ସଂକ୍ରାନ୍ତିର ନାମ ଗର୍ଭଣା

ସୌରମାନ ବର୍ଷର ‘ତୁଳା ସଂକ୍ରାନ୍ତି’ର ଅନ୍ୟନାମ ‘ଗର୍ଭଣା ସଂକ୍ରାନ୍ତି’। ଏହି ସମୟକୁ ଶାରଦ ଧାନଗଛ ଗର୍ଭଧାରଣ (ଥୋଡ଼ ବାହାର) କରୁଥିବାରୁ ଏହି ନାମ ହୋଇଛି। କଥାରେ ଅଛି, “ଆଗେ ବୁଣ୍ ପଛେ ବୁଣ୍‌, ଗର୍ଭଣାକୁ ଟୁଣ୍ ଟୁଣ୍‌” ଅର୍ଥାତ୍ ଆଗ ପଛ ହୋଇ ଧାନ ବୁଣା ହେଲେ ମଧ୍ୟ, ଗର୍ଭଣା ସଂକ୍ରାନ୍ତି ବେଳକୁ ଧାନଗଛରେ ଥୋଡ଼ ଧରିଥାଏ। ଏହା ଶାଳିଧାନ୍ୟ। ଏହାର ଅନ୍ୟନାମ ‘ଶାରଦ’ ବା ‘ହୈମନ୍ତିକ’ ଧାନ। କାରଣ ଏହି ଧାନ ଫସଲର ମୁଖ୍ୟ ସମୟ ଶରତ ଓ ହେମନ୍ତ। ପୃଥିବୀର ଏହି ପ୍ରଧାନ ଶସ୍ୟକୁ ମହାଲକ୍ଷ୍ମୀ ଭାବରେ ଗ୍ରହଣ କରାଯାଏ। କାରଣ ଏହା ଏକାଧାରରେ ଶସ୍ୟ, ବୀଜ, ତଣ୍ଡୁଳ, ପତ୍ର, ଅଙ୍କୁର, କାଣ୍ଡ, କୋଷ, ପୁଷ୍ପ ଓ କ୍ଷୀର ଅଟେ। ‘ମହାଭାରତ’ ଅନୁସାରେ, ଏହା ମଧ୍ୟ ଏକାଧାରରେ-

ଦେବତାମାନଙ୍କ ନିମିତ୍ତ ଅନ୍ନ (ଅମୃତ) ଚରୁ ଭାବରେ, ନାଗମାନଙ୍କର ଅନ୍ନ ସୁଧା (କ୍ଷୀର) ଭାବରେ, ପିତୃପୁରୁଷଙ୍କ ନିମିତ୍ତ ଅନ୍ନ ସ୍ୱଧା (ପିଣ୍ଡ) ଭାବରେ ଏବଂ ପଶୁମାନଙ୍କର ଅନ୍ନ ତୃଣଲତା ଆଦି ଭାବରେ ଉତ୍ପନ୍ନ ହୋଇ ଅନ୍ନଦାନରେ ସମର୍ଥ ହୋଇଥାଏ। ଲକ୍ଷ୍ମୀଙ୍କ ସହିତ ସର୍ବଦା ଜଡ଼ିତ ହୋଇଥିବାରୁ ଏହାକୁ ପ୍ରଜନନ ଶକ୍ତିର ପ୍ରତୀକ (ଧାନମେଣ୍ଟା, ମାଣଧାନ ଆଦି) ଭାବରେ ପୂଜା କରାଯାଇଥାଏ। ଏହା ସମସ୍ତ ପ୍ରାଣୀଙ୍କର ପ୍ରାଣାଧାର ହୋଇଥିବାରୁ ଏହାର ସର୍ବମାନ୍ୟତା ସର୍ବଦା ରହିଆସିଛି।

ଅକ୍ଷୟତୃତୀୟାଠାରୁ ଆରମ୍ଭ କରି ମାର୍ଗଶିର ମାସ ଗୁରୁବାର ପର୍ଯ୍ୟନ୍ତ ଏହି ପୂଜନ ପରିବ୍ୟାପ୍ତ। ତେଣୁ କୃଷକମାନେ ସର୍ବଦା ଏହି ଫସଲର ଯତ୍ନ ନେବାକୁ ତତ୍ପର। ଏଥିପାଇଁ ଗର୍ଭଣା ସଂକ୍ରାନ୍ତି ଦିନ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହିଦିନ କୃଷକ ପରିବାର ଗୃହ ମଧ୍ୟରେ ନାନା ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଲଗାଇ ଥାଆନ୍ତି ଏବଂ ଗର୍ଭଣା ଗଛକୁ ପୂଜାକରି ଧାନ କ୍ଷେତରେ ପୋତିଥାନ୍ତି। ବିଶ୍ୱାସ ଅଛି, ଏହି ଗଛ କ୍ଷେତରେ ରହିଲେ ଧାନକ୍ଷେତ ପୋକଜୋକ ତଥା ଫସଲ ନଷ୍ଟକାରୀ କୀଟପତଙ୍ଗଠାରୁ ସୁରକ୍ଷିତ ରହେ ଏବଂ ଉତ୍ତମ ଶସ୍ୟ ଉତ୍ପାଦିତ ହୁଏ। ଯଦିଓ ଏହା ପଛରେ କୌଣସି ବୈଜ୍ଞାନିକ କାରଣ ଥିବାର ଜଣାଯାଏ ନାହିଁ, ତଥାପି ଲୋକବିଶ୍ୱାସକୁ ଭିତ୍ତି କରି, ଓଡ଼ିଶା ଓ କର୍ଣ୍ଣାଟକ ଆଦି ପ୍ରଦେଶରେ ଏହାକୁ ନିଷ୍ଠାର ସହିତ ପାଳନ କରାଯାଇଥାଏ।

-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର