ସ୍ବାଧୀନତାର ମହାନାୟକ ସହିଦ ରଘୁ-ଦିବାକର

ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସରେ ରଣପୁର ବିଦ୍ରୋହ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଇଂରେଜ ଶାସନ କାଳରେ ରାଜାମାନଙ୍କ ଅନ୍ୟାୟ, ଅବହେଳା, ଅତ୍ୟାଚାରରେ ନିଷ୍କପଟ ପ୍ରଜାମାନେ ଛଟପଟ ହେଉଥିଲେ। ଏହା ଫଳରେ ଜନସାଧାରଣଙ୍କର ଆର୍ଥିକ, ସାମାଜିକ, ସାଂସ୍କୃତିକ, ରାଜନୈତିକ ସ୍ଥିତି ଅତ୍ୟନ୍ତ ଦୁର୍ଦ୍ଦଶାପୂର୍ଣ୍ଣ ହୋଇପଡ଼ିଥିଲା। ରଣପୁର ରାଜା ଓ ରାଜକର୍ମଚାରୀଙ୍କ ସ୍ବେଚ୍ଛାଚାରିତା ଯୋଗୁଁ ରଣପୁରବାସୀଙ୍କ ପାଇଁ ନ୍ୟାୟ ଓ ସ୍ବାଧୀନତା ଥିଲା ଅଜଣା କଥା। ତେଣୁ ରଣପୁରରେ ଗଡ଼ଜାତ ଶାସନକୁ ଯଥାର୍ଥରେ କୁହାଯାଉଥିଲା ‘ଅନ୍ଧାରି ଶାସନ’।

ସେହି ମାଟିରେ ଜନ୍ମ ନେଇ ଅନ୍ୟାୟ ବିରୋଧରେ ବିଦ୍ରୋହୀ ପାଲଟିଥିଲେ ଦୁଇଜଣ ଅମର ବିପ୍ଳବୀ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା। ରଘୁନାଥ ମହାନ୍ତି ୧୯୧୦ ଜୁଲାଇ ୧୮ ତାରିଖରେ ରଣପୁର ଅନ୍ତର୍ଗତ ବାଦଭୂଇଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ନଟବର ମହାନ୍ତି ଥିଲେ ଜଣେ ସ୍ବାଧୀନଚେତା ଶିକ୍ଷକ। ତାଙ୍କର ଶିଷ୍ୟ ଥିଲେ ଦିବାକର ପରିଡ଼ା। ଦିବାକର ୧୯୧୧ ନଭେମ୍ବର ୩୦ ତାରିଖରେ ରଣପୁରର ଗଡ଼ବାଣୀକିଲୋ ଗ୍ରାମରେ ଜନ୍ମ ହୋଇଥିଲେ। ରଘୁ ଓ ଦିବାକର ଏକା ଶ୍ରେଣୀରେ ପଢୁଥିବା ସମୟରେ ଘନିଷ୍ଠ ବନ୍ଧୁ ପାଲଟିଥିଲେ।

ଯୁବାବସ୍ଥାରେ ସେମାନଙ୍କ ମନରେ ଦେଶପ୍ରେମର ଭାବନା ଘନୀଭୂତ ହୋଇଥିଲା। ଦୁଇ ବନ୍ଧୁ ରାଶବିହାରୀ ବୋଷ, ଭଗତ ସିଂହ, ବାଘାଯତୀନ, ଚନ୍ଦ୍ରଶେଖର ଆଜାଦଙ୍କ ଭଳି ବୀରଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଭାରତକୁ ବ୍ରିଟିସ୍‌ ଶାସନମୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ରଘୁନାଥ ପାଠପଢ଼ା ସାରି ରଣପୁର ରାଜାଙ୍କ ଅନ୍ୟାୟକୁ ପ୍ରତିବାଦ କରି ‘ଶର୍ବରୀବାଳା’ ଶୀର୍ଷକ ପୁସ୍ତକ ପ୍ରକାଶ କରିଥିଲେ। ଏଥିପାଇଁ ରାଜା ତାଙ୍କୁ ରାଜଦ୍ରୋହୀ କହି ରଣପୁରରୁ ତଡ଼ିଦେଇଥିଲେ। ପିତାଙ୍କର ମୃତ୍ୟୁ ପରେ ପରିସ୍ଥିତିରେ ପଡ଼ି ସେ ରାଜାଙ୍କ ଅଧୀନରେ ଚାକିରି କଲେ। କିନ୍ତୁ ପ୍ରଜାଙ୍କ ଉପରେ ନିର୍ଦ୍ଦୟ ଅତ୍ୟାଚାର ଦେଖି ସେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ନିଜ ସ୍ବାର୍ଥ ଓ ସାତ ବର୍ଷର ଚାକିରି ଛାଡ଼ି ସେ ବନ୍ଧୁ ଦିବାକରଙ୍କ ସହିତ ରଣପୁରର ଗାଁ ଗାଁ ବୁଲି ଲୋକଙ୍କୁ ସଂଗଠିତ କରିଥିଲେ।

ଦୁଇଜଣଙ୍କ ଆହ୍ବାନରେ ଢେଙ୍କାନାଳ, ତାଳଚେର ଓ ରଣପୁରର ଲୋକମାନେ ବିଦ୍ରୋହରେ ସାମିଲ ହୋଇଥିଲେ। ଉଭୟଙ୍କ ବୀରତ୍ବ ଓ ସାହସିକତା ପାଇଁ ଏକ ବିରାଟ ପ୍ରଜା ଆନ୍ଦୋଳନ ସୃଷ୍ଟି ହୋଇପାରିଥିଲା। ଏମାନଙ୍କ କଠିନ ପରିଶ୍ରମରୁ ଜନ୍ମ ନେଇଥିଲା ‘ପ୍ରଜାମଣ୍ଡଳ’ ନାମକ ସଂଗଠନ। ୧୯୩୯ ମସିହା ଜାନୁଆରି ୫ ତାରିଖ ଥିଲା ରଣପୁର ପ୍ରଜା ଆନ୍ଦୋଳନ ପାଇଁ ଏକ ଐତିହାସିକ ଦିବସ। ଏହି ଦିନ ରଣପୁର ରାଜପ୍ରାସାଦର ସିଂହଦ୍ବାରରେ ପ୍ରଜାମଣ୍ଡଳର ଏକ ପ୍ରତିବାଦ ସମାବେଶ ଚାଲିଥାଏ। ବ୍ରିଟିସ୍‌ ସରକାରଙ୍କ ପଲିଟିକାଲ୍‌ ଏଜେଣ୍ଟ ଆର୍‌. ଏଲ୍‌. ବେଜେଲଗେଟ୍‌ ଏହାର ଦମନ ପାଇଁ ଆସିଥିଲେ ଏବଂ ଘଟଣାକ୍ରମେ ଉତ୍ତେଜିତ ଲୋକେ ତାଙ୍କୁ ହତ୍ୟା କରିଥିଲେ। ଜଣେ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ହତ୍ୟା ବ୍ରିଟିସ୍‌ ପ୍ରଶାସନ ପାଇଁ ଥିଲା ଅପମାନ ସଦୃଶ।

ତେଣୁ ବ୍ରିଟିସ୍‌ ପ୍ରଶାସନ ପ୍ରତିଶୋଧପରାୟଣ ହୋଇପଡ଼ିଥିଲା। ଅନ୍ୟାନ୍ୟ ଶତାଧିକ କର୍ମୀଙ୍କ ସମେତ ରଘୁ-ଦିବାକରଙ୍କୁ ଗିରଫ କରି ହତ୍ୟାକାଣ୍ଡର ବିଚାର ହୋଇଥିଲା। କିଛି ସ୍ଥାନୀୟ ଲୋକଙ୍କୁ ବାଧ୍ୟ କରି ରଘୁ-ଦିବାକରଙ୍କ ବିରୋଧରେ ମିଛ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଶୁଣାଣି ଶେଷରେ ଦିବାକର ପରିଡ଼ା ଓ ରଘୁ ମହାନ୍ତିଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୧୯୪୧ ଏପ୍ରିଲ ୪ ତାରିଖରେ ଝାଡ଼ଖଣ୍ଡର ଭାଗଲପୁର ଜେଲ୍‌ରେ ଓଡ଼ିଶାର ଏହି ଦୁଇ ବୀର ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା। ଦୁଇଜଣଙ୍କୁ ଏକାଠି ଫାଶୀ ଦିଆଯିବା ଥିଲା ଭାରତୀୟ ଇତିହାସରେ ଏକ ବିରଳ ଘଟଣା। ବ୍ରିଟିସ୍ ସରକାର ସମର୍ଥିତ ଗଡ଼ଜାତ ଶାସକଙ୍କ ଅନ୍ୟାୟ ଅତ୍ୟାଚାର ବିରୋଧରେ ଅବିଶ୍ରାନ୍ତ ସଂଘର୍ଷ କରିଥିବା ଏହି ଦୁଇ ବୀରପୁତ୍ରଙ୍କୁ ଦେଶ ହରାଇଲା ସତ କିନ୍ତୁ ସେମାନଙ୍କ ଆତ୍ମବଳିଦାନର କାହାଣୀ ଅନେକଙ୍କୁ ଅନ୍ୟାୟ ବିରୋଧରେ ସଂଘର୍ଷ କରିବାକୁ ଅନୁପ୍ରାଣିତ କରିଥିଲା।

ସମ୍ବନ୍ଧିତ ଖବର