ଭକ୍ତକବି ସାଲବେଗଙ୍କ ‘ଆହେ ନୀଳ ଶଇଳ...’ ଭଜନର ଗୋଟିଏ ପଦରେ ‘ଶ୍ରୀମଦ୍‌ଭାଗବତ’ର ଗଜ-କୁମ୍ଭୀର ଯୁଦ୍ଧ ଓ ଗଜଉଦ୍ଧାରଣ ଉପାଖ୍ୟାନ ଅଛି। ସେହି ପଦଟି ହେଉଛି- “ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ / ଚକ୍ର ପେଷି ଗ୍ରାହ ନାଶି ଉଦ୍ଧରିଲ ଆପଣ।”

Advertisment

‘ଶ୍ରୀମଦ୍‌ଭାଗବତ’ର ବର୍ଣ୍ଣନା ଅନୁସାରେ, ତୃଷାର୍ତ୍ତ ଗଜରାଜ ଅନେକ ହସ୍ତିନୀ, ଗଜ ଓ ହସ୍ତୀଶାବକଙ୍କ ସହିତ ଯାଇ ବରୁଣ ହ୍ରଦରେ ଜଳପାନ କରିଥିଲା। ତା’ପରେ ସେମାନଙ୍କ ସହ ଜଳକ୍ରୀଡ଼ା କରିବାବେଳେ, ସେହି ହ୍ରଦରେ ଥିବା କୁମ୍ଭୀର ତାହାର ପାଦକୁ ଗ୍ରାସ କଲା। ଗଜରାଜ, ଅନ୍ୟ ଗଜମାନେ ଓ ହସ୍ତିନୀମାନେ କୁମ୍ଭୀରର ଗ୍ରାସରୁ ପାଦକୁ ଛଡ଼ାଇବାକୁ ଚେଷ୍ଟା କରି ମଧ୍ୟ ସମର୍ଥ ହେଲେନାହିଁ। ସହସ୍ରବର୍ଷ ଧରି ସେହି ଯୁଦ୍ଧ ଚାଲିଲା। କ୍ରମେ ଗଜରାଜର ବଳ, ବୟସ ଖସିବା ସହିତ ମନ ଓ ଇନ୍ଦ୍ରିୟମାନେ ଦୁର୍ବଳ ହେଲେ। ତେଣୁ ଅନ୍ୟ ଉପାୟ ନପାଇ ସେ ଏ ସଂସାରର ଏକମାତ୍ର ରକ୍ଷାକର୍ତ୍ତା ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲା ଏବଂ ତାଙ୍କୁ ସ୍ତୁତି କଲା। ଫଳରେ ଶ୍ରୀବିଷ୍ଣୁ ଆସି କୁମ୍ଭୀରକୁ ନାଶ କରି ତାକୁ ଉଦ୍ଧାର କଲେ।

ଏହାର ଗୋଟିଏ ସୁନ୍ଦରବାର୍ତ୍ତା ଆମ ସମସ୍ତଙ୍କ ପାଇଁ ଅଛି। ତାହା ହେଉଛି- ସେହି ଗଜରାଜଟି ପରି, ବଳ ଓ ବୟସ ଥିବାବେଳେ, ଆମେ ସ୍ତ୍ରୀ, ପୁତ୍ର ଓ ଜ୍ଞାତିକୁଟୁମ୍ବଙ୍କ ମେଳରେ ଭୋଳ ହୋଇ ରହୁ। ଦେହ ଓ ମନର ବଳରେ ମତ୍ତ ହୋଇ ଈଶ୍ୱରଙ୍କ ଚିନ୍ତା କରୁନା।

ହସ୍ତିନୀ, ଗଜଶାବକ ଓ ଅନ୍ୟ ଗଜମାନଙ୍କ ସହ ଗଜରାଜର ଜଳକ୍ରୀଡ଼ା ଏହାକୁ ହିଁ ସୂଚାଏ। କିନ୍ତୁ ସଂସାରର ସେହି ସରୋବରରେ, କୁମ୍ଭୀର ପରି କାଳ ଲୁଚି ରହିଥାଏ। କ୍ରମେ ତାହା ଆମକୁ କବଳିତ କରେ। କିନ୍ତୁ ଦେହ ଓ ମନର ବଳ ଥିବାଯାଏ ଆମେ ତା’ ସହ ଲଢୁ ଏବଂ ଭାବୁ ଯେ ତାକୁ ପ୍ରତିହତ କରିଦେବୁ। ସେତେବେଳେ ବି ଆମେ ଭଗବାନଙ୍କର ଶରଣାପନ୍ନ ହେଉନାହିଁ।
କିନ୍ତୁ ଆମର ବଳ, ବୟସ ଯେତିକି ଯେତିକି ହଟେ, କ୍ରମେ ଆମର ହୃଦ୍‌ବୋଧ ହୁଏ ଯେ ସ୍ତ୍ରୀ, ପୁତ୍ର ବା ଜ୍ଞାତିକୁଟୁମ୍ବ କେହି ଆମକୁ କାଳର କରାଳ ଗ୍ରାସରୁ ରକ୍ଷା କରିପାରିବେ ନାହିଁ। ସେତେବେଳେ ଯାଇ ଆମେ ସଚେତନ ହେଉ ଯେ କେବଳ ଜଣେ ହିଁ ଆମର ରକ୍ଷାକର୍ତ୍ତା ଏବଂ ସେ ହେଉଛନ୍ତି ଭଗବାନ। କେବଳ ସେ ହିଁ ଆମକୁ ଏହି ସଂସାର ସାଗରରୁ ଓ କାଳର ଗ୍ରାସରୁ ରକ୍ଷା କରିପାରିବେ। ସେତେବେଳେ ଯାଇ ଆମେ ତାଙ୍କର ଶରଣ ନେଉ।

ଏଣୁ ଭାଗବତର ଏହି ‘ଗଜେନ୍ଦ୍ରମୋକ୍ଷ’ ଉପାଖ୍ୟାନ ଆମକୁ ସୂଚାଏ, ଯେ ଏହି ଅବବୋଧ ଆମର ଯେତେ ଶୀଘ୍ର ହେବ, ସେତେ ଆମର ମଙ୍ଗଳ।