ଆମର ପୁରାଣ ଓ ବ୍ରତକଥାଗୁଡ଼ିକ ବିଚିତ୍ର କାହାଣୀର ଗନ୍ତାଘର। ‘ମାଘ ମାହାତ୍ମ୍ୟ’ ତାହାର ବ୍ୟତିକ୍ରମ ନୁହେଁ। ଦୀନକୃଷ୍ଣ ଦାସଙ୍କ ଦ୍ୱାରା ନବାକ୍ଷରୀ ଓଡ଼ିଆରେ ରଚିତ ଏହି ଗ୍ରନ୍ଥର ଷୋଡ଼ଶ ଅଧ୍ୟାୟରେ ଅଛି ବିଶ୍ୱାବସୁ ନାମକ ଜଣେ ବାଘମୁହାଁ ଗନ୍ଧର୍ବଙ୍କ କଥା।
Sambad is now on WhatsApp
Join and get latest news updates delivered to you via WhatsApp
‘କୃଷ୍ଣ-ଉଦ୍ଧବ ସମ୍ବାଦ’ ବା କୃଷ୍ଣ-ଉଦ୍ଧବ କଥୋପକଥନ ଧାରାରେ ଏହାର ୩୦ଟି ଯାକ ଅଧ୍ୟାୟ ରଚିତ। ଦେବର୍ଷି ନାରଦଙ୍କ ଆଗରେ ଦିନେ ବ୍ରହ୍ମା ଯାହା କହିଥିଲେ, ଏଥିରେ ଉଦ୍ଧବଙ୍କ ଆଗରେ ଶ୍ରୀକୃଷ୍ଣ ତାହା କହିଛନ୍ତି।
ପୂର୍ବକାଳରେ ମଣିଗିରି ନିକଟରେ ବ୍ରହ୍ମଦେଶ ନାମରେ ଏକ ରାଜ୍ୟ ଥିଲା। ସେହି ରାଜ୍ୟର ମଣିପର୍ବତ ଶିଖରରେ ଭୃଗୁନାମକ ଜଣେ ମୁନି ଆଶ୍ରମ କରି ରହୁଥିଲେ। ସେ ବ୍ରହ୍ମାଙ୍କର ପୁତ୍ର ହୋଇଥିବାରୁ ତ୍ରିକାଳଦର୍ଶୀ ଥିଲେ। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ- ସବୁ କଥା ସେ ଧ୍ୟାନ ବଳରେ ଜାଣି ପାରୁଥିଲେ।
ଦିନେ ବିଶ୍ୱାବସୁ ନାମକ ଜଣେ ଗନ୍ଧର୍ବ ଏକ ରତ୍ନଖଚିତ ରଥରେ ଚଢ଼ି ସ୍ୱର୍ଗରୁ ଆସି ତାଙ୍କ ପାଖରେ ପହଞ୍ଚିଲେ। ସାଙ୍ଗରେ ଥିଲେ ତାଙ୍କର ପରମାସୁନ୍ଦରୀ ସ୍ତ୍ରୀ। ଭୃଗୁମୁନି ତାଙ୍କ ଆଗମନର କାରଣ ପଚାରିବାରୁ ସେ କହିଲେ, ମୋର ଶରୀରଟି ଦେବତାର ହେଲେ ମଧ୍ୟ ମୁହଁଟି ବାଘର।
ଏଥିପାଇଁ ମୁଁ ଖୁବ୍ ଲଜ୍ଜାବୋଧ କରୁଛି। ଦେବସଭାକୁ ଯାଇପାରୁ ନାହିଁ। ଘରେ ଏହି ପରମା ସୁନ୍ଦରୀ ସ୍ତ୍ରୀ ଥିଲେ ମଧ୍ୟ ତାର ମୁଖ ଚୁମ୍ବନ କରିପାରୁ ନାହିଁ। ବିଧାତା କାହିଁକି ମୋତେ ଏପରି କରି ଜନ୍ମ ଦେଲେ, ଦୟାକରି ମୋତେ କହନ୍ତୁ।
ତାହା ଶୁଣି, ଭୃଗୁମୁନି କିଛିକ୍ଷଣ ଧ୍ୟାନସ୍ଥ ହେଲେ। ତା’ପରେ କହିଲେ- ପୂର୍ବଜନ୍ମରେ ତୁମେ ନରଦେହରେ ମର୍ତ୍ତ୍ୟରେ ଜନ୍ମ ନେଇଥିଲ। ଖୁବ୍ ପୁଣ୍ୟବାନ୍ ବି ଥିଲ। ମାଘସ୍ନାନ କରି ବହୁ ପୁଣ୍ୟ ଅର୍ଜନ କରିଥିଲ। କିନ୍ତୁ ମାଘସ୍ନାନ ବା ମକର ବ୍ରତରେ ତୈଳ ଲଗାଇ ସ୍ନାନ କରିବା ନିଷେଧ ଥିଲେ ମଧ୍ୟ, ଶୁକ୍ଳ ଦ୍ୱାଦଶୀ ଦିନ ତୁମେ ମୁଖରେ ତୈଳ ଲଗାଇଥିବାରୁ, ଏ ଜନ୍ମରେ ଗନ୍ଧର୍ବ ରୂପେ ଦିବ୍ୟ କାୟା ପାଇଲେ ମଧ୍ୟ ବ୍ୟାଘ୍ରମୁଖ ହୋଇଛ। ଏହାର ପ୍ରତିକାର ସ୍ୱରୂପ, ତୁମେ ରେବା (ନର୍ମଦା) ତୀରକୁ ଯାଇ ଏବଂ ସେଠାରେ ମାସଟିଏ ରହି, ମକର (ମାଘ) ସ୍ନାନ କର।
ବିଶ୍ୱାବସୁ ଗନ୍ଧର୍ବ ଭୃଗୁମୁନିଙ୍କ ପରାମର୍ଶରେ ତାହା କରିବାରୁ, ତାର ବ୍ୟାଘ୍ରମୁଖ ଆଉ ରହିଲା ନାହିଁ। ସେ ଶରଦ ପୂର୍ଣ୍ଣିମାର ଜହ୍ନ ପରି ଦିବ୍ୟମୁଖ ପାଇଲା।
ମାଘ ମାସରେ ମୂଳା ଓ ବରକୋଳି ଖାଇବାକୁ ମଧ୍ୟ ଏହି ବ୍ରତରେ ନିଷେଧ କରାଯାଇଛି। ଏଣୁ ମାଘବ୍ରତଧାରୀମାନେ ଏ ମାସରେ ମୂଳା ଓ ବରକୋଳି ଖାଇନଥାନ୍ତି।