ଚେନ୍ନାଇ: ଜିମ୍ ଯିବା କଥା ଛାଡ଼ନ୍ତୁ! ଲୁଗାପଟା ସଫା କରିବା, ଘରକୋଠା ପୋଛିବା, ବାରିବଗିଚାରୁ ବାଳୁଙ୍ଗା ଉପାଡ଼ିବା ଭଳି କାମ ଦୈନିକ ୩୦ ମିନିଟ୍ କଲେ ଶରୀର ନିରୋଗ ରହିବ। ଏହାଦ୍ୱାରା ଅକାଳ ମୃତ୍ୟୁ ଆଶଙ୍କା ପାଏ କମିଯିବା ସହ ଶତକଡ଼ା ୨୦ ଭାଗ ହୃଦ୍ରୋଗ ଆଶଙ୍କା ଦୂରୀଭୂତ ହୋଇଥାଏ ବୋଲି ‘ଦି ଲାନ୍ସେଟ୍’ ଏକ ଅଧ୍ୟୟନ ପ୍ରକାଶ ପାଇଛି।
‘ଦି ପ୍ରୋସ୍ପେକ୍ଟିଭ୍ ଅର୍ବାନ୍ ର୍ୟୁରାଲ୍ ଏପିଡେମିଓଲୋଜି’ (ପିଓର୍) ଭାରତର ୪ଟି ରାଜ୍ୟ ସମେତ ୧୭ଟି ଦେଶର ୧୩୦, ୦୦୦ ଲୋକଙ୍କ ଉପରେ ଏକ ଅଧ୍ୟୟନ କରିଥିଲା। ହୃଦ୍କ୍ରିୟା ବଢ଼ାଇବା ନିମନ୍ତେ ସାମ୍ପ୍ରତିକ ଗାଇଡ୍ଲାଇନ୍ ଅନୁସାରେ ନିର୍ଦ୍ଧାରିତ ସପ୍ତାହକୁ ୧୫୦ ମିନିଟ୍ ପାଇଁ ସ୍ୱାସ୍ଥ୍ୟପକ୍ଷେ ଉତ୍ତମ ବୋଲି ବିବେଚନା କରାଯାଉଥିବା ଯେ କୌଣସି କାର୍ଯ୍ୟ ବିଜ୍ଞାନୀମାନେ ଏହି ଲୋକମାନଙ୍କ ଦ୍ୱରା କରାଇଥିଲେ। ମେଡିକାଲ୍ ଜର୍ଣ୍ଣାଲ୍ ‘ଦି ଲାନ୍ସେଟ୍’ରେ ଏହି ଅଧ୍ୟୟନର ନିର୍ଯାସ ପ୍ରକାଶ ପାଇଛି।
ବିଜ୍ଞାନୀମାନେ ଜାଣିବାକୁ ପାଇଛନ୍ତି ଯେ ଭାରତ ଭଳି ସ୍ୱଳ୍ପ ଆୟକାରୀ ଦେଶର ଲୋକେ ଚାଲିବା ଏବଂ ଦୈନନ୍ଦିନ ଘରର ଟୁକୁରାମୁକୁରା କାମ କରିବା ଦ୍ୱାରା ଜିମ୍ ଯିବାର ଫଳ ମିଳିଥାଏ।
ଘରର ବିଭିନ୍ନ କାମ କରିବା ଦ୍ୱାରା ହେଉଥିବା ଶାରୀରିକ ପରିଶ୍ରମ ଯୋଗୁଁ ଅକାଳ ମୃତ୍ୟୁ ସୀମା ଶତକଡ଼ା ୨୮ ଭାଗ ହ୍ରାସ ପାଇଥାଏ ଏବଂ ହୃଦ୍ରୋଗ ଆଶଙ୍କା ୨୦% ଦୂରେଇ ଯାଇଥାଏ।
ଭାରତରେ ଲୋକମାନଙ୍କୁ ଅଧ୍ୟୟନ କରୁଥିବା ଡାକ୍ତର ଆର୍ ଏମ୍ ଅଞ୍ଜନା କହନ୍ତି: ଆମ ଜନସଂଖ୍ୟା ମଧ୍ୟରୁ ଅନ୍ୟୂନ ଅର୍ଦ୍ଧାଧିକ କର୍ମଚଞ୍ଚଳନ ନୁହନ୍ତି। ତେଣୁ ନିଷ୍କ୍ରିୟ ଲୋକଙ୍କୁ ଚାଲିବା, ଶିଡ଼ି ଚଢ଼ିବା ଏବଂ ଘରର ଛୋଟବଡ଼ କାମ କରିବାକୁ ସେ ଉପଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/t.jpg)