ହେ ଗଜାନନ! ମୂଷିକବାହନ!!

ଶ୍ରୀଗଣେଶ ଗଜାନନ। ପୁଣି ସେ ମୂଷିକବାହନ। ଏପରି ବିଚିତ୍ରତା କେବଳ ଗଣେଶଙ୍କଠାରେ ଦେଖିବାକୁ ମିଳେ। କାରଣ, ଗଜ ବା ହାତୀ ଆକାରରେ ବିରାଟ। କିନ୍ତୁ ମୂଷିକ ବା ମୂଷା ଆକାରରେ କ୍ଷୁଦ୍ର। ଏ ଉଭୟର ସମନ୍ୱୟ ଗଣେଶଙ୍କଠାରେ ସମ୍ଭବ ହୋଇଛି।

ଭାଦ୍ରବ ଶୁକ୍ଳ ଚତୁର୍ଥୀ ଶ୍ରୀଗଣେଶଙ୍କର ଆବିର୍ଭାବ ତିଥି। ତେଣୁ ଏହିଦିନ ତାଙ୍କର ପୂଜା କରାଯାଏ। ଏହା ଗଣେଶ ଚତୁର୍ଥୀ ବା ବିନାୟକ ଚତୁର୍ଥୀ ଭାବରେ ଖ୍ୟାତ।

ଗଣେଶଙ୍କର ବାହନ କାହିଁକି ମୂଷା, ସେ ସଂପର୍କରେ ପୁରାଣମାନଙ୍କରେ ଭିନ୍ନ ଭିନ୍ନ କାହାଣୀ ଅଛି। ଗୋଟିଏ କାହାଣୀ ଅନୁସାରେ, ଥରେ ଗଜମୁଖ ନାମକ ଏକ ଅସୁର ସହିତ ଗଣେଶଙ୍କର ଯୁଦ୍ଧ ହୋଇଥିଲା। ସେ ଗଣେଶଙ୍କର ଡାହାଣ ଦାନ୍ତକୁ ଉପାଡ଼ି ଦେଲା। କିନ୍ତୁ ଗଣେଶ ସେହି ଭଙ୍ଗା ଦାନ୍ତରେ ତା’ ଉପରେ ପ୍ରଚଣ୍ଡ ପ୍ରହାର କଲେ। ଫଳରେ ସେ ମୂଷା ରୂପ ଧରି ପଳାଇଯିବାକୁ ବସିଲା। ତାହା ଦେଖି ଗଣେଶ ତାକୁ ଧରି ନେଇ ନିଜର ବାହନ କରିଦେଲେ।

ଏହି ମୂଷିକ ବାହନ ସଂପର୍କରେ ଆଉ ଗୋଟିଏ କାହାଣୀ ବି ଅଛି। ତାହା ହେଉଛି, ଥରେ ମହର୍ଷି ବାମଦେବ କ୍ରୌଞ୍ଚ ନାମକ ଜଣେ ଗନ୍ଧର୍ବଙ୍କୁ ଅଭିଶାପ ଦେବାରୁ ସେ ମୂଷା ହୋଇଗଲେ। ସେହି ମୂଷା ରୂପରେ ସେ ଋଷିମାନଙ୍କ ଆଶ୍ରମରେ ବହୁ ଉତ୍ପାତ କଲେ। ଋଷିମାନେ ତାହା ଗଣେଶଙ୍କୁ ଜଣାଇବାରୁ ଗଣେଶ ତାଙ୍କୁ ଧରିନେଲେ। ସେଇଦିନୁ ସେହି ମୂଷା ତାଙ୍କର ବାହନ ହେଲା।

କିନ୍ତୁ ଗଣେଶଙ୍କ ମୂଷିକ ବାହନ ସଂପର୍କରେ ଆଉ ଗୋଟିଏ କାହାଣୀ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ତାହା ଦେବତା ଭାବରେ ଶ୍ରୀଗଣେଶଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇବା ସମୟର କଥା। ଗୋଟିଏ ସମୟରେ ଦେବତାମାନେ ମିଶି ଗଣେଶଙ୍କୁ ସର୍ବଶକ୍ତିମାନ କରିଦେଲେ। ତାହା ଜାଣି ଯମ ଚିନ୍ତାକଲେ, ଗଣେଶ ଆଉ ମୃତ୍ୟୁର ଅଧୀନ ହେବେ ନାହିଁ। ତେଣୁ ତାଙ୍କୁ ପରୀକ୍ଷା କରିବାପାଇଁ ସେ ନିଜର କାଳପାଶ ଧରି ଆସିଲେ। କିନ୍ତୁ ଗଣେଶଙ୍କର ଗୋଟିଏ ଆୟୁଧ ମଧ୍ୟ ପାଶ। ସେ ନିଜର ପାଶକୁ ଯମଙ୍କ ଉପରକୁ ପକାଇବାକୁ ଉଦ୍ୟତ ହେଲେ। ଯମ ତାହା ଜାଣିପାରି ମୂଷା ରୂପରେ ପଳାଇ ଯିବାକୁ ଲାଗିଲେ। କିନ୍ତୁ ଗଣେଶ ତାଙ୍କୁ ଧରିନେଇ ନିଜର ବାହନ କରିନେଲେ।

ଆଦିକବି ସାରଳା ଦାସ ତାଙ୍କ ‘ମହାଭାରତ’ରେ ଏହାକୁ ଭିନ୍ନ ଭାବରେ ଲେଖିଛନ୍ତି। ସେ କହିଛନ୍ତି, ସଂସାରର ପ୍ରାଣୀମାନେ ଯମ-ଯାତନା ଭୋଗୁଥିବା ଦେଖି ଗଣେଶ ସଦୟ ହେଲେ। ସେ ଯମଙ୍କ ନିଧନପାଇଁ ଉଦ୍ୟମ କରିବାରୁ, ଯମ ଭୟରେ ମୂଷା ହୋଇ ଗୋଟିଏ ଗାତରେ ପଶିଯିବାକୁ ଚେଷ୍ଟା କଲେ। କିନ୍ତୁ ଗଣେଶ ତାଙ୍କୁ ନିଜର ‘ପାଶ’ ଦ୍ୱାରା ଧରି ଆଣିଲେ। ଯମ ତାଙ୍କୁ ପ୍ରାର୍ଥନା କରିବାରୁ ସେ ସନ୍ତୁଷ୍ଟ ହୋଇ ତାଙ୍କୁ ନିଜର ବାହନ କଲେ।

ଗଣେଶ ନିଜର ସାଧନାଦ୍ୱାରା ସିଦ୍ଧିଲାଭ କରି ମୃତ୍ୟୁ ଉପରେ ବିଜୟ ଲାଭ କରିଥିବା ଏଥିରୁ ସୂଚିତ। ଗଣେଶଙ୍କର ଏହି ମୂଷିକ ବାହନ ସଂପର୍କରେ ଥିବା ଗାୟତ୍ରୀମନ୍ତ୍ର ହେଉଛି- “ଓଁ ମଁ ମୂଷିକାୟ ଗଣାଧିପବାହନାୟ ଧର୍ମରାଜାୟ ସ୍ୱାହା।”

ତେବେ କେବଳ ମୂଷିକ ଗଣେଶଙ୍କର ବାହନ ନୁହେଁ। ବକ୍ରତୁଣ୍ଡ ଗଣେଶଙ୍କର ବାହନ ସିଂହ। ଧୂମକେତୁ ଗଣେଶଙ୍କର ବାହନ ଅଶ୍ୱ ଓ ବିକଟ ଗଣେଶଙ୍କର ବାହନ ମୟୂର।

ସମ୍ବନ୍ଧିତ ଖବର