେ ଋତୁ ଅନୁସାରେ କେଉଁ ଖାଦ୍ୟ ଖାଇବା ଭଲ ଓ କେଉଁ ଖାଦ୍ୟ ବର୍ଜନୀୟ ତାହା ବର୍ଣ୍ଣନା କରାଯାଇଛି। ନିଷିଦ୍ଧ ତିଥିରେ ଖାଦ୍ୟ ଗ୍ରହଣରେ କି ଫଳ ହୁଏ ସେ ସମ୍ପର୍କିତ ଶାସ୍ତ୍ରବଚନ ଏହି ଲେଖାର ସବାତଳେ ଆମେ ଉଲ୍ଲେଖ କରିଛୁ। ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ତିଥିରେ କ’ଣ ଖାଇବା ଅନୁଚିତ।
ପ୍ରତିପଦାରେ ପାଣିକଖାରୁ ଖାଇଲେ ଅର୍ଥହାନି ଦେଖାଦେବ। ଦ୍ୱିତୀୟା ତିଥିରେ ଭେଜିବାଇଗଣେ ଖାଇବା ମନା। କାରଣ ଏହା ହରିବିସ୍ମରଣ ଭାବ ସୃଷ୍ଟି କରିବ। ତୃତୀୟା ତିଥିରେ ପୋଟଳ ଖାଇଲେ ଶତ୍ରୁ ବୃଦ୍ଧି ହେବ। ଚତୁର୍ଥୀରେ ମୂଳା ଖାଇଲେ ଧନହାନି ହେବ। ପଞ୍ଚମୀରେ ବେଲ ଖାଇଲେ ଚରିତ୍ରରେ କଳଙ୍କ ଲାଗିବ। ଷଷ୍ଠୀରେ ନିମ୍ବପତ୍ର ବା କଢ଼ି ଖାଇଲେ ନୀଚକୁଳରେ ଜନ୍ମ ହେବ। ସପ୍ତମୀ ତିଥିରେ ତାଳସଜ ବା ତାଳପିଠା ଖାଇବା ମନା। ତାହା ଖାଇଲେ ଶରୀରର ହାନି ହେବ। ଅଷ୍ଟମୀରେ ନଡ଼ିଆ ଖାଇଲେ ମୂର୍ଖତା ପ୍ରକାଶ ପାଇବ। ଅର୍ଥାତ୍ ପାଠ ମନେ ରହିବ ନାହିଁ।
ନବମୀ ତିଥିରେ ଲାଉ ତରକାରୀ ଖାଇବା ଗୋମାଂସ ଭକ୍ଷଣ କରିବା ସହ ସମାନ। ଦଶମୀ ତିଥିରେ କଳମ୍ବୀ (କଳମଶାଗ) ଖାଇବା ଗୋବଧ ସହ ସମାନ। ଏକାଦଶୀ ତିଥିରେ ଶିମ୍ବ ଖାଇବା ମହାପାପ। ଦ୍ୱାଦଶୀରେ ପୋଇ ଖାଇଲେ ବ୍ରହ୍ମଶାପ ଲାଗେ। ତ୍ରୟୋଦଶୀରେ ବାଇଗଣ ଖାଇଲେ ଧନହାନି ହୁଏ। ଚତୁର୍ଦ୍ଦଶୀରେ ବିରି ଖାଇଲେ ମଣିଷ ଚିରରୋଗୀ ହୁଏ। ତିଥ୍ୟନ୍ତେ ଅର୍ଥାତ୍ ଅମାବାସ୍ୟା ବା ପୂର୍ଣ୍ଣିମାରେ ଆମିଷ ଭୋଜନ କଲେ ରୋଗ ହୁଏ।
ଶାସ୍ତ୍ରରେ ଏହିକଥା ଲେଖାଯାଇଛି। କିନ୍ତୁ ଏହାକୁ ଆକ୍ଷରିକ ଅର୍ଥରେ ବୁଝିବା ଅନୁଚିତ। ମୋ ମତରେ ନିଷିଦ୍ଧ ତିଥିରେ ଉପରୋକ୍ତ ଖାଦ୍ୟ ଗ୍ରହଣରେ ସ୍ବାସ୍ଥ୍ୟରେ କିଛି ହାନି ଘଟୁଥିବାରୁ ଲୋକଙ୍କୁ ଏଥିରୁ ଦୂରେଇ ରଖିବା ପାଇଁ ଏପରି ଲେଖାଯାଇଛି। ଆୟୁର୍ବେଦ ଶାସ୍ତ୍ର ମତରେ ଆମ ଶରୀରରେ ଯେତେ ପ୍ରକାର ରୋଗ ହୁଏ, ସେଥିପାଇଁ ବାତ-ପିତ୍ତ-କଫର ଅସନ୍ତୁଳନ ଦାୟୀ। ନିର୍ଦ୍ଦିଷ୍ଟ ତିଥିରେ ନିର୍ଦ୍ଦିଷ୍ଟ ଫଳ ବା ପନିପରିବା ଭୋଜନରେ ଏହି ତତ୍ତ୍ବର ବୃଦ୍ଧି ବା ଅସନ୍ତୁଳନ ଘଟୁଥିବାରୁ ଏହା ଖାଇବାକୁ ବାରଣ କରାଯାଇଛି।
ବୈଶାଖ, କାର୍ତ୍ତିକ ଓ ମାଘମାସକୁ ଧର୍ମମାସ କୁହାଯାଏ। ଏହି ତିନି ମାସରେ ଦିନରେ ଗୋଟିଏ ବେଳା ହବିଷ୍ୟ ଭୋଜନ କରି ରାତିରେ ଉପବାସ କରିବା ଓ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ବାରା ମଣିଷ ସର୍ବପାପରୁ ମୁକ୍ତ ଓ ନୀରୋଗ ହୋଇଥାଏ। ଥଣ୍ଡା ଭାତରେ ଘିଅ ଖାଇବାକୁ ବି ମନା କରାଯାଇଛି। ତେଣୁ ଭାତ ଗରମ ଥିବା ବେଳେ ପ୍ରଥମ ଗୁଣ୍ଡା ନେବା ପୂର୍ବରୁ ସେଥିରେ ଅଧ ବା ଏକ ଚାମଚ ଘିଅ ପକାଇ ଖାଇବା ଉଚିତ।
ଭାତ ଅଇଁଠା ହେବା ପରେ ବା ଅଧା ଖିଆହେବା ପରେ ସେଥିରେ ଘିଅ ପକାନ୍ତି ନାହିଁ କାରଣ ସେତେବେଳକୁ ଭାତ ଥଣ୍ଡା ହୋଇଯାଇଥାଏ। କଂସାପାତ୍ରରେ ପଇଡ଼ପାଣି ଓ ତମ୍ବାପାତ୍ରରେ ମହୁ ଖାଇବା ମନା। ତମ୍ବାପାତ୍ରରେ କ୍ଷୀରପାନ ଏବଂ ଲୁଣ ପଡ଼ିଥିବା କ୍ଷୀର ବା କ୍ଷୀରୀ ଭୋଜନକୁ ମଧ୍ୟ ବାରଣ କରାଯାଇଛି।
ଶୁଖିଲା ଶାଗ, ପୋଡ଼ାଭାତ, ଭାତରେ ସିଝା ହୋଇଥିବା ବାଇଗଣ, ଶଣ (ଛଣପଟ)ର ଶାଗ, ଲାଲ୍ ଶାଗ, ଗୋଲ୍ ନାଉ, ଧଳାବାଇଗଣ ଓ କଳମଶାଗକୁ ଆମିଷ କହି ସାତ୍ତ୍ବିକତାପ୍ରିୟ ଧାର୍ମିକ ଲୋକମାନଙ୍କୁ ଖାଇବାକୁ ବାରଣ କରାଯାଇଛି। ସମସ୍ତେ ଏହାକୁ ମାନିବା ଆବଶ୍ୟକ ନାହିଁ।
କାରଣ ସାତ୍ତ୍ବିକ, ରାଜସିକ ଓ ତାମସିକ ତିନିପ୍ରକାର ଗୁଣ ଓ ତିନିପ୍ରକାର ଖାଦ୍ୟ ଅଛି। ରାଜସିକ ଓ ତାମସିକ ଲୋକମାନେ ଏସବୁ ଖାଇବା ମନା ନୁହେଁ। ଏ ବାରଣ କେବଳ ସାତ୍ତ୍ବିକ ଲୋକମାନଙ୍କ ପାଇଁ। ସେହିପରି ରବିବାର ଦିନ ମାଛ, ମାଂସ, ନିମ୍ବପିତା, ମସୁର, ଅଦା, ମହୁ, ବିରି, ବେଲ ଓ କାଞ୍ଜି ଖାଇବାକୁ ବାରଣ କରାଯାଇଛି। ଭାଦ୍ରମାସରେ ଲାଉ, ମାଘମାସରେ ମୂଳା ଓ କାର୍ତ୍ତିକ ମାସରେ ଓଲୁଅ ଖାଇବା ଅନୁଚିତ।
ଗୋଟିଏ ଢଗ ଅଛି- ‘‘ପୁଷେ ଖଇ, ମାଘେ ଦଇ, ଚଇତେ ନିମ ଚକୁଳି ଖାଇ।’’
ଜଗନ୍ନାଥଙ୍କ ପାଖରେ ଧନୁ ସଂକ୍ରାନ୍ତିରୁ ଆରମ୍ଭ ହେଉଥିବା ପୁଷ ମାସର ପ୍ରଥମ ଦିନରେ ଖଇରୁ ତିଆରି ମୁଆଁ ଭୋଗ ହୁଏ। ସେ ମାସ ସାରା ଲୋକମାନେ ଖଇ, ଉଖୁଡ଼ା, ମୁଆଁ ଆଦି ଖାଇବାକୁ ପସନ୍ଦ କରନ୍ତି। ଏହି ଅବସରରେ ଉତ୍କଳଘଣ୍ଟ କବି ଯଦୁମଣିଙ୍କର ଗୋଟିଏ ପଦ ମନେପଡ଼ୁଛି। ସେ ଏହି ପଦ ବୋଲି ରାଜାଙ୍କୁ ମୁଆଁ ଖାଇବାକୁ ମାଗିଥିଲେ-
‘‘ଧନୁମାସ ହେଲା ହନୁ ନ ଚଳିଲା କହିବାକୁ ବଡ଼ ଲାଜ,
ମୁଁ ଆଁ କରିଅଛି ମୁଆଁ ଖାଇବାକୁ ଦେବା ହେଉ ମହାରାଜ।’’
ଏହି କବିତାର ଅବଶ୍ୟ ଅନ୍ୟ ଏକ ଅର୍ଥ ରହିଛି। ତେବେ ରାଜା ଯଦୁମଣିଙ୍କୁ ମୁଆଁ ଖାଇବାକୁ ଦେବା ସହ ଅନ୍ୟ ସମସ୍ୟାଟିର ମଧ୍ୟ ସମାଧାନ କରିଥିଲେ।
ସେହିପରି ଦହିରେ ପ୍ରଚୁର ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ମାଘମାସରେ ଖାଇଲେ ତାହା ଆମ ସ୍ବାସ୍ଥ୍ୟକୁ ଠିକ୍ ରଖେ। ପୁଣି ଚୈତ୍ର ମାସରେ ନିମ୍ବଗଛରେ କଢ଼ି ହୁଏ। ଏହି ମାସରେ ଯଦି କିଏ ମାସସାରା ନିମ୍ବକଢ଼ି ଓ କଅଁଳିଆ ନିମ୍ବପତ୍ର ଭାଜି ବା ବରା କରି ଖାଆନ୍ତି, ତେବେ ବର୍ଷସାରା ତାଙ୍କୁ ଚର୍ମରୋଗ ହୁଏ ନାହିଁ। ସାଧାରଣତଃ ଶୀତ ପରେ ପରେ ଚୈତ୍ରମାସରେ କାଛୁକୁଣ୍ଡିଆ ପ୍ରଭୃତି ଚର୍ମରୋଗ ଅଧିକ ହେବାର ସମ୍ଭାବନା ଥିବାରୁ ଏହି ମାସରେ ନିମ୍ବକଢ଼ି ଭଜା ଓ ନିମ୍ବଚକୁଳି ଖାଇବାକୁ ପରାମର୍ଶ ଦିଆଯାଇଛି।
ନିଷିଦ୍ଧ ତିଥିରେ କ’ଣ ଖାଇଲେ କ’ଣ ହେବ ତା’ର ଶାସ୍ତ୍ରବଚନଟି ନିମ୍ନରେ ଦିଆଗଲା-
କୁଷ୍ମାଣ୍ଡେ ଚାର୍ଥହାନିଃ ସ୍ୟାତ୍
ବୃହତ୍ୟାଂ ନ ସ୍ମରେଦ୍ଧରିମ୍।
ବହୁଶତ୍ରୁଃ ପଟୋଲ୍ୟାଂ ତୁ
ଧନହାନିଶ୍ଚ ମୂଳକେ।୧।
କଳଙ୍କଜାତବିଲ୍ବାତ୍ତୁ
ତୀର୍ଯ୍ୟଗ୍ଯୋନିଶ୍ଚ ନିମ୍ବକେ।
ତାଳେ ଶରୀରନାଶଃ ସ୍ୟା-
ନ୍ନାରିକେଳେ ଚ ମୂର୍ଖତା।୨।
ତୁମ୍ବୀ ଗୋମାଂସତୁଲ୍ୟା ସ୍ୟାତ୍
କଳମ୍ବୀ ଗୋବଧାତ୍ମିକା।
ଶିମ୍ବିକା ପାପଦା ଜ୍ଞେୟା
ପୂତିକା ବ୍ରହ୍ମଘାତିକା।୩।
ବାର୍ତ୍ତାକ୍ୟାଂ ଧନହାନିଃ ସ୍ୟା-
ଚ୍ଚିରରୋଗୀ ଚ ମାଷକେ।
ତିଥ୍ୟନ୍ତେ ଚାମିଷଭକ୍ଷେ
ମହାବ୍ୟାଧିର୍ଭବେଦ୍ଧ୍ରୁବମ୍।୪।
ଏ ଶ୍ଳୋକର ଅର୍ଥ ଉପରେ ଦିଆଯାଇଛି।
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ-୭୦୦୮୯୬୦୫୦୨
lifestyle Forbidden food in the scriptures what to eat on which tithi