ଗଙ୍ଗା ଦଶହରା କଥା

ଆଶ୍ୱିନ ମାସରେ ଦେବୀ ଜଗଦମ୍ବାଙ୍କର ଯେପରି ଦଶହରା ପାଳିତ ହୁଏ, ଠିକ୍ ସେହିପରି ଜ୍ୟୋଷ୍ଠ ଶୁକ୍ଳ ଦଶମୀ ତିଥିରେ ସବୁପ୍ରକାରର ରୋଗ, ଶୋକ, ପାପ ଓ ତାପହାରିଣୀ ଦେବୀ ଗଙ୍ଗାଙ୍କର ଦଶମୀ ବ୍ରତ ପାଳନ କରାଯାଇଥାଏ। ଏହାକୁ ଗଙ୍ଗା ଦଶହରା ବା ଗଙ୍ଗାବତରଣ କୁହାଯାଏ। ଆଦିଶଙ୍କରାଚାର୍ଯ୍ୟ ଅତି ସୁନ୍ଦର ଭାବରେ ଏହାକୁ ବ୍ୟାଖ୍ୟା କରି କହିଛନ୍ତି, “ମନୋହାରିଣୀ ଗଙ୍ଗା ବିଷ୍ଣୁଚରଣ ଚ୍ୟୁତ ହୋଇ, ତ୍ରିପୁରାରିଙ୍କର ଶିର ସ୍ପର୍ଶ କରି, ସର୍ବପାପ ହରଣ ନିମିତ୍ତ ମର୍ତ୍ତ୍ୟାବରଣ କରିଛନ୍ତି।”

ପୁରାଣମାନଙ୍କର ବର୍ଣ୍ଣନା ଅନୁଯାୟୀ, ତ୍ରିବିକ୍ରମ ଭଗବାନ ବିଷ୍ଣୁ ଯେତେବେଳେ ବଳିଠାରୁ ପ୍ରଥମପାଦ ଭୂମି ଗ୍ରହଣ କଲେ, ତାହା ସମଗ୍ର ପୃଥିବୀକୁ ଆଚ୍ଛାଦିତ କରିଦେଲା। ଯେତେବେଳେ ସେ ଦ୍ୱିତୀୟ ପାଦ ଉତ୍ତୋଳିତ କଲେ, ତାହା ଗ୍ରହ, ନକ୍ଷତ୍ର ଓ ଦେବଲୋକ ଲଂଘନ କରି ବ୍ରହ୍ମଲୋକରେ ପହଞ୍ଚିଗଲା। ସେହି ସମୟରେ ପ୍ରଜାପିତା ବ୍ରହ୍ମା ଦେବାଧିଦେବ ଭଗବାନ ବିଷ୍ଣୁଙ୍କର ଚକ୍ର ଓ କମଳ ଆଦି ଚିହ୍ନ ଅଙ୍କିତ ଚରଣ ଦର୍ଶନ କରି ଅତ୍ୟନ୍ତ ପୁଲକିତ ହେଲେ ଏବଂ ଭକ୍ତିପୂତ ଚିତ୍ତରେ ନିଜ କମଣ୍ଡଳୁର ଜଳରେ ତାହାକୁ ଧୌତ କରିଦେଲେ। ଶ୍ରୀବିଷ୍ଣୁଙ୍କର ପ୍ରଭାବରେ ସେହି ଚରଣୋଦକ ଅକ୍ଷୟ ହୋଇଗଲା। ସେହି ପୂତ, ନିର୍ମଳ ଜଳ ମେରୁ ପର୍ବତ ଶିଖର ଉପରେ ଝରିପଡ଼ିଲା ଏବଂ ବ୍ରହ୍ମାଣ୍ଡକୁ ପବିତ୍ର କରିବା ନିମିତ୍ତ ଚାରିଦିଗକୁ ବହିଗଲା। ଚାରିଦିଗକୁ ବହିଯାଇଥିବା ସେହି ଚାରିଧାରା ମଧ୍ୟରୁ, ଦକ୍ଷିଣ ଦିଗରେ ପ୍ରବାହିତ ଧାରା ତିନିଭାଗରେ ବିଭକ୍ତ ହେଲା। ମର୍ତ୍ତ୍ୟକୁ ଆସିଥିବା ଧାରା ହେଲା ଗଙ୍ଗା। ଯେତେବେଳେ ଗଙ୍ଗା ମେରୁ ପର୍ବତରୁ ତଳକୁ ଝରୁଥିଲେ, ସେହି ସମୟରେ ଭଗବାନ ଶିବ ସୃଷ୍ଟିର ମଙ୍ଗଳକାମନା ଉଦ୍ଦେଶ୍ୟରେ ତାଙ୍କୁ ନିଜର ମସ୍ତକରେ ଧାରଣ କଲେ। ଏହାର ବହୁଯୁଗ ପରେ ମୁନି ଗୌତମ ଓ ସଗର ଭଗୀରଥ, ଶିବଙ୍କୁ ପ୍ରାର୍ଥନା କରି ଗଙ୍ଗାଙ୍କୁ ମର୍ତ୍ତ୍ୟକୁ ଆଣିଲେ। ଗୌତମ ଯାହାଙ୍କୁ ନେଲେ ସେ ଗୋମତୀ ହେଲା ଏବଂ ଭଗୀରଥ ଯାହାଙ୍କୁ ଆଣିଲେ ସେ ଭାଗୀରଥି ଗଙ୍ଗା ହେଲା। ସମସ୍ତ ପାପ, ତାପ ହରଣ ନିମିତ୍ତ ସେ ସମର୍ଥ। ଏପରିକି, ମନୁଷ୍ୟର ଗର୍ହିତ ଦଶ ପାପ ସେ ହରଣ କରିବାକୁ ସମର୍ଥ ବୋଲି ତାଙ୍କ ଅବତରଣ ତିଥିର ନାମ ଗଙ୍ଗା ଦଶହରା। ଏହିଦିନ ସମଗ୍ର ଭାରତବର୍ଷରେ ଗଙ୍ଗାସ୍ନାନ ଓ ଗଙ୍ଗାପୂଜନ ଆଳତି ଅନୁଷ୍ଠିତ ହୋଇଥାଏ।

ଏହିଦିନ ଗଙ୍ଗାରେ ସ୍ନାନ କଲେ ଏବଂ ଭକ୍ତିପୂତ ଚିତ୍ତରେ ଗଙ୍ଗାଙ୍କୁ ସ୍ମରଣ କଲେ, ମନୁଷ୍ୟକୁ ଯଜ୍ଞ ଓ ଗୋଦାନର ଫଳ ମିଳିବା ସହିତ ବିଷ୍ଣୁଲୋକରେ ସ୍ଥାନ ମିଳିଥାଏ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର